www.samajalive.in
Tuesday, December 9, 2025
26.1 C
Bhubaneswar

ରାଜ୍ୟସଭା ଯିବେ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡ଼ା ; କଂଗ୍ରେସ ଦେବ ସମର୍ଥନ

ବେଙ୍ଗାଲୁରୁ/ନୂଆଦିଲ୍ଲୀ : କଂଗ୍ରେସ ସମର୍ଥନରେ ନିଜ ରାଜ୍ୟ କର୍ଣ୍ଣାଟକରୁ ରାଜ୍ୟସଭା ନିର୍ବାଚନ ଲଢ଼ିବେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି ଦେବେଗୌଡ଼ା। ଗତ ଲୋକସଭା ନିର୍ବାଚନରେ ଟୁମ୍‌କୁର ଆସନରୁ ମାତ୍ର ୧୩ହଜାର ଭୋଟ୍‌ରେ ପରାଜିତ ହୋଇଥିବା ୮୭ ବର୍ଷୀୟ ଦେବେଗୌଡ଼ାଙ୍କୁ ସଂସଦକୁ ଆଣିବା ପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଗ୍ରହ ପ୍ରକାଶ କରିବା ସହ ସମର୍ଥନ ଘୋଷଣା କରିଛନ୍ତି। କଂଗ୍ରେସର ସମର୍ଥନକୁ ଦେବେଗୌଡ଼ା ସ୍ବୀକାର କରିବା ସହ ପ୍ରତିଦ୍ବନ୍ଦ୍ବିତା ପାଇଁ ସମ୍ମତି ଜଣାଇଛନ୍ତି। ଲୋକସଭା ନିର୍ବାଚନରେ ପରାଜିତ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼୍‌ଗେଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିବାବେଳେ ଦଳର ବଳକା ୧୬ ଭୋଟ୍‌ କାହାକୁ ଦିଆଯିବ ସେ ନେଇ ବିଚାରବିମର୍ଶ ଚାଲିଥିଲା। ଏହି ପରିପ୍ରେକ୍ଷୀରେ ସୋନିଆ ଦେବେଗୌଡ଼ାଙ୍କୁ ସମର୍ଥନ ସମ୍ପର୍କରେ ଘୋଷଣା କରିଛନ୍ତି। ଏଥିସହିତ ଜନତା ଦଳ (ଏସ୍‌) ପକ୍ଷରୁ ଦେବେଗୌଡ଼ାଙ୍କୁ ରାଜ୍ୟସଭାକୁ ପଠାଯିବା ପାଇଁ ନିଷ୍ପତ୍ତି ହୋଇଛି ଏବଂ କଂଗ୍ରେସ ତାଙ୍କୁ ସମର୍ଥନ ଘୋଷଣା କରିଛି। ଆସନ୍ତା ୧୯ରେ କର୍ଣ୍ଣାଟକର ୪ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାକୁ ଅଛି। ପ୍ରତି ପ୍ରାର୍ଥୀଙ୍କୁ ବିଜୟ ପାଇଁ ୪୮ଟି ପ୍ରଥମ ପସନ୍ଦ ଭୋଟ୍‌ ଆବଶ୍ୟକ। ବିଧାୟକଙ୍କ ସଂଖ୍ୟା ଦୃଷ୍ଟିରୁ ବିଜେପି ସହଜରେ ଦୁଇଟି ଆସନ ହାସଲ କରିବାର କ୍ଷମତା ରଖିଥିବାବେଳେ କଂଗ୍ରେସ ଗୋଟିଏରେ ଜିତିବା ନିଶ୍ଚିତ। ଜେଡି(ଏସ୍‌) ନିକଟ‌େ‌ର ବଳକା ୩୪ ବିଧାୟକ ଥିବାବେଳେ ଚତୁର୍ଥ ଆସନରେ ବିଜୟ ପାଇଁ ଆଉ ୧୪ ବିଧାୟକଙ୍କ ସମର୍ଥନ ଆବଶ୍ୟକ; ଯାହା କଂ‌ଗ୍ରେସରୁ ମିଳିଯିବ।
୧୯୬୨ରୁ ପ୍ରତ୍ୟକ୍ଷ ନିର୍ବାଚନ ମାଧ୍ୟମରେ ବିଧାନସଭା ଓ ଲୋକସଭାକୁ ପ୍ରବେଶ କରିଆସିଥିବା ଦେବେଗୌଡ଼ା କେବଳ ୧୯୯୬ରେ ପ୍ରଧାନମନ୍ତ୍ରୀ ହେବାବେଳେ ମାତ୍ର ଦୁଇ ବର୍ଷ ପାଇଁ ରାଜ୍ୟସଭା ସଦସ୍ୟ ଥିଲେ। ଦେବେଗୌଡ଼ା ଜୀବନକାଳରେ ମୋଟ ୧୬ଟି ନିର୍ବାଚନ ଲଢ଼ିଥିବାବେଳେ ସେଥିମଧ୍ୟରୁ ୭ଟି ବିଧାନସଭା ଓ ୬ଟି ଲୋକସଭା ନିର୍ବାଚନରେ ବିଜୟ ହାସଲ କରିଛନ୍ତି। ସମ୍ପ୍ରତି ସେ ରାଜ୍ୟସଭାକୁ ପ୍ରବେଶ ପାଇଁ ଅନାଗ୍ରହୀ ଥିଲେ ବୋଲି ଜଣାପଡ଼ିଛି। ଅପରପକ୍ଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରାମେୟାଙ୍କ ନେତୃତ୍ବରେ ରାଜ୍ୟ କଂଗ୍ରେସର ଏକ ପ୍ରଭାବଶାଳୀ ଗୋଷ୍ଠୀ ଦେବେଗୌଡ଼ାଙ୍କୁ ସମର୍ଥନ କରିବାକୁ ରାଜି ନ ଥିଲେ ମଧ୍ୟ ସୋନିଆଙ୍କ ନିଷ୍ପତ୍ତିକୁ ଅବମାନନା କରିପାରୁ ନାହାନ୍ତି। କଂଗ୍ରେସ ଦ୍ବିତୀୟ ପ୍ରାର୍ଥୀ ଦେଇ ଜେଡି(ଏସ୍‌) ଭୋଟ୍‌ ଭାଙ୍ଗିଥିଲେ ଭଲ ହୋଇଥାଆନ୍ତା ବୋଲି ସିଦ୍ଧରାମେୟା ଗୋଷ୍ଠୀ କହୁଛନ୍ତି; କିନ୍ତୁ ଦେବେଗୌଡ଼ା ପ୍ରଭାବଶାଳୀ ଭୋକାଲିଙ୍ଗା ସମ୍ପ୍ରଦାୟର ହୋଇଥିବାରୁ ପ୍ରକାଶରେ କଂଗ୍ରେସ କିମ୍ବା ବିଜେପି ସୋନିଆଙ୍କ ନିଷ୍ପତ୍ତି ବିରୋଧରେ ମୁହଁ ଖୋଲୁ ନାହାନ୍ତି। ରାଜ୍ୟ କଂଗ୍ରେସ ସଭାପତି ଡି.କେ ଶିବକୁମାର ନିଜେ ଏହି ସମ୍ପ୍ରଦାୟର ନେତା। ଦେବେଗୌଡ଼ା ରାଜ୍ୟସଭାରେ ପ୍ରବେଶ କରିବା ପରେ ମନମୋହନ ସିଂହଙ୍କ ପରେ ସେ ଦ୍ବିତୀୟ ପ୍ରଧାନମନ୍ତ୍ରୀ ଭାବେ ଏହି ଗୃହରେ ସଦସ୍ୟତା ଲାଭ କରିବେ। ମନମୋହନ ନିକଟରେ ରାଜସ୍ଥାନରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି।

Hot this week

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

Related Articles

Popular Categories