ସରକାରଙ୍କୁ ୧.୭୬ ଲକ୍ଷ କୋଟି ଟଙ୍କା ଦେବ ଆରବିଆଇ
ମୁମ୍ବଇ : ବିମଳ ଜାଲାନ କମିଟିଙ୍କ ସୁପାରିଶକୁ ମଞ୍ଜୁରୀ ପ୍ରଦାନ କରିବା ପୂର୍ବକ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ସରକାରଙ୍କୁ ବଳକା ଅର୍ଥରୁ ୧.୭୬ ଲକ୍ଷ କୋଟି ଟଙ୍କା ପ୍ରଦାନ କରିବ ବୋଲି ସୋମବାର ସୂଚନା ପ୍ରଦାନ କରିଛି। ଏହା ଦ୍ୱାରା ଅର୍ଥନୀତିର ମାନ୍ଦାବସ୍ଥାରୁ ମୁକୁଳି ହେବ ବୋଲି ଆଶା କରାଯାଉଛି।
ଆରବିଆଇର ବଳାକା ପାଣ୍ଠି (ସରପ୍ଲସ ଫଣ୍ଡ)ରୁ ସରକାରଙ୍କୁ କେତେ ଟଙ୍କା ମଳିବ ତାହା ନିର୍ଣ୍ଣୟ କରିବା ପାଇଁ ଗତ ବର୍ଷ ଡିସେମ୍ବରରେ ଆରବିଆଇର ପୂର୍ବତନ ଗଭର୍ଣ୍ଣର ବିମଳ ଜାଲାନଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା। ଏହି କ୍ରମରେ ଜାଲାନ କମିଟି ସୁପାରିଶ କରିଥିଲେ ଯେ ୧ ଲକ୍ଷ ୨୩ ହଜାର ୪୧୪ କୋଟି ଟଙ୍କା ୨୦୧୮-୧୯ ବର୍ଷର ବଳକା ଭାବେ ଏବଂ ୫୨ ହଜାର ୬୩୭ କୋଟି ଟଙ୍କା ସଂଶୋଧିତ ଇକୋନୋମିକ କ୍ୟାପିଟାଲ ପ୍ରେମୱାର୍କ (ଇସିଏଫ) ଅନୁସାରେ ଧାର୍ଯ୍ୟ ଅତିରିକ୍ତ ପ୍ରାବଧାନରେ ପ୍ରଦାନ କରାଯିବ। ନଗଦ ବଳକାକୁ ନେଇ କେନ୍ଦ୍ରୀୟ ବ୍ୟାଙ୍କ ଏବଂ ସରକାରଙ୍କ ମଧ୍ୟରେ ଲାଗିରହିଥିବା ବିବାଦର ସମାଧାନ ପାଇଁ ଆରବିଆଇର ପୂର୍ବତନ ଗଭର୍ଣ୍ଣର ଉର୍ଜିତ ପଟେଲ ଗତବର୍ଷ ଡିସେମ୍ବରରେ ନିଜ ପଦରୁ ଇସ୍ତଫା ଦେଇଥିଲେ। ବିଭିନ୍ନ ଅନୁମାନ ଅନୁସାରେ ଆରବିଆଇ ପାଖରେ ୯ ଲକ୍ଷ କୋଟି ଟଙ୍କା ବଳକା ପାଣ୍ଠି ଅଛି। ଏହା ଆରବିଆଇର ମୋଟ ସମ୍ପତ୍ତି (ଧନ)ର ପ୍ରାୟ ୨୮% ଅଟେ। ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ଅନ୍ୟ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ନିଜ ମୋଟ ସମ୍ପତ୍ତିର ୧୪% ସଞ୍ଚୟ ପାଣ୍ଠି ବା ରିଜର୍ଭ ଫଣ୍ଡରେ ରଖୁଛନ୍ତି। ଆରବିଆଇର ଏହି ବଳାକା ଟଙ୍କା ଆର୍ଥିକ ନିଅଣ୍ଟ ନିୟନ୍ତ୍ରଣରେ ସହାୟକ ହେବ ବୋଲି ଆଶା କରାଯାଉଛି। ସରକାର ଚଳିତ ଆର୍ଥିକ ବର୍ଷରେ ଜିଡିପିର ୩.୩% ପାଖାପାଖି ଆର୍ଥିକ ନିଅଣ୍ଟର ଲକ୍ଷ୍ୟ ରଖିଥିଲେ। ବଳକା ଅର୍ଥ ବ୍ୟତୀତ ଚଳିତ ଆର୍ଥିକ ବର୍ଷରେ ଆରବିଆଇ ସରକାରଙ୍କୁ ଲାଭାଂଶ ବାବଦ ୯୦ ହଜାର କୋଟି ଟଙ୍କା ପ୍ରଦାନ କରିବ। ଆରବିଆଇ ଗତବର୍ଷ ଲାଭାଂଶ ବାବଦ ସରକାରଙ୍କୁ ୬୮ ହଜାର କୋଟି ଟଙ୍କା ପ୍ରଦାନ କରିଥିଲା।
ଆରବିଆଇର ସଞ୍ଚୟ ପାଣ୍ଠି (ରିଜର୍ଭ ଫଣ୍ଡ) ଧାର୍ଯ୍ୟ କରିବା ପାଇଁ ପୂର୍ବରୁ ୩ଟି କମିଟି ଗଠନ କରାଯାଇଥିଲା। ସୁବ୍ରମଣ୍ୟମ କମିଟି (୧୯୯୭), ଉଷା ଥୋରାଟ କମିଟି (୨୦୦୪) ଏବଂ ଆଇଏସ ମାଲେଗାମ କମିଟି (୨୦୧୩) ମଧ୍ୟରୁ ପ୍ରଥମ ଦୁଇଟି କମିଟି ଯଥାକ୍ରମେ ୧୨% ଏବଂ ୧୮% ରିଜର୍ଭ ଫଣ୍ଡ ରଖିବାରୁ ସୁପାରିଶ କରିଥିଲେ। ଆରବିଆଇ ବୋର୍ଡ ଥୋରାଟ କମିଟିର ସୁପାରିଶକୁ ମାନିନଥିଲା। କେବଳ ସୁବ୍ରମଣ୍ୟମ କମିଟିର ସୁପାରିଶ ଅନୁସାରେ ସଞ୍ଚୟ ପାଣ୍ଠି ରଖାଯାଉଥିଲା। ମାଲେଗାମ କମିଟି ସଞ୍ଚୟ ପାଣ୍ଠି ପାଇଁ କୌଣସି ସଂଖ୍ୟା କହିନଥିଲେ କେବଳ ପ୍ରତିବର୍ଷ ପ୍ରର୍ଯ୍ୟାପ୍ତ ଅର୍ଥ ସରକାରଙ୍କୁ ଦେବାକୁ କହିଥିଲେ।
Comments are closed.