ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମ ଟ୍ବିଟର ସରକାରଙ୍କ ପ୍ରଭାବରେ ପ୍ରଭାବିତ ହୋଇ ଦେଶର ରାଜନୈତିକ ପ୍ରକ୍ରିୟାରେ ହସ୍ତକ୍ଷେପ କରୁଛି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଅଭିଯୋଗ କରିଛନ୍ତି। ରାହୁଲଙ୍କ ସମେତ କଂଗ୍ରେସର କେତେକ ନେତାଙ୍କ ଆକାଉଣ୍ଟକୁ ଟ୍ବିଟର ଅଚଳ କରିଥିବାବେଳେ କଂଗ୍ରେସ ନେତା ଏପରି ଅଭିଯୋଗ କରିଛନ୍ତି। ରାହୁଲ କହିଛନ୍ତି ଯେ ଟ୍ବିଟର ଏକ ନିରପେକ୍ଷ ସାମାଜିକ ଗଣମାଧ୍ୟମ ହୋଇ ରହି ନାହିଁ। ଏହା ସରକାରଙ୍କ କଥା ଶୁଣୁଛି। ଟ୍ବିଟରର ଏପରି କାର୍ଯ୍ୟ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ବିପଦ। ରାହୁଲ କହିଛନ୍ତି ‘ମୋର ଟ୍ବିଟର ଆକାଉଣ୍ଟକୁ ଅଚଳ କରି ସେମାନେ ଆମ ରାଜନୈତିକ ପ୍ରକ୍ରିୟାରେ ହସ୍ତକ୍ଷେପ କରୁଛନ୍ତି। ଆମର ରାଜନୈତିକ ଭବିଷ୍ୟତ ନିର୍ଦ୍ଧାରଣ କରିବା ଲାଗି ଏକ କମ୍ପାନୀ ଦେଶରେ ବ୍ୟବସାୟ କରୁଛି। ଜଣେ ରାଜନେତା ଭାବେ ମୁଁ ଏହାକୁ ପସନ୍ଦ କରେ ନାହିଁ।’
ରାହୁଲଙ୍କ ଟ୍ବିଟର ଅନୁଗାମୀଙ୍କ ସଂଖ୍ୟା ପ୍ରାୟ ୨କୋଟି। ଜଣେ ନାବାଳିକା ବଳାତ୍କାରୀ ପୀଡିତାଙ୍କ ପରିବାରକୁ ରାହୁଲ ଭେଟିବାକୁ ଯାଇଥିବାବେଳେ ପୀଡିତାଙ୍କ ପରିବାର ଫଟୋକୁ ଟ୍ବିଟରରେ ପୋଷ୍ଟ କରିବାରୁ ଟ୍ବିଟର ତାଙ୍କ ଆକାଉଣ୍ଟକୁ ବନ୍ଦ କରିଦେଇଥିଲା। ଗୁରୁବାର ଦଳର ମୁଖପାତ୍ର ରଣଦୀପଙ୍କ ସହ ୫ ନେତାଙ୍କ ଟ୍ବିଟର ଆକାଉଣ୍ଟକୁ ଅଚଳ କରାଯାଇଛି।



