ରେଙ୍ଗାଲି : ଦୁର୍ଘଟଣା ସବୁ ଓଲଟପାଲଟ କରିଦିଏ। ହସଖୁସି ର ସଂସାର କୁ ଉଜାଡି ଦିଏ। ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ସାଗର ବେହେରା । ଛତିଶଗଡ ପ୍ରଦେଶ ସରାଙ୍ଗଗଡର ବାସିନ୍ଦା। ୨୦୧୬ ମସିହା ଜୁନ୍ ୨୧ ତାରିଖ ଦିବ ଟ୍ରେନ୍ ରୁ ରୁ ଓହ୍ଲାଇବା ସମୟ ରେ ଦୁର୍ଘଟଣା ଘଟି ଦୁଇ ଗୋଡ କଟିଗଲା । ଏହି ଦୁର୍ଘଟଣା ପରେ ତାଙ୍କ ସଂସାର ଉଜୁଡିଗଲା। ଧର୍ମପତ୍ନୀ ଇହଧାମ ତ୍ୟାଗ କଲେ । ପୁଅ ଝିଅ କେହି ନାହାନ୍ତି। ଭିଟାମାଟି ଛାଡି ଝରସୁଗୁଡା ଜିଲ୍ଲା କୋଲାବିରା ବ୍ଳକ୍ ର ବୁଟୁପାଲି ଗ୍ରାମ ରେ ଥିବା ତାଙ୍କ ଶାଳକ ଘରେ ଗତ ୩ବର୍ଷ ହେଲା ଆଶ୍ରୟ ନେଇ ରହୁଛନ୍ତି। ପେଟ ପାଟଣା ପାଇଁ ହସ୍ତ ଚାଳିତ ତିନିଚକିଆ ସାଇକେଲ ରେ ଗାଁ ଗାଁ ବୁଲି ଭିକ ମାଗି ଭାଗ୍ୟକୁ ଆଦରି ରହୁଛନ୍ତି ଭିନ୍ନକ୍ଷମ ସାଗର ବେହେରା। କୋଲାବିରା ବ୍ଳକ୍ ସୀମାନ୍ତ ରେ ଥିବା ରେଙ୍ଗାଲି ବ୍ଳକ୍ ର କିନାଲୋଇ ଏବଂ ଲଇଡା ଗ୍ରାମ ପଞ୍ଚାୟତ ର ବିଭିନ୍ନ ସ୍ଥାନରେ ଭିକ ମାଗୁଥିବା ବେଳେ ତାଙ୍କର ଏହି ଅବସ୍ଥା ତଥା ପେଟପାଟଣା ସୁବିଧା ଅସୁବିଧା ସଂକ୍ରାନ୍ତରେ ପଚରା ଯିବାରୁ ମୋତେ କୌଣସି ସରକାରୀ ସୁବିଧା କି ସହାୟତା ମିଳୁ ନାହିଁ ବୋଲି ସାଗର କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି। ଭିକମାଗି ୫ଶହ ଟଙ୍କାରେ ପୁରୁଣା ତିନିଚକିଆ ସାଇକେଲ ଟିଏ କିଣିଛି। ଏହି ସାଇକେଲ ମୋର ଜୀବନସାଥୀ। ଏଠାରେ ମୋର ଆଧାରକାର୍ଡ, ଭୋଟର କାର୍ଡ ଆଦି କୌଣସି ପରିଚୟପତ୍ର ନାହିଁ । ସାରଙ୍ଗଗଡରେ ମୋର ଘର ଦ୍ୱାର ନାହିଁ କି ଆଉ କେହି ନାହିଁ । ବର୍ତ୍ତମାନ ମୁଁ ନିସ୍ୱଃ ଭିନ୍ନକ୍ଷମ ମୋର ଅବସ୍ଥାକୁ ଦେଖି ଲୋକେ ଦୟା ଏବଂ ଅନୁଗ୍ରହ କରି ଯାହା ଭିକ ଦେଉଛନ୍ତି ସେଥିରେ ମୁଁ ବଞ୍ଚିଛି ବୋଲି କହନ୍ତି ସାଗର ବେହେରା। ମୋତେ ଯଦି ପ୍ରତିମାସ ଚାଉଳ ଏବଂ କିଛି ଭତ୍ତା ମିଳନ୍ତା ତା’ହେଲେ ମୋତେ ଗାଁ ବୁଲି ଭିକ ମାଗିବାକୁ ପଡନ୍ତା ନାହିଁ ବୋଲି ସେ ଆଶାପୂର୍ଣ୍ଣ ମୁଦ୍ରାରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସାଗର । ଆଧାରକାର୍ଡ,ଭୋଟର ପରିଚୟ ପତ୍ର ଆଦି ଆନୁସଙ୍ଗିକ ପ୍ରମାଣପତ୍ର ନଥିବାରୁ ସରକାରୀ ସହାୟତା ପାଇବା ସାଗର ବେହେରା ପାଇଁ ପ୍ରତିବନ୍ଧକ ସାଜିଛି।
ସରକାର ନିରାଶ୍ରିତ, ଅସହାୟ ବିଶେଷତଃ ଭିନ୍ନକ୍ଷମ ମାନଙ୍କ ପାଇଁ ମାଳ ମାଳ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ଅସହାୟ ଭିନ୍ନକ୍ଷମ ସାଗର ବେହେରା ତଥା କଥିତ ସରକାରୀ ଯୋଜନାରୁ ବଞ୍ଚିତ ହୋଇ ଦାଣ୍ଡର ଭିକାରୀ ସାଜିବା ସରକାରୀ ଯୋଜନାର ଅସଲସ୍ୱରୂପକୁ ପଦାରେ ପକାଇ ଦେଇଛି। ପ୍ରଶାସନ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅସହାୟ ଭିନ୍ନକ୍ଷମ ସାଗର ବେହେରାକୁ ସହାୟତାର ହାତ ବଢାଇବାକୁ ଦାବି ହେଉଛି।



