www.samajalive.in
Sunday, December 14, 2025
23.1 C
Bhubaneswar

ଶ୍ରୀମନ୍ଦିର ନାଟ ମଣ୍ଡପ ଛାତରୁ ଗଳୁଛି ପାଣି

ପୁରୀ : ଶ୍ରୀମନ୍ଦିର ନାଟମଣ୍ଡପ ଛାତରୁ ଗଳୁଛି ବର୍ଷାପାଣି। ଗରୁଡ଼ ସ୍ତମ୍ଭ ନିକଟରେ ପାଣି ଜମାହେଉଛି। ଏଥିଯୋଗୁଁ ଅସୁରକ୍ଷିତ ହୋଇଛି ଐତିହ୍ୟ ଗରୁଡ଼ ସ୍ତମ୍ଭ। ମରାମତି ନହେବାରୁ ଫାଟ ମେଲିବାରେ ଲାଗିଛି। ଭୋଗ ମଣ୍ଡପ ଘର ପଶ୍ଚିମ ପାର୍ଶ୍ବରେ ଥିବା ନାଟ ମଣ୍ଡପରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଗରୁଡ଼ ସ୍ତମ୍ଭ ଉପରେ ପାଣି ପଡୁଛି। ଏହାସତ୍ତ୍ବେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ବୈଷୟିକ କୋର୍‌ କମିଟି ସୁପାରିସକୁ ଏଏସଆଇ ଚପାଇ ରଖିଛି। ତେଣୁ ଯଥାଶୀଘ୍ର ନାଟମଣ୍ଡପ ଉପର ଛାତ ମରାମତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଏସଆଇ ଅଧୀକ୍ଷକଙ୍କୁ ଚିଠି ଲେଖାଯାଇଛି। ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥାର ଅବହେଳା ଯୋଗୁଁ ଚିଠିରେ ଅସନ୍ତୋଷ ପ୍ରକାଶ କରିଛି ମନ୍ଦିର ପ୍ରଶାସନ। କେବଳ ନାଟ ମଣ୍ଡପ ନୁହେଁ, ମହାଲକ୍ଷ୍ମୀ ମନ୍ଦିର ଗର୍ଭଗୃହରୁ ପାଣି ଗଳୁଛି। ଅସରାଏ ବର୍ଷାହେଲେ ମହାଲକ୍ଷ୍ମୀ ମନ୍ଦିର ଗର୍ଭଗୃହ ବାମ ପାର୍ଶ୍ବରୁ ପାଣି ଝରୁଛି। ଝୁଲଣ ମଣ୍ଡପ ଦକ୍ଷିଣ-ପଶ୍ଚିମ କୋଣରେ ପାଣି ଗଳୁଥିଲେ ମଧ୍ୟ ଦୀର୍ଘଦିନ ଧରି ତା’ର ମରାମତି କରାଯାଉ ନାହିଁ। ସେହିପରି ବଟ ଜଗନ୍ନାଥ ମନ୍ଦିର କୁରୁମବେଢ଼ା ପଛ ପାର୍ଶ୍ବରେ ପାଣି ଗଳୁଥିବା ଜଣାପଡ଼ିଛି। ମଦନମୋହନ ମନ୍ଦିର ଛାତରୁ ପାଣି ଗଳୁଥିବା ଯୋଗୁଁ ସେବାପୂଜା ବାଧାପ୍ରାପ୍ତ ହୋଇଛି। ପୂର୍ତ୍ତ ବିଭାଗର ମୁଖ୍ୟଯନ୍ତ୍ରୀ (ଡିଜାଇନ୍‌) ଡ. ନାରାୟଣ ଚନ୍ଦ୍ର ପାଲ୍‌ଙ୍କ ନେତୃତ୍ବରେ ଏକ ବିଶେଷଜ୍ଞ ଦଳ ରଥଯାତ୍ରା ସମୟରେ ଜୁଲାଇ ୩ରେ ଶ୍ରୀମନ୍ଦିରର ବିଭିନ୍ନ ସ୍ଥାନ ଅନୁଧ୍ୟାନ କରିଥିଲେ। ନାଟ ମଣ୍ଡପରେ ଥିବା ଗରୁଡ଼ ସ୍ତମ୍ଭ ନିକଟରେ ପାଣି ଗଳୁଥିବାରୁ ତା’ର ଜରୁରୀ ମରାମତି ପାଇଁ ବିଶେଷଜ୍ଞ ସୁପାରିସ୍‌ କରିଥିଲେ। ଏହାଛଡ଼ା ପାର୍ଶ୍ବ ଦେବଦେବୀ ମନ୍ଦିରଗୁଡ଼ିକୁ କମିଟିର ସଭ୍ୟମାନେ ଅନୁଧ୍ୟାନ କରିଥିଲେ। ମହାଲକ୍ଷ୍ମୀ ମନ୍ଦିର ଗର୍ଭଗୃହ ସମେତ ଝୁଲଣ ମଣ୍ଡପ ଦକ୍ଷିଣ-ପଶ୍ଚିମ ପାର୍ଶ୍ବ ଛାତ ମରାମତି ପାଇଁ ରିପୋର୍ଟରେ ସୁପାରିସ କରାଯାଇଛି।
ଶ୍ରୀମନ୍ଦିର ଭିତରେ ରହିଥିବା ଆଉ କେତେକ ପାର୍ଶ୍ବ ଦେବଦେବୀ ମନ୍ଦିର ଗର୍ଭଗୃହ ଏବଂ ଜଗମୋହନରୁ ପାଣି ଗଳୁଥିବା ଜଣାପଡ଼ିଛି। ବୈଷୟିକ କମିଟି ସୁପାରିସ ସତ୍ତ୍ବେ ୨ମାସ ଧରି ନାଟ ମଣ୍ଡପ, ମହାଲକ୍ଷ୍ମୀ ମନ୍ଦିର ଗର୍ଭଗୃହ, ଝୁଲଣ ମଣ୍ଡପ, ମଦନମୋହନଙ୍କ ଦକ୍ଷିଣଘର ଏବଂ ବଟ ଜଗନ୍ନାଥ ମନ୍ଦିର ଛାତ ମରାମତି କରାଯାଇ ନାହିଁ। ଏଏସ୍‌ଆଇ ପକ୍ଷରୁ ପ୍ରସ୍ତୁତ ବାର୍ଷିକ ରକ୍ଷଣାବେକ୍ଷଣ ଏବଂ ମରାମତି ତାଲିକା କେବଳ କାଗଜପତ୍ରରେ ସୀମିତ ‌େ‌ହାଇ ରହିଛି। ଏଥିଯୋଗୁଁ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ଏ ସମ୍ପର୍କରେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)ର କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories