ନୂଆଦିଲ୍ଲୀ: ‘ନ୍ୟାସନାଲ ହେରାଲ୍ଡ’ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଦ୍ବାରା କ୍ରମାଗତ ତିନି ଦିନ ଜେରାର ସମ୍ମୁଖୀନ ହେବା ପରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଗୁରୁବାର ବିଶ୍ରାମ ମିଳିଛି। ଶୁକ୍ରବାର ତାଙ୍କୁ ପୁନର୍ବାର ଜେରା ପାଇଁ ଇଡି ସମନ କରିଥିଲାବେଳେ ରାହୁଲ ଗୁରୁବାର ଇଡିକୁ ପତ୍ର ଲେଖି ସୋମବାର, ୨୦ ତାରିଖ ପର୍ଯ୍ୟନ୍ତ ଜେରା ସ୍ଥଗିତ ରଖିବାକୁ ଅନୁମତି ମାଗିଥିଲେ। ଇଡି ଏହାକୁ ଅନୁମୋଦନ କରିଛି। କରୋନା ସଂକ୍ରମିତ ହୋଇ ସାର୍ ଗଙ୍ଗାରାମ ହସ୍ପିଟାଲରେ ଥିବା ୭୫ବର୍ଷିଆ ମା’ ସୋନିଆଙ୍କ ଦେଖାରଖା ପାଇଁ ସେ ଏହି ସମୟ ମାଗିଥିଲେ। ଗତ ତିନି ଦିନ ମଧ୍ୟରେ ରାହୁଲଙ୍କୁ ପ୍ରାୟ ୩୩ ଘଣ୍ଟା ଜେରା କରାଯାଇଛି। ସୋନିଆର ଜୁନ୍ ୨ରୁ କରୋନା ସଂକ୍ରମିତ ହୋଇଛନ୍ତି। ଜୁନ୍ ୮ରେ ସୋନିଆଙ୍କର ଇଡିରେ ହାଜର ହେବାର ଥିଲା; କିନ୍ତୁ ସେ କରୋନା ଯୋଗୁଁ ଏଥିପାଇଁ ଜୁନ୍ ୨୩କୁ ସାନି ତାରିଖ ଧାର୍ଯ୍ୟ ହୋଇଛି।
ଇଡି ସୂତ୍ରରୁ ପ୍ରକାଶ ଯେ, ଜେରାବେଳେ ରାହୁଲ ନ୍ୟାସନାଲ ହେରାଲ୍ଡ ପତ୍ରିକାକୁ ୟଙ୍ଗ ଇଣ୍ଡିଆ-ଆସୋସିଏଟେଡ ଜର୍ଣ୍ଣାଲ ଅଧିଗ୍ରହଣ ସଂକ୍ରାନ୍ତ ସବୁ କାରବାର ତତ୍କାଳୀନ କଂଗ୍ରେସ କୋଷାଧ୍ୟକ୍ଷ ମୋତିଲାଲ ଭୋରାଙ୍କ ଦ୍ବାରା କରାଯାଇଛି ଏବଂ ଯାହା କିଛି ଭୁଲ୍ ବା ଠିକ୍ ହୋଇଛି ସେଥିପାଇଁ ଭୋରା ହିଁ ଦାୟୀ ବୋଲି କହିଛନ୍ତି। ଭୋରାଙ୍କର ୨୦୨୦ ଡିସେମ୍ବରରେ ମୃତ୍ୟୁ ଘଟିଛି। ୟଙ୍ଗ ଇଣ୍ଡିଆ ଗାନ୍ଧୀ ପରିବାର ଦ୍ବାରା ପରିଚାଳିତ ହେଉଥିବାରୁ କଥିତ ଅଧିଗ୍ରହଣ ମାଧ୍ୟମରେ ବିପୁଳ ବେଆଇନ ଆର୍ଥିକ କାରବାର ହୋଇଥିବା ଅଭିଯୋଗ ରହିଛି। କମ୍ପାନୀରେ ରାହୁଲ ଓ ସୋନିଆଙ୍କର ୭୬ ପ୍ରତିଶତ ଅଂଶଧନ ରହିଥିଲାବେଳେ ଅବଶିଷ୍ଟ ୨୪ ପ୍ରତିଶତ ଭୋରା ଓ ୨୦୨୧ରେ ଦେହାନ୍ତ ଘଟିଥିବା କଂଗ୍ରେସ ନେତା ଓସ୍କାର ଫର୍ଣ୍ଣାଣ୍ଡିଜ୍ଙ୍କର ରହିଛି। ରାହୁଲ ଏ ସମ୍ପର୍କରେ କିଛି ଜାଣି ନ ଥିବା କିମ୍ବା ଟଙ୍କାଟିଏ ଗ୍ରହଣ କରି ନ ଥିବା କହିଛନ୍ତି। ଏମିତି କି ଋଣ ବାବଦରେ ମଧ୍ୟ ସେ ଅଜ୍ଞ ଥିବା କହିଛନ୍ତି। ରାହୁଲ ଭୋରାଙ୍କ ନାମ ନେଇଥିବାର ଖବର ପ୍ରକାଶ ପରେ ସ୍ବର୍ଗତ୍ ଭୋରାଙ୍କ ପୁଅ ଅରୁଣ ଭୋରା ଏହାକୁ ଖଣ୍ଡନ କରିଛନ୍ତି। ରାହୁଲ କେବେ ଏଭଳି ମନ୍ତବ୍ୟ ଦେଇ ନ ଥିବେ; ଯାହା ପ୍ରଚାର ହେଉଛି ସବୁ ଭିତ୍ତିହୀନ ଏବଂ କଂଗ୍ରେସ ନେତୃବୃନ୍ଦ କିଛି ଭୁଲ୍ କରି ନାହାନ୍ତି ବୋଲି ସେ କହିଛନ୍ତି। ସମ୍ପ୍ରତି ବିଧାୟକ ଥିବା ଅରୁଣ କହିଛନ୍ତି ଯେ ରାହୁଲ ଓ ସୋନିଆଜୀ ଏବଂ ସ୍ବର୍ଗତ ବାପା ଏହି ମାମଲାରୁ ନିର୍ଦୋଷରେ ମୁକ୍ତ ହେବେ। ଅପରପକ୍ଷରେ ମଲ୍ଲିକାର୍ଜୁନ ଖଡ଼ଗେ ଓ ପବନ ବଂଶଲ ପ୍ରମୁଖ ଇଡି ସୂଚନାକୁ ଅମୂଳକ ବୋଲି ଦର୍ଶାଇଛନ୍ତି। ଇଡି ଜାଣିଶୁଣି ଏଭଳି ବିଭ୍ରାନ୍ତିକର ଖବର ପ୍ରସାର କରୁଥିବା ସେମାନେ କହିଛନ୍ତି। ଏହାପଛରେ କେନ୍ଦ୍ର ସରକାରଙ୍କ ହାତ ଥିବା ସେମାନେ ଅଭିଯୋଗ କରିଛନ୍ତି।


