www.samajalive.in
Sunday, December 14, 2025
26.1 C
Bhubaneswar

ଆଜି ଆସୁଛନ୍ତି ରାଷ୍ଟ୍ରପତି

କଡ଼ା ସୁରକ୍ଷା ବଳୟରେ ତିନି ସହର

ଭୁବନେଶ୍ୱର  : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଓଡ଼ିଶାର ୩ଟି ପ୍ରମୁଖ ସହର ଭୁବନେଶ୍ୱର, କଟକ ଓ ପୁରୀରେ ରାଷ୍ଟ୍ରପତି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଏଥିପାଇଁ ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି ପୁଲିସ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ତତ୍ପର ଓ ସଜାଗ ହୋଇଯାଇଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମରେ ଏବଂ ଯାତାୟାତରେ ଯେପରି କୌଣସି ତ୍ରୁଟି ନ ରୁହେ ସେଥିପାଇଁ ଗତ କିଛି ଦିନ ହେବ ବିଭିନ୍ନ ସ୍ତରରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ହୋଇଛି।
ବାୟୁସେନାର ସ୍ୱତନ୍ତ୍ର ବିମାନରେ ରାଷ୍ଟ୍ରପତି ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପୂର୍ବାହ୍ନ ୧୦ଟା ୩୦ରେ ଅବତରଣ କରିବେ। ସେଠାରେ ତାଙ୍କୁ ରାଜ୍ୟପାଳ ଡ. ଏସ୍‌ ସି ଜମିର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ମେୟର ଅନନ୍ତ ନାରାୟଣ ଜେନା, ପୁଲିସ ମହାନିର୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଓ ପୁଲିସ କମିଶନର ଯୋଗେଶ ବାହାଦୁର ଖୁରାନିଆ ଏବଂ ଅନ୍ୟାନ୍ୟ ବରିଷ୍ଠ ମନ୍ତ୍ରୀ ଓ ନେତା ସ୍ୱାଗତ କରିବାର କାର୍ଯ୍ୟକ୍ରମ ରହିଛି।
ବିମାନବନ୍ଦରରୁ ରାଷ୍ଟ୍ରପତି ସିଧା ସଡ଼କ ପଥରେ କଟକ ଯିବେ। କଟକରେ ଥିବା ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ ପରିଦର୍ଶନରେ ଯିବେ। ଏହା ପରେ ଦିନ ୧୨ଟା ୧୫ରେ ତୁଳସୀପୁରଠାରେ ଥିବା ଆନନ୍ଦଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ। ଆନନ୍ଦଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ର ହେଉଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପୈତୃକ ବାସଭବନ। ଏହା ପରେ ସାଢ଼େ ବାରଟାରେ ଜବାହରଲାଲ ଇଣ୍ଡୋର ଷ୍ଟାଡ଼ିୟମଠାରେ ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।
ସେଠାରୁ ରାଷ୍ଟ୍ରପତି ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଯାଇ ତୃତୀୟ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, ସ୍ୱାସ୍ଥ୍ୟ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା ଏବଂ ପୁଲିସ କମିଶନର ସମସ୍ତ କାର୍ଯ୍ୟକ୍ରମ ସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି। ଏସବୁ କାର୍ଯ୍ୟକ୍ରମ ସ୍ଥଳକୁ କଡ଼ା ସୁରକ୍ଷା ବଳୟରେ ରଖାଯାଇଛି। ଦ୍ୱୈତନଗରୀରେ କମିଶନରେଟ୍‌ ପୁଲିସ ପକ୍ଷରୁ ୮୦ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଶୁକ୍ରବାର ପୂର୍ବାହ୍ନରେ ବିଜୁ ପଟ୍ଟନାୟକ ବିମାନବନ୍ଦରଠାରୁ କଟକ ନେତାଜୀଙ୍କ ସଂଗ୍ରହାଳୟ ପର୍ଯ୍ୟନ୍ତ କାର୍‌କେଡ୍‌ ରିହରସାଲ୍‌ କରାଯାଇଥିଲା।
୧୮ତାରିଖ ସକାଳ ୭ଟା ୩୦ରୁ ୮ଟା ୧୫ ମଧ୍ୟରେ ରାଷ୍ଟ୍ରପତି ପୁରୀରେ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିବେ। ପୂର୍ବାହ୍ନ ୧୦ଟା ସମୟରେ ପୁରୀସ୍ଥିତ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ ଶତବାର୍ଷିକ ସମାରୋହରେ ଯୋଗଦେବେ। ସେଠାରୁ ଭୁବନେଶ୍ୱର ଫେରିବା ପରେ ରାଜଭବନଠାରେ ମଧ୍ୟାହ୍ନଭୋଜନର କାର୍ଯ୍ୟକ୍ରମ ରହିଛି। ଏଥିରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଓ ବିଚାରପତିମାନେ ଯୋଗଦେବେ। ଅପରାହ୍ନ ୩ଟା ୩୦ରୁ ୪ଟା ୪୫ ମଧ୍ୟରେ ଆଇଆଇଟି ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଭିଡ଼ିଓ ଲିଙ୍କ ମାଧ୍ୟମରେ ଆଇସିଟି-ଆଇଓସି ଭୁବନେଶ୍ୱରର ଉଦ୍‌ଘାଟନ କରିବେ। ଆଇଆଇଟି ଭୁବନେଶ୍ୱରଠାରେ ଅଏଲ ପିଏସୟୁର ଦକ୍ଷତା ବିକାଶ ପ୍ରତିଷ୍ଠାନର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories