www.samajalive.in
Wednesday, December 10, 2025
14.1 C
Bhubaneswar

ପୂର୍ବତନ ବିଧାୟିକା ରୋଶନୀ ସିଂଦେଓଙ୍କ ପରଲୋକ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କୋକସରା ବିଧାନସଭାର ଲଗାତାର ଦୁଇଥର ବିଧାୟିକା ହୋଇଥିବା ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓଙ୍କ ମାଆ ରୋଶନୀ ସିଂଦେଓ(୮୧)ଙ୍କର ଶୁକ୍ରବାର ସକାଳେ ଭୁବନେଶ୍ୱରସ୍ଥିତ ବାସଭବନରେ ପରଲୋକ ଘଟିଛି। ଏହି ଖବର ପ୍ରଚାରିତ ହେବା ପରେ କଳାହାଣ୍ଡି ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।

୧୯୯୪ ମସିହା ଜୁଲାଇ ମାସରେ କୋକସରା ବ୍ଲକର ଆମପାଣି ଡାକବଙ୍ଗଳାରେ ତାଙ୍କ ସ୍ୱାମୀ ଚନ୍ଦ୍ରଭାନୁ ସିଂହଦେଓଙ୍କୁ ହତ୍ୟା ଘଟଣାର ପରେ ପରେ ୧୯୯୫ ମସିହା ସାଧାରଣ ନିର୍ବାଚନରେ ଜନତାଦଳରୁ ରୋଶନୀ ସିଂଦେଓ ନିର୍ବାଚନ ଲଢି ବହୁ ଭୋଟରେ କଳାହାଣ୍ଡି ଜିଲ୍ଲାର ପ୍ରଥମ ମହିଳା ବିଧାୟିକା ଭାବରେ ନିର୍ବାଚିତ ହୋଇଥିଲେ। ପୁଣି ସେ ଦ୍ୱିତୀୟ ଥର ବିଜୁ ଜନତା ଦଳରୁ ୨୦୦୦ ରୁ ୨୦୦୪ ମସିହା ପର୍ଯ୍ୟନ୍ତ କୋକସରା ବିଧାନସଭାରୁ ବିଧାୟିକା ଭାବରେ ନିର୍ବାଚିତ ହୋଇଥିଲେ। ସ୍ୱାମୀଙ୍କ ମୃତ୍ୟୁ ପରେ ରୋଶନୀ ସିଂହଦେଓଙ୍କ ଆକସ୍ମିକ ଭାବେ ରାଜନୈତିକ କ୍ୟାରିଅର୍‍ ଆରମ୍ଭ ହୋଇଥିଲା। ତାଙ୍କ ସ୍ୱାମୀ ଚନ୍ଦ୍ରଭାନୁ ସିଂହଦେଓ ୧୯୭୪ ମସିହାରେ ସ୍ୱତନ୍ତ୍ର ପାଟିରୁ ବିଧାୟକ ହୋଇଥିଲେ। ରୋଶନୀ ସିଂହଦେଓ ଜଣେ ମାତ୍ର ମହିଳା ବିଧାୟକ ଭାବରେ ଯିଏ କି ଉତ୍ତରାଧିକାରୀ ଭାବେ ରାଜନୈତିକ କ୍ୟାରିଅର୍‍ ଆରମ୍ଭ କରିଥିଲେ। ରୋଶନୀ ୧୯୪୦ ମସିହା ଅକ୍ଟୋବର ୩ ତାରିଖରେ ଗଞ୍ଜାମ ଜିଲ୍ଲା ବଡଖେମୁଣ୍ଡିରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ସ୍ୱର୍ଗତ ରାମଚନ୍ଦ୍ର ଦେବ ଓ ମା’ ଅନଙ୍ଗ ମଞ୍ଜରୀ ଦେବୀ ଅଟନ୍ତି। ତାଙ୍କ ମା’ଅନଙ୍ଗ ମଞ୍ଜରୀ ଦେବୀ ମହନା ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ରୋଶନୀ ସିଂହଦେଓଙ୍କ ବଡପୁଅ ଜିତେନ୍ଦ୍ର ନାରାୟଣ ସିଂହଦେଓ ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଭାବରେ କାର୍ଯ୍ୟ ତୁଲାଇଥିଲେ। ସେ ମଧ୍ୟ ବିଜେଡି ଦଳର ଜିଲ୍ଲା ସଂଗଠନରେ ମଧ୍ୟ ଗୁରୁ ଦାୟିତ୍ୱ ବହନ କରି ଆସୁଛନ୍ତି। ତାଙ୍କ ସାନ ପୁଅ ପଷ୍ପେନ୍ଦ୍ର ସିଂହଦେଓ ୨୦୦୪ ରେ ବିଜେଡି ଦଳରୁ କୋକସରା ନିର୍ବାଚନ ମଣ୍ଡଳିରୁ ବିଧାୟକ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ସେ ଧର୍ମଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୦୦୯ ରୁ ୨୦୧୪ ଏବଂ ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ବିଜେଡି ଦଳରୁ ବିଧାୟକ ହେବା ସହିତ ଦୁଇଥର ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଥିଲେ। ବର୍ତ୍ତମାନ ସେ ଜିଲ୍ଲା ବିଜେଡି ଦଳର ସଭାପତି ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି।

- Advertisement -

ସ୍ୱର୍ଗତ ରୋଶନୀ ସିଂଦେଓ ଗତ କିଛିମାସ ହେଲା ବାର୍ଦ୍ଧକ୍ୟତା କାରଣରୁ ଅସୁସ୍ଥତା ଥିଲେ। ୧୧ ତାରିଖ ସକାଳ ୭ ଘଣ୍ଟା ସମୟରେ ଭୁବନେଶ୍ୱରସ୍ଥିତ ବାସଭବନରେ ଅକାଳ ବିୟୋଗ ହୋଇଯାଇଥିଲା। ଏହି ଖବର ପ୍ରଚାରିତ ହେବା ପରେ ଭୁବନେଶ୍ୱର ଠାରୁ ଆରମ୍ଭ କରି ସାରା କଳାହାଣ୍ଡି ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ଶବ ଭୁବନେଶ୍ୱରରୁ ଅଣାଯାଇ ଜୟପାଟଣାସ୍ଥିତ ବାସଭବନରେ ୧୧ ତାରିଖ ସନ୍ଧ୍ୟାରେ ପହଞ୍ଚିବା ସହିତ ଆସନ୍ତା ୧୨ ତାରିଖ ଦିନ ଜୟପାଟଣାସ୍ଥିତ ଶ୍ମଶାନରେ ଅନ୍ତିମସଂସ୍କାର କରାଯିବ ବୋଲି ତାଙ୍କ ସାନପୁଅ ପୁଷ୍ପେନ୍ଦ୍ର ସିଂଦେଓ ପ୍ରକାଶ କରିଛନ୍ତି। ଏହି ଖବର ପାଇବା ପରେ ବିଭିନ୍ନ ରାଜନୈତିକ ଦଳର ନେତୃମଣ୍ଡଳୀ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଏଆଇସିସି ସଂପାଦକ ଭକ୍ତଚରଣ ଦାସ, ଡିସିସି ସଭାପତି ଭାରତ ଭୂଷଣ ବେମାଲ, ବିଜେପି ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି, ସାଂସଦ ବସନ୍ତ କୁମାର ପଣ୍ଡା, ରାଜ୍ୟସଭା ସାଂସଦ ସୁଜିତ କୁମାର, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ନର୍ଲା ବିଧାୟକ ଭୁପେନ୍ଦ୍ର ସିଂହ, ଧର୍ମଗଡ ବିଧାୟକ ମୌଷଧି ବାଗ, ଲାଞ୍ଜିଗଡ ବିଧାୟକ, ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ, ବିଜେଡିର ଭବାନୀଶଙ୍କର ମିଶ୍ର, ଜିତେନ୍ଦ୍ର ମହାନ୍ତି, ମନିନ୍ଦ୍ର ମହାନ୍ତି, ଅବିନାଶ ଠାକୁର, ମଣ୍ଟୁ ନାଏକ ପ୍ରମୁଖ ଶୋକପ୍ରକାଶ କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories