ଖରାପ ରାସ୍ତା : ସ୍କୁଲ ଯାତାୟତରେ ପିଲାଙ୍କୁ ଅସୁବିଧା
ଝୁମ୍ପୁରା : ବର୍ଷା ଦିନ ପୂର୍ବରୁ ମାଟି ରାସ୍ତା ଗୁଡିକୁ ଠିକ୍ ଭାବରେ ମରାମତି କରାଯାଉ ନଥିବାରୁ ବର୍ଷା ଆସିଗଲେ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡୁଛି ଯାହା ଫଳରେ ଯାତାୟତ କରିବାରେ ଲୋକ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଝୁମ୍ପୁରା ବ୍ଲକର ୨୨ ଗୋଟି ପଞ୍ଚାୟତରେ ମନରେଗା ଯୋଜନାରେ ବହୁ ସଡକ ମରାମତି କାମ ହୋଇଛି । କାମ କରୁଥିବା ଠିକାଦାର ଏବଂ ଦାୟିତ୍ୱରେ ରହିଥିବା ଜିଆରଏସ୍ ଏବଂ ଯନ୍ତ୍ରୀ ମାନେ କାମ ଗୁଡିକ ଶେଷ କରୁନଥିବାରୁ ବର୍ଷା ଆସିବା ପରେ ନୂତନ ଭାବରେ କାମ ହୋଇଥିବା ରାସ୍ତା ଗୁଡିକ ଶୋଚନୀୟ ହୋଇପଡୁଛି । ଝୁମ୍ପୁରା ପଞ୍ଚାୟତର ବିଷ୍ଣୁପୁର ଭନ୍ଦ୍ରାସାହି ରାସ୍ତା ବର୍ତ୍ତମାନ ଅତ୍ୟନ୍ତ କଦର୍ଯ୍ୟ ହୋଇ ପଡିଥିବାରୁ ସ୍କୁଲ ପିଲା ଠାରୁ ଆରମ୍ଭ କରି ଗ୍ରାମବାସୀ ଯାତାୟତ କରିବାରେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହି ରାସ୍ତା ଉପରେ ଝୁମ୍ପୁରା ଗ୍ରାମର ସମସ୍ତ ଚାଷୀ ନିର୍ଭର କରି ଚାଷ ଜମିକୁ ଯାଇଥାନ୍ତି । ଏହି ମାଟି ରାସ୍ତା ଉପରେ ଦିନ ରାତି ଟ୍ରାକ୍ଟର ଠାରୁ ଅନ୍ୟ ଗାଡି ଅରଡେଇ ନଦୀକୁ ଯାତାୟତ କରୁଥିବାରୁ ମାଟି ରାସ୍ତାଟି ଦିନକୁ ଦିନ ଅଧିକ କାହୁଅ ହୋଇଯାଇଛି । ବର୍ଷା ହେଲେ ରାସ୍ତା ଉପରେ ପାଣି ଜମି ଯିବା ସହିତ ରାସ୍ତା କାଦୁଅ ହୋଇ ଯାଉଥିବାରୁ ପିଲା ମାନେ ସ୍କୁଲକୁ ଯିବା ଆସିବା କରୁଥିବା ସମୟରେ ଖସି ପଡି କାଦୁଅ ହେବା ସହିତ ବହି ବସ୍ତାନି ଭିଜି ଯାଉଛି । ପିଲାମାନେ ସ୍କୁଲକୁ ସାଇକେଲରେ ଯାତାୟତ କରିବା ସମୟରେ କାଦୁଅ ଭିତରେ ସାଇକଲ ନେଇ ଗଲା ବେଳେ ପଡିଯାଇ ଖଣ୍ଡିଆ ଖାବରା ହେବାର ନଜିର ମଧ୍ୟ ରହିଛି । ରାସ୍ତାରେ କିଛି ମାସ ପୂର୍ବରୁ ମାଟି ପଡିଥିଲା ସତ କିନ୍ତୁ ନରମ ମାଟି ଉପରେ ନାଲି ମୋରମ ପଡିନଥିବାରୁ ବର୍ଷା ଆରମ୍ଭ ହେବାରୁ ଏହି ରାସ୍ତା ଅଧିକ ବର୍ଷା ହେଲେ ସ୍କୁଲ ପିଲା ଏବଂ ସାହିବାସିନ୍ଦା କିପରି ଯାତାୟତ କରିବେ ବୋଲି ଏବେ ଠାରୁ ଆଲୋଚନା କରୁଛନ୍ତି । ଏହି କାଦୁଅ ରାସ୍ତାକୁ ଯଥା ଶିଘ୍ର ବ୍ଲକ ପ୍ରଶାସନ ମୋରମ ପକାଇ ସମତୁଲ କରି ଯାତାୟତର ସୁବିଧା କରିବା ପାଇଁ ଜନସାଧାରଣରେ ମତ ପ୍ରକାଶ ପାଉଛି।
Comments are closed.