ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ହରିୟାଣାର ପଞ୍ଚକୁଲାରୁ ରବିବାର ପୁଣି ଥରେ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି। ରାଜନାଥ କହିଛନ୍ତି, ପାକିସ୍ତାନ ସହିତ ସେତେବେଳେ ଆଲୋଚନା ହେବ, ଯେତେବେଳେ ସେ ଆତଙ୍କବାଦକୁ ସମର୍ଥନ ବନ୍ଦ କରିବ। ଯଦି ବି ପାକିସ୍ତାନ ସହିତ କେବେ ଆଲୋଚନା ହୁଏ, ତେବେ ତାହା କେବଳ ପିଓକେ(ପାକିସ୍ତାନ ଅଧିକୃତ କାଶ୍ମୀର) ଉପରେ ହିଁ ହେବ। ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଉପରେ ରାଜନାଥ ଆଲୋକପାତ କରିଥିଲେ। ଜାମ୍ମୁ-କାଶ୍ମୀରର ବିକାଶ ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ସେ କହିଥିଲେ।
ରାଜନାଥ ଆହୁରି କହିଥିଲେ, କିଛିଦିନ ତଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହୁଥିଲେ ଯେ ଭାରତ ବାଲାକୋଟଠାରୁ ବି ବଡ଼ ପଦକ୍ଷେପ ନେବାକୁ ଯୋଜନା କରୁଛି। ଏହାର ଅର୍ଥ ହେଉଛି ପାକିସ୍ତାନ ପ୍ରଧାନମନ୍ତ୍ରୀ ସ୍ବୀକାର କରୁଛନ୍ତି ଯେ, ଭାରତ ବାଲାକୋଟରେ କ’ଣ କରିଥିଲା।



