ଗଞ୍ଜେଇ ଚାଲାଣ ଅଭିଯୋଗ, ବାପପୁଅ ଗିରଫ
ରେଙ୍ଗାଲିକ୍ୟାମ୍ପ: ଅତାବିରା ଥାନା ଅଧୀନରେ ଥିବା ଗୋଡଭଗା ଛକକୁ ସଂଯୋଗ କରୁଥିବା ଗୋଡଭଗା-ତୁରୁମ ରାସ୍ତା ଦେଇ ବହୁ ଦିନରୁ ଗଞ୍ଜେଇ ଚାଲାଣ ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଥିଲା। କିନ୍ତୁ ଅଭିଯୁକ୍ତମାନେ ଧରା ପଡୁ ନଥିଲେ। ପୁଲିସ ତାଙ୍କୁ ପ୍ରମାଣ ସହ ଧରିବାକୁ ଚେଷ୍ଟା କରି ଆସୁଥିଲା। ଗୋଡ଼ଭଗା ଫାଣ୍ଡିର ଦୁଇଜଣ କନଷ୍ଟେବଳ ଗୋପାଳ ନାଏକ ଓ ମନୋରଞ୍ଜନ ଲୁହା ଚତୁରତାର ସହ ଲୋକଙ୍କର ଯିବା ଆସିବା ଲକ୍ଷ୍ୟ କରିବା ସହ ବିଭିନ୍ନ ଦୋକାନରୁ ଲୋକଙ୍କ କଥାବାର୍ତ୍ତାରୁ ଦୁଇଜଣ ବାଇକ୍ ଆରୋହୀଙ୍କୁ ସନ୍ଦେହ କରିଥିଲେ।
ନୀତି ଦିନିଆ ଭାବେ ଉକ୍ତ ବାଇକରେ ବାପପୁଅ ମିଶି ଏକ ପଲିଥିନ ବ୍ୟାଗରେ କିଛି ଧରି ଆସୁଥିବା ଦେଖି ତାଙ୍କୁ ପିଛା କରିଥିଲେ। ତାଙ୍କର ସନ୍ଦେହଟି ସତ୍ୟ ବୋଲି ଯେତେବେଳେ ସେମାନେ ଜାଣିବାକୁ ପାଇଲେ, ତା ପରେ ଫାଣ୍ଡି ଅଧିକାରୀ ପ୍ରଫୁଲ୍ଲ ପୁରୋହିତଙ୍କୁ ଏ ବିଷୟରେ ଜଣାଇ ଥିଲେ। ଫଳରେ ଫାଣ୍ଡି ଅଧିକାରୀ ଶ୍ରୀ ପୁରୋହିତଙ୍କ ତତ୍ତ୍ୱାବଧାନରେ ପୁଲିସ ଦଳ ବଳ ସହ ଚଢ଼ାଉ କରାଯାଇ ପୋଡବାଡ଼ି ଛକରେ ସନ୍ଦେହ ଘେରକୁ ଆସିଥିବା ସେହି ବାଇକକୁ ଅଟକାଇ ଯାଞ୍ଚ କରିଥିଲେ।
ଯାଞ୍ଚ ପ୍ରକ୍ରିୟା ବେଳେ ଏକ ବ୍ୟାଗରେ ଥିବା ୫କେଜି ଗଞ୍ଜେଇକୁ ଜବତ କରିବା ସହ ବ୍ୟବହୃତ ବାଇକ ଓଡ଼ି ୩୧-ଏଫ-୨୩୮୨ କୁ ଜବତ କରିଥିଲେ। ଘଟଣାରେ ସଂପୃକ୍ତ ଥିବା ଦେଶ ଭଟଳିର ରଞ୍ଜିତ ସେନ(୫୯)କୁ କୋର୍ଟ ଚାଲାଣ କରାଯାଇଛି ଏବଂ ଘଟଣା ସହ ଲିପ୍ତ ଥିବା ରଞ୍ଜିତଙ୍କ ନାବାଳକ ପୁଅକୁ ସୁଧାର ଗୃହକୁ ପଠାଇ ଦିଆଯାଇଛି ବୋଲି ଥାନା ସୂତ୍ରରୁ ଜଣାପଡ଼ିଛି। ଅତିରିକ୍ତ ତହସିଲଦାର ଅଙ୍କିତ ପଣ୍ଡା, ଥାନା ଅଧିକାରୀ ସୁକୁମାର ତ୍ରିପାଠୀ, କନଷ୍ଟେବଳ ଗୋପାଳ ନାଏକ, ମନୋରଞ୍ଜନ ଲୁହା, ହୋମଗାର୍ଡ ଦୁଷ୍ମନ୍ତ ପାଶୟତ ଓ ଗୋବିନ୍ଦ ମହାନନ୍ଦ ଚଢ଼ାଉରେ ସାମିଲ ହୋଇଥିଲେ।
Comments are closed.