ମୁମ୍ବଇ: ଆରଏସଏସ ପକ୍ଷରୁ ମୁମ୍ବଇର ମାଜଗାଓଁ କୋର୍ଟରେ ରାହୁଲ ଗାନ୍ଧୀ ଏବଂ ସିପିଆଇର ବରିଷ୍ଠ ନେତା ସୀତାରାମ ୟେଚୁରୀଙ୍କ ନାମରେ ରୁଜୁ ହୋଇଥିବା ମାନହାନୀ ମାମଲାର ଶୁଣାଣି ଗୁରୁବାର ହୋଇଥିଲା। କୋର୍ଟ ଏହି ମାମଲାରେ ରାହୁଲ ଏବଂ ୟେଚୁରୀଙ୍କୁ ଜାମିନ ପ୍ରଦାନ କରିଛନ୍ତି।
ଶୁଣାଣି ସମୟରେ କୋର୍ଟ ଆବେଦନକାରୀଙ୍କ ଅଭିଯୋଗ ପଢ଼ି ରାହୁଲ ଏବଂ ୟେଚୁରୀଙ୍କୁ ଶୁଣାଇଥିଲେ। ଏହା ସହିତ କୋର୍ଟ ପ୍ରଶ୍ନ କରିଥିଲେ କି କ’ଣ ଆପଣ ଅଭିଯୋଗକୁ ସ୍ବୀକାର କରୁଛନ୍ତି ନା ନିଜକୁ ନିର୍ଦୋଶ ବୋଲି କହୁଛନ୍ତି। ପରେ ରାହୁଲ ଏବଂ ୟେଚୁରୀ ସେମାନେ ନିର୍ଦୋଶ ବୋଲି କହିଥିଲେ। କୋର୍ଟ ଉଭୟଙ୍କୁ ୧୫ ହଜାର ଟଙ୍କା ଲେଖାଏ ବ୍ୟକ୍ତିଗତ ମୁଚାଲିକାରେ ଜାମିନ ଦେଇଥିଲେ। ତେବେ ଦୁଇଜଣଙ୍କ ବିରୋଧରେ ମାମଲା ଚାଲିବ ଏବଂ କୋର୍ଟ ଆବେଦନକାରୀଙ୍କ ବୟାନ ରେକର୍ଡ କରିବେ। ଶୁଣାଣି ସମୟରେ ରାହୁଲ ଏବଂ ୟେଚୁରୀ ଉପସ୍ଥିତ ରହିବା ନେଇ ମଧ୍ୟ କୋର୍ଟ କୌଣସି ସ୍ଥାୟୀ କଟକଣା ଜାରି କରିନାହାନ୍ତି।
ସୂଚନା ମୁତାବକ, ଆରଏସଏସର ଜଣେ କର୍ମକର୍ତ୍ତା ଧୃତିମାନ ଯୋଶୀ ରାହୁଲଙ୍କ ବିରୋଧରେ ଏକ ମାନହାନି ମାମଲା ଦାୟର କରିଥିଲେ। ବରିଷ୍ଠ ସାମ୍ବାଦିକା ଗୌରୀ ଲଙ୍କେଶଙ୍କ ହତ୍ୟା ପଛରେ ଆରଏସଏସର ହାତ ଥିବା ରାହୁଲ ଅଭିଯୋଗ କରିବା ପରେ ଏହି ମାମଲା ରୁଜୁ ହୋଇଥିଲା। ଆବେଦନକାରୀ ଧୃତିମାନ ଯୋଶୀ ୨୦୧୭ରେ ଏହି ମାମଲା ରୁଜୁ କରିଥିଲେ। ସେ ରାହୁଲଙ୍କ ସମେତ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ସିପିଆଇଏମ ନେତା ସୀତାରାମ ୟେଚୁରୀଙ୍କୁ ମାମଲାରେ ପକ୍ଷଭୁକ୍ତ କରିଥିଲେ। କିନ୍ତୁ କୋର୍ଟ ସୋସିଆଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ଖାରଜ କରିଦେବା ସହ ରାହୁଲ ଏବଂ ୟେଚୁରୀଙ୍କୁ ସମନ ଜାରି କରିଥିଲେ।
ସୂଚନାଯୋଗ୍ୟ, ୨୦୧୭ ସେପ୍ଟେମ୍ବର ୫ରେ ବେଙ୍ଗାଲୁରୁରେ ବରିଷ୍ଠ ସାମ୍ବାଦିକା ଗୌରୀ ଲଙ୍କେଶଙ୍କୁ ଦୁର୍ବୃତ୍ତମାନେ ତାଙ୍କ ଘର ବାହାରେ ଗୁଳି କରି ହତ୍ୟା କରିଥିଲେ। ଘଟଣାର ଦିନକ ପରେ ରାହୁଲ ଏହି ହତ୍ୟାକାଣ୍ଡ ପଛରେ ଆରଏସଏସର ହାତ ରହିଛି ବୋଲି କହିଥିବା ଆବେଦନକାରୀ ଅଭିଯୋଗ କରିଛନ୍ତି।



