ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ ଯୋଗୁଁ ମୃତ୍ୟୁ ଅଭିଯୋଗ, ପ୍ରତିଶ୍ରୁତି ପରେ ହଟିଲା ରାସ୍ତାରୋକ

ଗୋପାଳପୁର : ଗୋପାଳପୁର ବ୍ରହ୍ମପୁର ରାସ୍ତାର ପାର୍ବତୀପୁର ଛକଠାରେ ଆଜି ସକାଳ ୮ ଟାବେଳେ ଏକ ଦ୍ରୁତଗାମୀ ମୋଟରସାଇକେଲ ଧକ୍କାରେ ଜଣେ ପଥଚାରୀଙ୍କ ମୃତ୍ୟୁ ଘଟିଥିଲା। ଘଟଣା ଘଟିବା ପରେ ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିବା ସହ ମୋଟରସାଇକେଲ ଚାଳକଙ୍କ ପକ୍ଷରୁ ୫ ଲକ୍ଷ ଟଙ୍କାର‌ କ୍ଷତିପୂରଣ ଦେବା ଦାବିରେ ରାସ୍ତାରୋକ କରାଯାଇଥିଲା। ପ୍ରଶାସନିକ ଅଧିକାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ରେଡ଼କ୍ରସ ପାଣ୍ଠିରୁ ସହାୟତା ରାଶି ପ୍ରଦାନ ସହ ବିଳମ୍ବରେ ଆମ୍ବୁଲାନ୍ସ ପହଞ୍ଚିବା ନେଇ ତଦନ୍ତ କରାଯିବ ବୋଲି ପ୍ରତିଶୃତି ଦେବା ପରେ ପ୍ରାୟ ୨ ଘଣ୍ଟା ପରେ ରାସ୍ତା ରୋକ ହଟିଥିଲା।

ମୃତ ଜଣଙ୍କ ପାର୍ବତୀପୁରର ଗୋବିନ୍ଦ ଦାସ ବୋଲି ପୁଲିସ ସୂଚନା ଦେଇଛି। ସକାଳ ପ୍ରାୟ ୮ ଟା ବେଳେ ସେ କରାପଲ୍ଲୀ ଛକରୁ ଘରକୁ ଯିବା ସମୟରେ ବ୍ରହ୍ମପୁର ପଟୁ ଗୋପାଳପୁର ପଟକୁ ଯାଉଥିବା ଏକ ଦୃତଗାମୀ ମୋଟରସାଇକେଲ ତାଙ୍କୁ ଧକ୍କା ଦେଇ ୧୦ ମିଟର ପର୍ଯ୍ୟନ୍ତ ଘୋଷାଡି ନେଇ ଯାଇଥିଲା। ଏଥିରେ ଗୋବିନ୍ଦ ଗୁରୁତର ଆହାତ ହୋଇଥିଲେ। ଘଟଣା ନେଇ ସେଠାରେ ଉପସ୍ଥିତ ରହିଥିବା କିଛି ଲୋକେ ୧୦୮ ଆମ୍ବୁଲାନ୍ସ କୁ ଫୋନ ଯୋଗେ ଖବର ଦେଇଥିଲେ। କିନ୍ତୁ ଆମ୍ବୁଲାନ୍ସ ଆସିବାରେ‌ ବିଳମ୍ବ ହେବାରୁ ଗୋବିନ୍ଦଙ୍କ ରାସ୍ତାରେ ହିଁ ମୃତ୍ୟୁ ଘଟିଥିଲା।

ଏହି ଘଟଣା ପରେ ପରିବାର ବର୍ଗ ସମେତ ଗାଁ ଲୋକେ ଗୋପାଳପୁର ବ୍ରହ୍ମପୁର ରାସ୍ତାର ଦୁର୍ଘଟଣା ସ୍ଥଳରେ‌ ଗୋବିନ୍ଦଙ୍କ ମୃତ ଦେହ ରଖି ମୋଟରସାଇକେଲ ଚାଳକଙ୍କ ପକ୍ଷରୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ସହ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ଯୋଗୁଁ ଗୋବିନ୍ଦଙ୍କ ମୃତ ହୋଇଯିବା ପ୍ରତିବାଦରେ ପ୍ରାୟ‌ ୨ ଘଣ୍ଟା ରାସ୍ତା ରୋକ କରିଥିଲେ। ଶେଷରେ କନିଷି ତହସିଲର ଅତିରିକ୍ତ ତହସିଲଦାର ରଣବିଜୁଳି ଘଟଣାସ୍ଥଳରେ ପହଞ୍ଚି ୩୦ ହଜାର ଟଙ୍କା ରେଡକ୍ରସ ପାଣ୍ଠିରୁ ସହାୟତା ରାଶି ପ୍ରଦାନ  ସହ ମୋଟରସାଇକେଲ ଚାଳକଙ୍କ ପକ୍ଷରୁ ୨୦ ହଜାର ଓ ସମାଜସେବୀ ଶିବ ପାତ୍ର ୧୦ ହଜାର ଟଙ୍କା ପ୍ରଦାନ ପୂର୍ବକ ବୁଝାସୁଝା କରିବାରୁ ଲୋକେ ରାସ୍ତା ରୋକରୁ ହଟିବା ସହ ମୃତଦେହକୁ ବ୍ରହ୍ମପୁର ବଡ ମେଡିକାଲ ପଠାଇବାକୁ ରାଜି ହୋଇଥିଲେ।‌

Comments are closed.