ଭୁବନେଶ୍ୱର: ଓଡ଼ିଶାର ଦୁଇଜଣ ଉଦୀୟମାନ ଖେଳାଳୀ ରଞ୍ଜନ ସୋରେନ୍ ଏବଂ ସୁନୀଲ ସୋରେନ୍ଙ୍କୁ ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତିବିଦ୍ୟା, କ୍ରୀଡା ଏବଂ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ସମ୍ବର୍ଦ୍ଧିତ କରିଛନ୍ତି। ଲୋକସେବା ଭବନସ୍ଥିତ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ଉତ୍ସବରେ କୋଚ୍ ଜୟଦେବ ମହାପାତ୍ର ଉପସ୍ଥିତ ଥିଲେ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ ଉଭୟଙ୍କ କଠିନ ପରିଶ୍ରମ ଏବଂ ଅଦମ୍ୟ ଚେଷ୍ଟା ପାଇଁ ଆଜି ଓଡ଼ିଶା ଫୁଟବଲ ଜଗତ ଗର୍ବିତ। ଆଗାମୀ ଦିନରେ ଏହି ଦୁଇ ଖେଳାଳୀ ତାଙ୍କ କ୍ରୀଡ଼ା ନୈପୁଣ୍ୟତାରେ ଉନ୍ନତି ଆଣି ଉଚ୍ଚ ମାନର ପ୍ରଦର୍ଶନ ସହ ଅଧିକ ସଫଳତା ଆଣନ୍ତୁ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ ।
ଏଠାରେ ସୂଚନାଯୋଗ୍ୟ ଯେ ୨୦୦୫ରେ ଜନ୍ମଲାଭ କରିଥିବା ଭୁବନେଶ୍ୱର ସାଲିଆ ସାହି ଅଞ୍ଚଳର ରଞ୍ଜନ ସୋରେନ୍ଙ୍କୁ ୧୬ ବର୍ଷରୁ କମ ଭାରତୀୟ ଫୁଟବଲ୍ ଦଳ ପାଇଁ ମନୋନୟନ କରାଯାଇଛି। ସେ ଆସନ୍ତା ନଭେମ୍ବର ୨୦ ତାରିଖରେ ଭାରତୀୟ କ୍ୟାମ୍ପରେ ଯୋଗଦେବେ। ଏଥି ସହିତ ରଞ୍ଜନ ସୋରେନ୍ ମାତ୍ର ୧୫ ବର୍ଷ ବୟସରେ ଓଡ଼ିଶାର ସର୍ବକନିଷ୍ଠ ଖେଳାଳୀ ଭାବେ ୨୦୨୦-୨୧ ବର୍ଷ ଲାଗି ପଞ୍ଜାବ ଏଫ୍ସି ବୃତ୍ତିଗତ ଚୁକ୍ତି ସ୍ୱାକ୍ଷର କରିଛନ୍ତି।
ସେହିପରି ପଞ୍ଜାବ ଏଫ୍ସି ପାଇଁ ଖେଳୁଥିବା ଭୁବନେଶ୍ୱର ସାଲିଆ ସାହି ଅଞ୍ଚଳର ସୁନୀଲ ସୋରେନ୍ ମଧ୍ୟ ପଞ୍ଜାବ ଏଫ୍ସି ସହିତ ୨୦୨୦-୨୧ ବର୍ଷ ପାଇଁ ବୃତ୍ତିଗତ ଚୁକ୍ତି ସ୍ୱାକ୍ଷର କରିଛନ୍ତି।



