www.samajalive.in
Monday, December 8, 2025
13.1 C
Bhubaneswar

ଆଜି ଆସୁଛନ୍ତି ରାହୁଲ: ଡ୍ରାଇଭର ମହାସଂଘ କହିଲା- କଂଗ୍ରେସ ଗାଡ଼ି ଅଟକାଇବୁନି

ଭୁବନେଶ୍ବର: ଆସନ୍ତାକାଲି (ଶୁକ୍ରବାର) ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେ, ଏଆଇସିସି ସାଧାରଣ ସମ୍ପାଦକ (ସଙ୍ଗଠନ) କେ.ସି ଭେନୁଗୋପାଳ। ଏଥିପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ଓପିସିସି) ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବରମୁଣ୍ଡା ପଡ଼ିଆ ଓ କଂଗ୍ରେସ ଭବନ ଚଳଚଞ୍ଚଳ ହୋଇଛି। ସମ୍ବିଧାନ ବଞ୍ଚାଅ, ଦେଶ ବଞ୍ଚାଅ ନାରା ଦେଇ ରାହୁଲ ଓଡ଼ିଶା ଆସୁଥିବା ବେଳେ ବରମୁଣ୍ଡା ପଡ଼ିଆରେ ଆୟୋଜିତ ହେବ ସଭାକାର୍ଯ୍ୟ। ତେବେ ରାହୁଲଙ୍କ ସଭା ପୂର୍ବରୁ କଂଗ୍ରେସକୁ ଡ୍ରାଇଭର ମହାସଂଘ ତରଫରୁ ଆଶ୍ବସ୍ତି ମିଳିଛି। କଂଗ୍ରେସର ସଭାକୁ ଆସୁଥିବା କୌଣସି ଗାଡ଼ିକୁ ଅଟକା ଯିବନି ବୋଲି ଡ୍ରାଇଭର ମହାସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏନେଇ ପୂର୍ବରୁ କଂଗ୍ରେସ ପକ୍ଷରୁ ମହାସଂଘକୁ ଚିଠି ଲେଖାଯାଇ ଅନୁରୋଧ କରାଯାଇଥିଲା। ମହାସଂଘ ଏହା ଉପରେ ବିଚାର କରି ଉପରୋକ୍ତ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ତେବେ ରାଜ୍ୟ ସରକାର ସେମାନଙ୍କୁ ଦାବି ପୂରଣ ନ କରିବା ପର୍ଯ୍ୟନ୍ତ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି। ପୂର୍ବାହ୍ଣ ସାଢ଼େ ୯ଟାରେ ରାହୁଲ ଦିଲ୍ଲୀରୁ ସ୍ବତନ୍ତ୍ର ବିମାନରେ ଆସି ୧୧ଟା ୩୦ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସିଧାସଳଖ ବରମୁଣ୍ଡା ପଡ଼ିଆ ଯିବେ। ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ୧ଟା ୪୫ ମିନିଟ ପର୍ଯ୍ୟନ୍ତ ସଭାକାର୍ଯ୍ୟ ଚାଲିବ। ଅପରାହ୍ଣ ୩ଟାରେ ରାହୁଲ, ଖଡ୍‌ଗେ ଏବଂ ଭେନୁଗୋପାଳ କଂଗ୍ରେସ ଭବନରେ ରାଜନୈତିକ ବ୍ୟାପାର କମିଟି, ପିସିସି ସଭାପତି, ବିଧାୟକଙ୍କ ସହିତ ସାଙ୍ଗଠନିକ ବିଷୟରେ ଆଲୋଚନା କରିବେ। ଅପରାହ୍ଣ ୪ଟା ୪୫ମିନିଟରେ କଂଗ୍ରେସ ଭବନରୁ ବିମାନ ବନ୍ଦର ଅଭିମୁଖେ ବାହାରି ସନ୍ଧ୍ୟା ୫ଟାରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।
ତେବେ ‘ସମ୍ବିଧାନ ବଞ୍ଚାଅ, ଦେଶ ବଞ୍ଚାଅ’ ମହାସମାବେଶକୁ ସଫଳ କରିବାକୁ ନେଇ କଂଗ୍ରେସ ଗୁରୁବାର ସନ୍ଧ୍ୟା ପର୍ଯ୍ୟନ୍ତ ଅକଳରେ ପଡ଼ିଥିବାବେଳେ ଡ୍ରାଇଭର ମହାସଂଘର ସ୍ପଷ୍ଟୋକ୍ତି ଦଳକୁ ଆଶ୍ବସ୍ତ କରିଛି। କାରଣ ରାଜ୍ୟରେ ତିନିଦିନ ହେଲା ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଚାଲିଛି। ଆନ୍ଦୋଳନରତ ଡ୍ରାଇଭର ଗାଡ଼ି ଅଟକାଉଛନ୍ତି। ରାହୁଲଙ୍କ ସମାବେଶକୁ ଲୋକ ଆସିବା କଷ୍ଟକର ହେବ। ଡ୍ରାଇଭରଙ୍କ ଆନ୍ଦୋଳନ ମାଧ୍ୟମରେ ବିଜେପି ରାହୁଲଙ୍କ ସମାବେଶକୁ ଭଣ୍ଡୁର କରିବାକୁ ଅପଚେଷ୍ଟା କରୁଛି ବୋଲି ପିସିସି ସଭାପତି ଶ୍ରୀ ଦାସ ସିଧାସଳଖ ରାଜ୍ୟ ସରକାରଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ।
ସାମ୍ବାଦିକ ସମ୍ମିଳନୀରେ ଭକ୍ତ କହିଛନ୍ତି ଯେ ଡ୍ରାଇଭର ମହାସଂଘ ଆନ୍ଦୋଳନକୁ କଂଗ୍ରେସ ପୂର୍ଣ୍ଣମାତ୍ରାରେ ସମର୍ଥନ କରୁଛି। ରାଜ୍ୟ ସରକାର ରାହୁଲଙ୍କ ସମାବେଶକୁ ଭଣ୍ଡୁର କରିବା ଉଦ୍ଦେଶ୍ୟ ରଖି ଡ୍ରାଇଭର ମହାସଂଘ ସହ ଆଲୋଚନା କରି ଆନ୍ଦୋଳନ ପ୍ରତ୍ୟାହାର କରୁନାହାନ୍ତି। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆମେ ଚେଷ୍ଟା କରୁଛୁ; କିନ୍ତୁ ଏହି ସମୟରେ ଆମ ସାମ୍ନାରେ ଡ୍ରାଇଭର ଆନ୍ଦୋଳନ ସମସ୍ୟା ହୋଇଛି। ସରକାର ଡ୍ରାଇଭର ମହାସଂଘ ସହ ଆଲୋଚନା କରି ସନ୍ଧ୍ୟା ସୁଦ୍ଧା ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ସେ ଦାବି କରିଥିଲେ। ଏପରିକି ସମାବେଶକୁ ଆସୁଥିବା ଗାଡ଼ି ନ ଅଟକାଇବାକୁ ସେ ଡ୍ରାଇଭରଙ୍କୁ ନିବେଦନ କରିଥିଲେ। ମହାସଂଘ ସହ ୩ଥର କଂଗ୍ରେସ ଆଲୋଚନା କରିଥିଲେ। ସରକାର ବିଚାର ନକଲେ ଅନ୍ତତଃପକ୍ଷେ ମହାସଂଘ ଗୋଟିଏ ଦିନ ପାଇଁ ଆନ୍ଦୋଳନ ବନ୍ଦ ରଖିବାକୁ ସେ ଅନୁରୋଧ କରିଥିଲେ। କଂଗ୍ରେସକୁ ଏଥିରେ ସଫଳତା ମିଳିଛି।
ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି, ପିସିସି ସଭାପତି ଭକ୍ତ ଦାସ ଭଲ ଭାବେ ଜାଣିଛନ୍ତି ଓଡ଼ିଶାରେ କଂଗ୍ରେସର ସ୍ଥିତି କ’ଣ। ଗତ ନିର୍ବାଚନରେ ଓଡ଼ିଶାବାସୀଙ୍କ ଦ୍ବାରା ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାତ ହୋଇ ସାରିଲା ପରେ ପରିଚୟ ସନ୍ଧାନରେ କଂଗ୍ରେସ ରାଜନୈତିକ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥିତି ଜାହିର କରିବାର ଅପଚେଷ୍ଟା କରୁଛି। ସାଧାରଣ ଲୋକେ କଂଗ୍ରେସର ଶୀର୍ଷ ନେତୃତ୍ବଙ୍କୁ ଆଉ ଗ୍ରହଣ କରୁନାହାନ୍ତି। ନିଜର ବ୍ୟକ୍ତିଗତ ନେତୃତ୍ବ ପରାକାଷ୍ଠା ଦେଖାଇବାକୁ ଯାଇ ସମ୍ବିଧାନ ଆଳ ନେଇ ସମ୍ବିଧାନ ବଞ୍ଚାଅ ସମାବେଶ କରୁଛନ୍ତି। ସମଗ୍ର ଭାରତ ବର୍ଷରେ ୯ଟି ଟ୍ରେଡ ୟୁନିୟନ ଜରିଆରେ ଡ୍ରାଇଭର ଆନ୍ଦୋଳନ ଚାଲିଛି। ଏହି ଆନ୍ଦୋଳନକୁ ରାଜ୍ୟରେ କଂଗ୍ରେସ ଓ ବିଜେଡି ସମର୍ଥନ ଦେଇଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନ କରି ଜନସାଧାରଣଙ୍କୁ ହଇରାଣ କରୁଛନ୍ତି। ଯେଉଁ ଆନ୍ଦୋଳନରେ ତାଙ୍କ ଦଳ ସାମିଲ ସେମାନଙ୍କୁ ବୁଝାଇ ଆନ୍ଦୋଳନ ପ୍ରତ୍ୟାହାର କରନ୍ତୁ। ଅଯଥାରେ ଭକ୍ତ ବାବୁ ଅନ୍ୟ ଉପରେ ଦୋଷ ଠେଲିବା ଅଭ୍ୟାସ ବନ୍ଦ କରନ୍ତୁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories