ମହିଳା ସଂରକ୍ଷଣ ଭଳି ତିନି ତଲାକ ଓ ନିକହା ହଲାଲା ବିଧେୟକକୁ ରାହୁଲ ସମର୍ଥନ କରନ୍ତୁ : ବିଜେପି

0

ନୂଆଦିଲ୍ଲୀ : ମହିଳା ସଂରକ୍ଷଣ ବିଧେୟକକୁ ସଂସଦରେ ଗୃହୀତ କରାଇବା ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ପତ୍ର ଲେଖିବା ପରେ ସରକାରଙ୍କ ପକ୍ଷରୁ ଏକ ନୂଆ ବୁଝାମଣା ଉପସ୍ଥାପନ କରାଯାଇଛି। ରାହୁଲଙ୍କ ନିକଟରେ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଉପସ୍ଥାପନ କରିଥିବା ବୁଝାମଣା ଅନୁଯାୟୀ ମହିଳା ସଂରକ୍ଷଣ ବିଧେୟକ ସହିତ ତିନି ତଲାକ ଓ ନିକହା ହଲାଲା ଭଳି ବିଧେୟକକୁ ଏକତ୍ର ଗୃହୀତ କରାଇବାରେ କଂଗ୍ରେସ ସହଯୋଗ କରୁ। ଏହି ତିନିଟି ବିଧେୟକକୁ ଗୃହୀତ କରାଇବାରେ ଉଭୟ ଗୃହରେ କଂଗ୍ରେସ ଓ ବିଜେପି ପରସ୍ପରର ସହଯୋଗ କରିବେ।
ରବିଶଙ୍କରଙ୍କ ଏହି ବୁଝାମଣା ପରେ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ ଡକାଇ କହିଛି ଯେ ମହିଳା ସଂରକ୍ଷଣ ବିଧେୟକ ବିଜେପିର ନିର୍ବାଚନ ଇସ୍ତାହାରର ଅଂଶବିଶେଷ। ୨୦୧୪ ଲୋକସଭା ନିର୍ବାଚନ ସମୟରେ ବିଜେପି ମହିଳା ସଂରକ୍ଷଣ ବିଧେୟକ ଗୃହୀତ କରାଇବାକୁ ପ୍ରତିଶ୍ରୁତି ଦେଇଥିଲା। କଂଗ୍ରେସ ଏହି ବିଧେୟକକୁ ଗୃହୀତ କରାଇବାକୁ ଦାବି କରିଥିବାବେଳେ ଆଇନ ମନ୍ତ୍ରୀ ସର୍ତ୍ତ ଆରୋପ କରୁଛନ୍ତି। ମନ୍ତ୍ରୀ ଜଣେ ବେପାରୀ ଭଳି ଦେବା ଓ ନେବାର ସର୍ତ୍ତ ରଖିଛନ୍ତି। ମହିଳା ସଂରକ୍ଷଣ ବିଧେୟକ ବଦଳରେ ବିଜେପି ତିନି ତଲାକ ଓ ନିକାହ ହଲାଲା ବିଧେୟକ ଗୃହୀତ କରିବାକୁ ସର୍ତ୍ତ ରଖିଛି। ଲୋକସଭା ଓ ପ୍ରତ୍ୟେକ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ଆସନ ସଂରକ୍ଷଣ କରିବା ଉଦ୍ଦେଶ୍ୟରେ ମହିଳା ସଂରକ୍ଷଣ ବିଧେୟକ ଆଗତ କରାଯାଇଛି।

Leave A Reply