
ଓଡ଼ିଶାରେ ମେଟ୍ରୋ ରେଳ ଦ୍ୱନ୍ଦ୍ୱ

ଭାରତରେ ମେଟ୍ରୋ ରେଳ ସେବା ୧୯୮୪ ମସିହାରୁ ଉପଲବ୍ଧ; କିନ୍ତୁ ପୃଥିବୀର ଅନ୍ୟାନ୍ୟ ବିକଶିତ ଦେଶରେ ଏହି ସେବା ବହୁ ପୁରାତନ। ସହରର ଅସ୍ୱାଭାବିକ ଭିଡ଼କୁ ଦୃଷ୍ଟିରେ ରଖି ତ୍ୱରିତ ଗମନାଗମନ ବା ଯାତ୍ରୀ ପରିବହନ ପାଇଁ ମେଟ୍ରୋ ରେଳ ସେବାର ଆରମ୍ଭ ହୋଇଥିଲା। ଇତିହାସ କହେ ବ୍ରିଟିଶ ନାଗରିକ, ରାଜନୀତିଜ୍ଞ ତଥା ଲଣ୍ଡନ ସହରର ସଲିସିଟର ଚାର୍ଲସ ପିଆରସନ ୧୮୪୩ ମସିହାରେ ପ୍ରଥମେ ଏହି ମେଟ୍ରୋ ରେଳସେବା ପ୍ରକଳ୍ପ ପାଇଁ ଚେଷ୍ଟା କରିଥିଲେ ଏବଂ ତା’ଙ୍କ ଚେଷ୍ଟା ସଫଳ ରୂପାୟଣ ହେବାର ବର୍ଷକ ପୂର୍ବରୁ ତାଙ୍କର ଦେହାନ୍ତ ହୋଇ ଯାଇଥିଲା। ୧୮୬୩ରେ ପ୍ରଥମେ ଲଣ୍ଡନରେ ମେଟ୍ରୋ ସେବା କାର୍ଯ୍ୟକାରୀ ହୋଇଥିଲା, ସେତେବେଳେ ଭୂମିଗତ ରେଳରେ ବାଷ୍ପୀୟ ଇଂଜିନ ବ୍ୟବହୃତ ହେଉଥିବାରୁ ଯାତ୍ରୀ ସେବା ପାଇଁ ନିରାପଦ ନ ଥିଲା, ରେଳ ଇଞ୍ଜିନରୁ ବାହାରୁଥିବା ଅତ୍ୟଧିକ ଧୂଆଁ ଟନେଲ ଭିତରେ ଅସ୍ୱାଭାବିକ ଅବସ୍ଥା ସୃଷ୍ଟି କରୁଥିଲା। ଫଳରେ ସେତେବେଳେ କେବଳ ମାଲ ପରିବହନ କାର୍ଯ୍ୟ ପାଇଁ ଏହି ମେଟ୍ରୋ ରେଳକୁ ବ୍ୟବହାର କରାଯାଉଥିଲା। ସମୟ ବଦଳିବା ସହିତ ବିଜ୍ଞାନର ଉନ୍ନତି ଫଳରେ ବିଦ୍ୟୁତ୍ ଚାଳିତ ଇଞ୍ଜିନର ବ୍ୟବହାର ହେଲା। ୧୮୯୦ ମସିହାରେ ପୃଥିବୀର ସର୍ବପ୍ରଥମ ଭୂମିଗତ ମେଟ୍ରୋ ରେଳ ସେବା ଲଣ୍ଡନ ସହରରେ ଆରମ୍ଭ ହୋଇଥିଲା। ୨୦୨୫ ମସିହାରେ ଆମେ ଆସି ପହଞ୍ଚିଲୁଣି। ଦୀର୍ଘ ୧୩୫ ବର୍ଷ ଧରି ପୃଥିବୀର ଅନେକ ଛୋଟବଡ଼, ଧନୀ, ମଧ୍ୟବିତ୍ତ ରାଷ୍ଟ୍ରରେ ଏହି ମେଟ୍ରୋ ସେବା ବହୁଳ ପରିମାଣରେ ଦୃଷ୍ଟିଗୋଚର ହେଉଛି ଏବଂ ଦିନକୁ ଦିନ ଏହାର ଲୋକପ୍ରିୟତା ଶୀର୍ଷ ସ୍ଥାନରେ ପହଞ୍ଚି ଗଲାଣି।
ପୃଥିବୀର ସବୁଠାରୁ ଦୀର୍ଘତମ ମେଟ୍ରୋ ରେଳ ସେବା ଦକ୍ଷିଣ କୋରିଆର ସିଓଲ୍ ସହରରେ ଦେଖିବାକୁ ମିଳେ। ପ୍ରାୟ ୯୩୦ କିଲୋମିଟରର ପରିବ୍ୟାପ୍ତ ଏହି ସେବା ସିଓଲବାସୀଙ୍କୁ ବ୍ୟସ୍ତବହୁଳ ଟ୍ରାଫିକରୁ ରକ୍ଷା କରିବାରେ ସାହାଯ୍ୟ କରୁଛି। ପୃଥିବୀର ବଛାବଛା ଦଶଟି ମେଟ୍ରୋ ସେବାକୁ ଯଦି ଦେଖିବା ତେବେ, ୧- ନ୍ୟୁୟର୍କ ମେଟ୍ରୋ ସେବା ୨୪ ଘଣ୍ଟା ୪୭୨ ଟି ଷ୍ଟେସନକୁ ସଂଯୋଗ କରିଥାଏ, ୨- ସବୁଠାରୁ ଦ୍ରୁତଗାମୀ ମେଟ୍ରୋ ସେବା ପାଇଁ ସାଂଘାଇ (ଚୀନ) ପ୍ରସିଦ୍ଧ। ଏହା ୮୩୧ କିଲୋମିଟର ରେଳପଥ ସହିତ ୫୦୮ଟି ଷ୍ଟେସନକୁ ଯୋଡ଼ିଥାଏ, ୩- ବେଜିଂ ମେଟ୍ରୋ ସେବା ୮୭୯ କିଲୋମିଟର ରେଳପଥ ଉପରେ ୫୨୩ ଷ୍ଟେସନକୁ ଯୋଡ଼ିଥାଏ, ୪- ସିଓଲ ମେଟ୍ରୋ ସେବା, ୫-ପ୍ୟାରିସ୍ ମେଟ୍ରୋ ସେବା ୨୨୫ କି.ମି ଲମ୍ବା ଏବଂ ଏହା ୩୦୮ ଷ୍ଟେସନକୁ ଯୋଡିଥାଏ, ୬- ମାଦ୍ରିଦ (ସ୍ପେନ) ମେଟ୍ରୋ ସେବା ୨୯୩ କି:ମି ରେଳପଥରେ ୩୦୨ ଷ୍ଟେସନକୁ ସଂଯୋଗ କରିଥାଏ, ୭-ଲଣ୍ଡନ ଭୂମିଗତ ମେଟ୍ରୋ ସେବା ୧୮୯୦ ମସିହାରୁ ସେବା ଯୋଗାଇ ଆସୁଛି, ବର୍ତ୍ତମାନ ଏହା ୪୦୨ କି:ମି ରେଳ ଧାରଣା ସହିତ ୨୭୨ ଷ୍ଟେସନକୁ ସଂଯୋଗ କରୁଛି, ୮- ଗୁଆଙ୍ଗଯୋଉ (ଚୀନ) ମେଟ୍ରୋ ସେବା ୭୦୨.୯୯ କି.ମି ପରିବ୍ୟାପ୍ତ ଏହା ୩୫୩ଟି ଷ୍ଟେସନକୁ ସଂଯୋଗ କରୁଛି, ୯-ମସ୍କୋ (ରୁଷିଆ) ମେଟ୍ରୋସେବା ୪୬୬.୬୨ କି:ମି ରେଳପଥରେ ୨୭୧ଟି ଷ୍ଟେସନକୁ ସଂଯୋଗ କରୁଛି, ୧୦-ନୂଆଦିଲ୍ଲୀ ମେଟ୍ରୋସେବା ୩୯୪ କି:ମି ରେଳପଥ ଉପରେ ୨୮୯ଟି ଷ୍ଟେସନକୁ ସଂଯୋଗ କରୁଛି। ହଂକଂ ୨୭୦ କି.ମି ମେଟ୍ରୋ ରେଳପଥରେ ୯୮ଟି ଷ୍ଟେସନ, କୁଆଲାଲୁମ୍ପୁର ୨୧୦ କି.ମି ମେଟ୍ରୋ ପଥରେ ୧୪୪ଟି ଷ୍ଟେସନ, ସିଙ୍ଗାପୁରରେ ୨୪୨.୬ କି.ମି ପଥରେ ୧୪୩ଟି ଷ୍ଟେସନ ରହିଅଛି।
ଲଣ୍ଡନ ସହରରୁ ଭାରତର କଲକାତା ମହାନଗରୀର ଆକାଶପଥରେ ଦୂରତ୍ୱ ପ୍ରାୟ ୭,୯୫୭ କିଲୋମିଟର। ଲଣ୍ଡନ ମେଟ୍ରୋ ସେବା ଆରମ୍ଭର ୯୬ ବର୍ଷ ପରେ ଆମେ ଭାରତୀୟମାନେ ଏହି ମେଟ୍ରୋ ରେଳସେବାର ସ୍ୱାଦ ଚାଖିଲୁ। ସେ ଯାହାହେଉ ୧୯୮୪ ମସିହା ଅକ୍ଟୋବର ୨୪ରେ ଭାରତରେ ପ୍ରଥମେ କଲକାତା ମହାନଗରୀରେ ଭୂମିଗତ ରେଳ ସେବା ଆରମ୍ଭ ହୋଇଥିଲା। ରୁଷିଆର ସହଯୋଗରେ ଏହି ପ୍ରକଳ୍ପ ଖୁବ୍ ସୁନ୍ଦର ରୂପେ କାର୍ଯ୍ୟ କରିପାରିଛି। ବର୍ତ୍ତମାନ କଲକାତା ମହାନଗରୀର ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନକୁ ମେଟ୍ରୋ ସେବା ଦ୍ୱାରା ସଂଯୁକ୍ତ କରାଯାଇଛି। ଫଳରେ ସହରରେ ଅନେକ ଭିଡ଼ କମିଯାଇଛି। ଏପରି କି ଗଙ୍ଗା ନଦୀର ୧୩ ମିଟର ତଳେ ଏକ ଟନେଲ୍ କରାଯାଇ ହାଓଡ଼ା ଷ୍ଟେସନଠାରୁ କଲକାତାକୁ ସଂଯୋଗ ହୋଇପାରିଛି। ଦାୟିତ୍ୱବାନ୍ ଇଞ୍ଜିନିଅର, ବୈଜ୍ଞାନିକ ଜ୍ଞାନ କୌଶଳ, ଜନତାଙ୍କ ସହଯୋଗ ତଥା ସରକାରଙ୍କ ଆଗ୍ରହ ଦ୍ୱାରା ଏହା ସମ୍ଭବ ହୋଇଛି। ‘ମୋଟେ ନହେବା ଠାରୁ ବରଂ ବିଳମ୍ବରେ ହେବା’ ଆମ ପାଇଁ ଶୁଭଙ୍କର ବୋଲି ଆମେ ଭାବି ନେବା ଉଚିତ ହେବ।
ଭାରତରେ ବର୍ତ୍ତମାନ ୧୯ଟି ସହରରେ ମେଟ୍ରୋ ରେଳସେବା ଉପଲବ୍ଧ ଏବଂ ନିକଟ ଭବିଷ୍ୟତରେ ଆହୁରି କିଛି ନୂତନ ସହରକୁ ଏହି ସେବା ଯୋଗାଇ ଦେବାର ଯୋଜନା ସରକାର ହାତକୁ ନେଇଛନ୍ତି। ବର୍ତ୍ତମାନ ମେଟ୍ରୋ ସେବା ଯୋଗାଉଥିବା ସହରଗୁଡିକ ହେଲା- କଲକାତା, ନୂଆଦିଲ୍ଲୀ, ବେଙ୍ଗାଳୁରୁ, ଗୁରୁଗ୍ରାମ, ମୁମ୍ବଇ, ଜୟପୁର, ଚେନ୍ନଇ, କୋଚି, ଲକ୍ଷ୍ନୌ, ହାଇଦରାବାଦ, ନୋଏଡା, ପୁଣେ, କାନପୁର, ଅାଦିତ୍ୟନଗର, ଇନ୍ଦୋର, ଭୋପାଳ, ବାରାଣସୀ, ଅହମ୍ମଦାବାଦ ଏବଂ ନାଗପୁର। ଆଗାମୀ ଦିନରେ ମେଟ୍ରୋ ସେବା ପାଇବାକୁ ଥିବା ସହରଗୁଡି଼କ ହେଲା- ତିରୁଅନନ୍ତପୁରମ୍, କୋଏମ୍ବାଟୁର, ପାଟନା, ଗୌହାଟୀ, ସୁରତ, ବିଶାଖାପାଟଣା, ନାଭି ମୁମ୍ବଇ, ଗାନ୍ଧିନଗର, ନାଗପୁର ଏବଂ ନୋଏଡାର କିଛି ଅଂଶ।
ଓଡ଼ିଶା ପରି ପ୍ରଦେଶ ଆଜି ଏହି ସେବାରୁ ବଞ୍ଚିତ କାହିଁକି? ଏହାର ଉତ୍ତର କିଏ ଦେବ? ଯେତେବେଳେ ଏହି ପ୍ରକଳ୍ପ କଥା ଉଠେ କିଛି ନା କିଛି ଆଳ ଦେଖାଇ ଏହାକୁ ବନ୍ଦ କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚାଲେ। କାରଣ ଏହା କାର୍ଯ୍ୟକ୍ଷମ ହେଲେ ହୁଏତ ଶହଶହ ବସ ମାଲିକଙ୍କ ଦାନାପାଣି କମିଯିବ, ଅଧିକାଂଶ କରିତ୍କର୍ମା ବ୍ୟକ୍ତି ତଥା ପଦାଧିକାରୀଙ୍କ ବସ୍ ବ୍ୟବସାୟ ରହିଛି। ଯେଉଁମାନେ ପ୍ରତିଦିନ ଲୋକାଲ ବସରେ ଯାତ୍ରା କରନ୍ତି ସେହିମାନେ ହିଁ ଜାଣନ୍ତି ଏହାର କଷ୍ଟ କେତେ ? କ୍ଷମତାଠାରୁ ଅଧିକ ଯାତ୍ରୀଙ୍କୁ ଘରୋଇ ବସ୍ରେ ଖୁନ୍ଦାଖୁନ୍ଦି କରି ପଶୁତୁଲ୍ୟ ପରିବହନ କରାହୁଏ। କିଛି ରାଜନେତା ଓ ଅସହିଷ୍ଣୁଙ୍କ ବିରୋଧ ପାଇଁ ଓଡିଶା ଆଜି ମେଟ୍ରୋ ପ୍ରକଳ୍ପରୁ ବଞ୍ଚିତ ହେବାକୁ ଯାଉଛି। ଏହା ଆମ ପାଇଁ ଦୁର୍ଭାଗ୍ୟ କହିଲେ ଅତ୍ୟୁକ୍ତି ହେବନାହିଁ। ମେଟ୍ରୋ ସେବା ପାଇଁ ପ୍ରଥମେ ଅନେକ ଅର୍ଥ ବ୍ୟୟ କରିବାକୁ ପଡିବ; କିନ୍ତୁ ଏହା ଭବିଷ୍ୟତରେ ସରକାରଙ୍କୁ ଅନେକ ଲାଭ ଦେବା ସହିତ ପରିବହନ ବ୍ୟବସ୍ଥାକୁ ପ୍ରଦୂଷଣ ରହିତ କରିବ।
ପ୍ରଦୂଷଣ ବିହୀନ, ତ୍ୱରିତ ବାତାନୁକୂଳିତ ଯାତ୍ରା ଦ୍ୱାରା ସହର ସହିତ ସହରକୁ ଯୋଡିବା ସମ୍ଭବପର ହୁଏ। ଏହାଦ୍ୱାରା ସମୟର ଅପଚୟକୁ ମଧ୍ୟ ରୋକି ହେବ। ବିଗତ ସରକାର କେନ୍ଦ୍ରର ବିରୋଧ ସତ୍ତ୍ବେ ଦିଲ୍ଲୀ ମେଟ୍ରୋ ବା ଡିଏମଆରସି ସହିତ ବୁଝାମଣା କରି ଭୁବନେଶ୍ୱର ବିମାନବନ୍ଦରରୁ କଟକ ତ୍ରିଶୂଳିଆ ପର୍ଯ୍ୟନ୍ତ ନିଜସ୍ୱ ଖର୍ଚ୍ଚରେ ମେଟ୍ରୋ ସଂଯୋଗ କରିବାକୁ ନିଷ୍ପତ୍ତି ନେଇ କାର୍ଯ୍ୟ ଆରମ୍ଭ କରିଥିଲେ। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି। କେନ୍ଦ୍ରର ବିରୋଧ ସତ୍ତ୍ବେ ଓଡ଼ିଶାବାସୀଙ୍କ ଆଶାକୁ ସାକାର କରିବାର ଚେଷ୍ଟା କରିଥିଲେ। ଇତିମଧ୍ୟରେ ନୂତନ ସରକାର ଆସିବାର ଏକବର୍ଷ ପୂରିଛି। ସରକାର ଭୁବନେଶ୍ୱର ସହରର ସୌନ୍ଦର୍ଯ୍ୟକୁ ଦ୍ୱାହି ଦେଇ ଉପରେ ଯିବାକୁ ଥିବା ମେଟ୍ରୋ ରେଳପଥକୁ ଭୂମିଗତ କରିବାକୁ ଆଗ୍ରହୀ ବୋଲି ମନ୍ତ୍ରୀ କହିଛନ୍ତି। ସରକାର ତଥା ଖୋସାମଦ କରୁଥିବା ବାବୁ, ଯନ୍ତ୍ରୀମାନେ ଜାଣିରଖିବା ଉଚିତ ଯେ, ସେମାନେ ନେଉଥିବା ନିଷ୍ପତ୍ତି କେତେଦୂର ବ୍ୟୟବହୁଳ ହେବାକୁ ଯାଉଛି। ଭୁବନେଶ୍ୱରଠାରେ ଭୂମିତଳେ କେବଳ ପଥର ଏବଂ ଏହାକୁ ଖୋଳି ଭୂମିଗତ ମେଟ୍ରୋ ପ୍ରକଳ୍ପ କରିବା ଠିକ୍ ହେବ ନା ଏଲିଭେଟେଡ୍ ବା ଭୂମି ଉପରେ ନେବା ଠିକ୍ ହେବ? ଏଠାରେ ସୌନ୍ଦର୍ଯ୍ୟକୁ ଦ୍ୱାହି ଦେଇ ଗରିବର କଷ୍ଟ ଅର୍ଜିତ ଟିକସ ଟଙ୍କାକୁ ନେଇ ବିଚିତ୍ର ରାଜନୀତି ଚାଲିଛି। ପୂର୍ବ ନିର୍ଦ୍ଧାରିତ ମେଟ୍ରୋ ଯାଉଥିବା ରାସ୍ତାର ଉଭୟ ପାର୍ଶ୍ୱରେ ମେଟ୍ରୋ ରେଳକୁ ନଜର ରଖି ଜମି ମାଫିଆମାନେ ଜମିଗୁଡିକ ୪ରୁ ୮ଗୁଣ ଅଧିକ ଦରରେ ବିକ୍ରି କରିଦେଲେ। ବର୍ତ୍ତମାନ କ୍ରେତା ଭକୁଆ, ଦଲାଲ ଲାଭବାନ। ଜନତାଙ୍କ ସେବା ପାଇଁ ରାଜନୀତି ଉଦ୍ଦିଷ୍ଟ ହେବା ଉଚିତ। ଗତ ସରକାରଙ୍କ ଭଲ କାମକୁ ବାହାବାହା କରିବା, ଖରାପ କାମକୁ ଇଙ୍ଗିତ କରିବା ସହିତ ସଜାଡି ନେବା ଭଲ ରାଜନେତାଙ୍କ କର୍ତ୍ତବ୍ୟ; କିନ୍ତୁ ଦଳୀୟ ରାଜନୀତି, ପ୍ରଜ୍ଞାପନ, ବିଜ୍ଞାପନ, ଆତ୍ମବଡ଼ିମା, ଅନ୍ୟାୟକୁ ଦଳୀୟ ଚାପରେ ପ୍ରତ୍ୟେକ କର୍ମୀ ମାନିନେବା ଏକ ସାଧାରଣ କଥା ହୋଇଛି।
ଓଡ଼ିଶାର ରାଜଧାନୀ ଭୁବନେଶ୍ବରର ଐତିହ୍ୟକୁ ଗୁରୁତ୍ୱ ଦେଇ ଏହି ସହରକୁ ପୃଥିବୀ ପ୍ରସିଦ୍ଧ ଶ୍ରୀକ୍ଷେତ୍ର ପୁରୀ ପର୍ଯ୍ୟନ୍ତ ଖୋରଧା ଦେଇ ସଂଯୋଗ କରିବା ସହିତ କଟକକୁ ମଧ୍ୟ ସଂଯୋଗ କରିହେବ। ମାର୍ଗ ସଂଖ୍ୟା ୧- ଭୁବନେଶ୍ୱର ବିମାନ ବନ୍ଦରରୁ ଖୋର୍ଦ୍ଧା ସହର ଦେଇ ଶ୍ରୀକ୍ଷେତ୍ର ପୁରୀ ପର୍ଯ୍ୟନ୍ତ; ମାର୍ଗ ସଂଖ୍ୟା ୨- ଭୁବନେଶ୍ୱର ବିମାନ ବନ୍ଦରରୁ କଟକ ସହର, ହାଇକୋର୍ଟ, ବାରବାଟୀ ଷ୍ଟାଡିୟମ, ବଡ଼ ମେଡିକାଲ ହୋଇ ଚୌଦ୍ୱାର ପର୍ଯ୍ୟନ୍ତ ମେଟ୍ରୋ ସେବା ଯଦି ସରକାରଙ୍କ ଚେଷ୍ଟାରେ ହୋଇପାରିବ, ତେବେ ହୁଏତ ଆଗାମୀ ୫୦ ବର୍ଷ ପର୍ଯ୍ୟନ୍ତ ଗମନାଗମନ ପାଇଁ କୌଣସି ଅସୁବିଧା ପରିଲକ୍ଷିତ ହେବ ନାହିଁ। ରାଜନୈତିକ ଦଳ, ବଳ, ରାଜନୀତିଠାରୁ ଊର୍ଦ୍ଧ୍ବରେ ରହି ଓଡ଼ିଶା ପାଇଁ ଏକ ସୁନ୍ଦର ଯୋଜନାକୁ ଯଦି ରୂପ ଦେଇ ପାରିଲେ ତେବେ ଏହା ଓଡିଶା ପ୍ରଦେଶ ପାଇଁ ଏକ ଗର୍ବ ହୋଇ ରହିବ। ତେବେ ଏହି ଭୂମିଗତ ମେଟ୍ରୋ ପ୍ରକଳ୍ପ କେବେ ସରିବ? ଜନତା କେବେ ମେଟ୍ରୋ ରେଳ ଚଢ଼ିବାର ସୁଯୋଗ ପାଇବେ, ଓଡିଶା ସରକାର ଏହାର ସମୟ ନିର୍ଦ୍ଧାରଣ କରି କହିବେ କି; ନା ଏହା ଏକ ଧୂଆଁବାଣ ପାଲଟିବ?
ଝାଞ୍ଜିରୀମଙ୍ଗଳା, କଟକ
Comments are closed.