www.samajalive.in
Wednesday, December 10, 2025
15.1 C
Bhubaneswar

ରହିତାଦେଶ ଦେଲେନି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବିହାର ଭୋଟର ତାଲିକାର ସମୀକ୍ଷା ନିମନ୍ତେ ଭାରତର ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ପକ୍ଷରୁ ଚାଲିଥିବା ସ୍ପେସାଲ ଇଣ୍ଟେନସିଭ୍ ରିଭିଜନ (ଏସ୍‌ଆଇଆର) କାର୍ଯ୍ୟକ୍ରମ ଉପରେ ରହିତାଦେଶ ଦେବାକୁ ସୁପ୍ରିମକୋର୍ଟ ମନା କରିଛନ୍ତି। ନିର୍ବାଚନ ଆୟୋଗଙ୍କ ଏସ୍‌ଆଇଆର କାର୍ଯ୍ୟକୁ ବିରୋଧ କରି ବିରୋଧୀ ଦଳଗୁଡିକ ପକ୍ଷରୁ ଏକାଧିକ ପିଟିସନ ଦାୟର କରାଯାଇଥିଲା। ପିଟିସନଗୁଡିକ ଉପରେ ବିଚାରପତି ସୁଧାଂଶୁ ଧୂଲିଆ ଓ ବିଚାରପତି ଜୟମାଲ୍ୟ ବାଗ୍‌ଚିଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ପୀଠ ଶୁଣାଣି କରି ଏସ୍‌ଆଇଆର କାର୍ଯ୍ୟ ଉପରେ ରହିତାଦେଶ ଦେବାକୁ ମନା କରିଛନ୍ତି। ପୀଠ କହିଛନ୍ତି ଯେ ନିର୍ବାଚନ ପୂର୍ବରୁ ଭୋଟର ତାଲିକାର ବିଶୋଧନ ପୂର୍ବକ ଅଣନାଗରିକ ବା ବିଦେଶୀ ନାଗରିକଙ୍କୁ ବାଦ୍‌ ଦେବା କାର୍ଯ୍ୟ କୌଣସି ପ୍ରକାର ଭୁଲ୍ ନୁହେଁ। ଏହା ଇସିଆଇଙ୍କର କ୍ଷମତା ଓ କାର୍ଯ୍ୟଧାରା ପରିସରଭୁକ୍ତ। ତେବେ ପୀଠ ଭୋଟରଙ୍କ ପରିଚୟ ଯାଞ୍ଚ ସମୟରେ ଆଧାର କାର୍ଡ, ଭୋଟର ଆଇଡି କାର୍ଡ ଓ ରେସନ କାର୍ଡକୁ ବୈଧ ପରିଚୟ ପତ୍ର ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି। ପୀଠ କହିଛନ୍ତି ଯେ ଇସିଆଇଙ୍କ ଏହି କାର୍ଯ୍ୟ ଉପରେ ଆମର ସନ୍ଦେହ କରିବାର କୌଣସି ଅବକାଶ ନାହିଁ। ଭୋଟରମାନଙ୍କ ପରିଚୟ ଯାଞ୍ଚ କରିବାକୁ ଇସିଆଇଙ୍କୁ ସୁଯୋଗ
ଦିଆଯାଉ। ଏହାଦ୍ବାରା ଗଣତନ୍ତ୍ର ସୁଦୃଢ ହେବା ସହିତ ଭୋଟରଙ୍କ କ୍ଷମତା ବୃଦ୍ଧି ପାଇବ। ଜୁଲାଇ ୨୮ରେ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ପୁନର୍ବାର ଶୁଣାଣି କରିବେ। ଶୁଣାଣି ପୂର୍ବରୁ ଜୁଲାଇ ୨୧ରେ ଇସିଆଇ ସତ୍ୟପାଠ ଜରିଆରେ ନିଜର ଜବାବ ଦାଖଲ କରିବେ।
ଏସ୍‌ଆଇଆର କାର୍ଯ୍ୟକ୍ରମ ସମୟରେ ଭୋଟରଙ୍କ ପରିଚୟ ଯାଞ୍ଚ ପାଇଁ ୧୧ଟି ପ୍ରମାଣପତ୍ରକୁ ବୈଧ କାଗଜପତ୍ର ଭାବେ ତାଲିକାଭୁକ୍ତ କରାଯାଇଛି। ମାତ୍ର ଏହି ପ୍ରମାଣପତ୍ର ମଧ୍ୟରେ ଆଧାରକାର୍ଡ କିମ୍ବା ଭୋଟର ପରିଚୟ ପତ୍ରକୁ ସାମିଲ କରାଯାଇ ନଥିଲା। ଏବେ ସୁପ୍ରିମକୋର୍ଟ ଏହି ଦୁଇ ପରିଚୟ ପତ୍ରକୁ ପ୍ରମାଣପତ୍ର ଯାଞ୍ଚର ଆଧାର ଭାବେ ସାମିଲ କରିବାକୁ କହିଛନ୍ତି। ଏହି ପରିଚୟ ପତ୍ରକୁ ଯଦି ଇସିଆଇ ପରିଚୟ ଯାଞ୍ଚର କାଗଜପତ୍ର ଭାବେ ଗ୍ରହଣ କରିବାକୁ ଚାହଁୁ ନଥାନ୍ତି ତେବେ ଏଥିପାଇଁ ଲିଖିତ କାରଣ ଉପସ୍ଥାପନ କରିବେ। ଚଳିତବର୍ଷ ଶେଷ ଭାଗରେ ବିହାର ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହି ସମୟରେ ଏସଆଇଆର କାର୍ଯ୍ୟକ୍ରମ କରାଯିବାକୁ ନେଇ ବିରୋଧୀ ଦଳଗୁଡିକ ପକ୍ଷରୁ ଅଭିଯୋଗ ଉଠାଯାଇଥିବବେଳେ ଏଥିରେ କୌଣସି ପ୍ରକାର ସମସ୍ୟା ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଗତ ୨୦ବର୍ଷ ମଧ୍ୟରେ ବିହାରର ଭୋଟର ତାଲିକାରେ ଅନେକ ଲୋକଙ୍କ ନାମ ସଂଯୁକ୍ତ କରାଯାଇଥିବାବେଳେ ଅନେକଙ୍କୁ ବାଦ୍‌ ଦିଆଯାଇଛି। ଏଥିରେ ଅନେକ ଜାଲ୍ ଭୋଟର ଅର୍ଥାତ୍ ଅଣ ଭାରତୀୟଙ୍କୁ ସାମିଲ କରାଯାଇଥିବା ଅଭିଯୋଗ ହୋଇଛି। ତେଣୁ ଗତ ମାସରେ ଇସିଆଇ ଭୋଟର ତାଲିକାର ସମୀକ୍ଷା କରିବାକୁ ନିର୍ଦେଶ ଦେଇଥିଲେ। ଇସିଆଇଙ୍କ ଏପରି ନିର୍ଦେଶକୁ ଆବେଦନକାରୀଙ୍କ ପକ୍ଷର ଓକିଲ ଶଙ୍କରନାରାୟଣନ୍‌ ସ୍ବେଚ୍ଛାଚାରୀ ଓ ପକ୍ଷପାତିତାମୂଳକ ବୋଲି କହିଛନ୍ତି। ଅନ୍ୟତମ ଓକିଲ ଅଭିଷେକ ମନୁ ସିଙ୍ଘଭୀ କହିଛନ୍ତି ଯେ ଇସିଆଇଙ୍କ ଏହି ଅଭିଯାନ ‘ନାଗରିକ ଯାଞ୍ଚ’ କାର୍ଯ୍ୟକ୍ରମ। ସାରା ଦେଶ ଆଧାରକାର୍ଡ ପାଇଁ ପାଗଳ ହେଉଥିବାବେଳେ ଇସିଆଇ ଏହାକୁ ନାଗରିକ ପରିଚୟ ପତ୍ର ଭାବେ ଗ୍ରହଣ କରିବାକୁ ମନା କରୁଛନ୍ତି। ଆମେ ଭାରତର ନାଗରିକ କି ନୁହେଁ ତାର ନିଷ୍ପତ୍ତି ନେବାକୁ ଇସିଆଇ କିଏ ବୋଲି କପିଲ ସିବଲ ପ୍ରଶ୍ନ କରିଛନ୍ତି। ଇସିଆଇଙ୍କ ପକ୍ଷରୁ ଉପସ୍ଥିତ ଓକିଲ କହିଛନ୍ତି ଆଧାର କାର୍ଡ ନାଗରିକତାର ପ୍ରମାଣପତ୍ର ନୁହେଁ। ସୁପ୍ରିମକୋର୍ଟ କହିଛନ୍ତି ଯେ ନାଗରିକତା ଯାଞ୍ଚ କରିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଅଧିକାର ପରିସରଭୁକ୍ତ। ଏହା ଇସିଆଇଙ୍କ ଅଧିକାରଭୁକ୍ତ ନୁହେଁ।
ଇସିଆଇଙ୍କ ନିର୍ଦେଶ ଅନୁଯାୟୀ ୨୦୦୩ ପରଠାରୁ ଯେଉଁମାନେ ଭୋଟର ତାଲିକାରେ ସାମିଲ ହୋଇଛନ୍ତି ସେମାନଙ୍କ ପରିଚୟ ଯାଞ୍ଚ କରାଯିବ। ୨୦୦୩ ପରଠାରୁ ୫ଟି ନିର୍ବାଚନରେ ଭୋଟ ଦେଇସାରିଥିବା ଜଣେ ଭୋଟର ମଧ୍ୟ ଯାଞ୍ଚ ସମୟରେ ଯଦି ନିଜର ବୈଧ ପ୍ରମାଣପତ୍ର ଉପସ୍ଥାପନ କରିପାରିବେ ନାହିଁ ତେବେ ସେ ତାଲିକାରୁ ବାଦ୍ ପଡିପାରନ୍ତି। ବିହାରର ୭.୮୯ କୋଟି ଭୋଟରଙ୍କ ମଧ୍ୟରୁ ୫୭% ଭୋଟର ବୁଧବାର ସୁଦ୍ଧା ସେମାନଙ୍କର ତଥ୍ୟ ପ୍ରଦାନ କରିସାରିଲେଣି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories