ସାଧାରଣ ଲୋକଙ୍କୁ ଝଟକା, ବଢିଲା ଏଲପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ : ସେପ୍ଟେମ୍ବର ୧ରୁ ରନ୍ଧନ ଗ୍ୟାସ ସିଲିଣ୍ଡର ଦରରେ ବୃଦ୍ଧି ଘଟିଛି। ଭାରତୀୟ ତୈଳ ନିଗମ (ଆଇଓସି)ର ସୂଚନା ଅନୁସାରେ ଅଣରିଆତି ବା ବଜାରରେ ବିକ୍ରି ହେଉଥିବା ରନ୍ଧନ ଗ୍ୟାସ (ଏଲପିଜି) ସିଲିଣ୍ଡର ଦରରେ ପାଖାପାଖି ୧୬ ଟଙ୍କା ବୃଦ୍ଧି ଘଟିଛି। ବର୍ଦ୍ଧିତ ଦର ଏବଂ ଅନ୍ୟାନ୍ୟ ଟିକସ ଲାଗୁ ହେବା ପରେ ଦେଶର ପ୍ରମୁଖ ମହାନଗରଗୁଡ଼ିକରେ ଏହାର ଦାମ ଭିନ୍ନ ରହିଛି। ଏଲପିଜି ଦରରେ ବୃଦ୍ଧି ଏବେ ସାଧାରଣ ଲୋକଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି।

ଏହି କ୍ରମରେ ଜାତୀୟ ରାଜଧାନୀ ଦିଲ୍ଲୀରେ ୧୪.୨ କିଲୋର ଅଣରିଆତି ରନ୍ଧନ ଗ୍ୟାସ (ଏଲପିଜି) ସିଲିଣ୍ଡର ଦର ୧୬ ଟଙ୍କା ବୃଦ୍ଧି ପାଇ ୫୯୦ ଟଙ୍କାରେ ପହଞ୍ଚିଛି। କଲକତାରେ ଏହାର ଦର ୬୧୬ ଟଙ୍କା ୫୦ ପଇସାରେ ପହଞ୍ଚିଛି। ସେହିପରି ମୁମ୍ବଇ ଏବଂ ଚେନ୍ନଇରେ ୧୪.୨ କିଲୋର ଅଣରିଆତି ଏଲପିଜି ସିଲିଣ୍ଡର ଦର ଯଥାକ୍ରମେ ୫୬୨ ଟଙ୍କ ଏବଂ ୬୦୬ ଟଙ୍କା ୫୦ ପଇସା ହୋଇଛି। ୧୯ କିଲୋର ଏଲପିଜି ସିଲିଣ୍ଡର ଦର ଦିଲ୍ଲୀରେ ୧୦୫୪ ଟଙ୍କା ୫୦ ପଇସା, କଲକତାରେ ୧୧୧୪ ଟଙ୍କା ୫୦ ପଇସା, ମୁମ୍ବଇରେ ୧୦୦୮ ଟଙ୍କା ୫୦ ପଇସା ଏବଂ ଚେନ୍ନଇରେ ୧୧୭ ଟଙ୍କା ୫୦ ପଇସାରେ ପହଞ୍ଚିଛି। ଏହା ପୂର୍ବରୁ ଅଗଷ୍ଟରେ ଅଣରିଆତି ଏଲପିଜି ସିଲିଣ୍ଡର ଦାମ ୬୨ ଟଙ୍କା ୫୦ ପଇସା ହ୍ରାସ ପାଇଥିଲା। ଉପଭୋକ୍ତାଙ୍କୁ ଅଗଷ୍ଟ ମାସରେ ୧୪.୨ କିଲୋର ରିଆତିଯୁକ୍ତ ଏଲପିଜି ସିଲିଣ୍ଡର ପାଇଁ ୫୪୭ ଟଙ୍କା ୫୦ ପଇସା ଦେବାକୁ ପଡୁଥିଲା। ଜୁଲାଇରେ ରିଆତିଯୁକ୍ତ ଏଲପିଜି ସିଲିଣ୍ଡର ଦର ୬୩୭ ଟଙ୍କା ରହିଥିଲା। ସେହିପରି ଅଗଷ୍ଟରେ ୧୪.୨ କିଲୋର ଅଣରିଆତି ଏଲପିଜି ସିଲିଣ୍ଡର ଦର ଦିଲ୍ଲୀରେ ୫୪୭ ଟଙ୍କା ୫୦ ପଇସା, କଲକତାରେ ୬୦୧ ଟଙ୍କା, ମୁମ୍ବଇରେ ୫୪୬ ଟଙ୍କା ଏବଂ ଚେନ୍ନଇରେ ୫୯୦ ଟଙ୍କା ୫୦ ପଇସା ରହିଥିଲା। ଚଳିତ ବର୍ଷ ଜୁଲାଇର ପ୍ରଥମ ସପ୍ତାହରେ ଅଣରିଆତି ଏଲପିଜି ସିଲିଣ୍ଡର ଦରରେ ୧୦୦ ଟଙ୍କା ୫୦ ପଇସା ହ୍ରାସ ଘଟିଥିଲା।

Comments are closed.