ଆଜି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା; ବଳଭଦ୍ରଙ୍କ ପହଣ୍ଡି ବିଜେ ଆରମ୍ଭ, ନିର୍ଦ୍ଧାରିତ ସମୟ ଅନୁଯାୟୀ ୩ ଘଣ୍ଟା ପୂର୍ବରୁ ସରିଛି ସମସ୍ତ ନୀତିକାନ୍ତି

ପୁରୀ: ଆଜି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଏହି ଅବସରରେ ଚଳଚଞ୍ଚଳ ରହିଛି ଶ୍ରୀକ୍ଷେତ୍ର ପୁରୀ । ସିଂହଦ୍ୱାର ନିକଟରେ ଶ୍ରୀଜୀଉଙ୍କୁ ତିନିରଥ ଅପେକ୍ଷା କରିଥିବା ବେଳେ ପ୍ରଥମେ ଗୋଟି ପହଣ୍ଡିରେ ରଥରେ ବିଜେ କରିଛନ୍ତି ଚକ୍ରରାଜ ସୁଦର୍ଶନ । ଦ୍ୱିତୀୟରେ ବଡ଼ ଭାଇ ବଳଭଦ୍ରଙ୍କ ପହଣ୍ଡି ବିଜେ ଆରମ୍ଭ ​‌ହୋଇଛି  । ପରେ ପରେ ଭଉଣୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଜଗନ୍ନାଥ ରଥରେ ବିଜେ କରିବେ । ରଥରେ ମହାପ୍ରଭୁଙ୍କ ସମସ୍ତ ରୀତିନୀତି ସମ୍ପନ୍ନ ହେବା ପରେ ଗଜପତି ମହାରାଜ ଛେରା ପହଁରା କରିବା ପରେ ରଥରୁ ଚାରମାଳ ଫିଟାଯାଇ ରଥଟଣା ଆରମ୍ଭ ହେବ ।

ରଥ ଯାତ୍ରା ପାଇଁ ସମସ୍ତ ଚୂଡ଼ାନ୍ତ ପ୍ରସ୍ତୁତି ଶେଷ ହୋଇଛି । ଚତୁର୍ଦ୍ଧାମୂରତିଙ୍କୁ ମାଉସୀ ମା’ ମନ୍ଦିରକୁ ନେଇଯିବାକୁ ପ୍ରସ୍ତୁତ ଅଛନ୍ତି ରଥ, ପଥ ଏବଂ ଭକ୍ତ । କରୋନା ପାଇଁ ୨ ବର୍ଷ ପରେ ବଡ଼ ଦାଣ୍ଡରେ ଏକାଠି ହେବେ ଭକ୍ତ ଓ ଭଗବାନ । ଗତ ଦୁଇ ବର୍ଷ ହେଲା କରୋନା କଟକଣା ଯୋଗୁ ଭକ୍ତ ଓ ଭଗବାନଙ୍କ ଏକାଠିକୁ ବାରଣ କରିଥିଲା ପ୍ରଶାସନ ଓ ସରକାର । ଅର୍ଥାତ୍‌ ବିନା ଭକ୍ତରେ ସେବାୟତ ଓ ପୁଲିସ ପ୍ରଶାସନ ଦ୍ୱାରା ପୁରୀରେ ରଥଯାତ୍ରା ଅନୁଷ୍ଠିତ ହେଉଥିଲା । କେବଳ ଟିଭି ମାଧ୍ୟମରେ ମହାପ୍ରଭୁଙ୍କ ଦର୍ଶନ କରିପାରୁଥିଲେ ଭକ୍ତ ।

prayash

କିନ୍ତୁ ଚଳିତ ବର୍ଷ କରୋନା କଟକଣା ହଟିଥିବାରୁ ବଡ଼ ଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳିନ ଦେଖିବାକୁ ମିଳିବ । ଏଥି ପାଇଁ ପ୍ରଶାସନ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିବା ବେଳେ ସୁରୁଖୁରୁରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ସମ୍ପନ୍ନ କରାଯାଉଛି । ଭୋର ୩ଟା ସମୟରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ସରିଥିବା ବେଳେ ସଢ଼େ ୩ଟା ସମୟରେ ମଇଲମ ନୀତି ସମ୍ପନ୍ନ ହୋଇଛି । ନିର୍ଦ୍ଧାରିତ ସମୟ ଅନୁଯାୟୀ ସାଢ଼େ ୨ଟାରେ ରଥରେ ଛେରା ପହଁରା କରାଯିବ । ପୁରୀ ରାଜା ଗଜପତି ମହାରାଜ ପାଲିଙ୍କିରେ ଆସି ଛେରା ପହଁରା କରିବେ ।

ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ହେଲେ ନିର୍ଦ୍ଧାରିତ ସମୟ ଅନୁଯାୟୀ ୩ ଘଣ୍ଟା ପୂର୍ବରୁ ସମସ୍ତ ନୀତିକାନ୍ତି ସରିଥିବା କୁହାଯାଉଛି । ତେଣୁ ମହାପ୍ରଭୁଙ୍କ ରଥ  ଅପରାହ୍ଣ ୪ଟା ପୂର୍ବରୁ ଗଡ଼ିବ ବୋଲି ଆଶା କରାଯାଉଛି ।

kalyan agarbati

Comments are closed.