www.samajalive.in
Saturday, December 13, 2025
26.1 C
Bhubaneswar

ପର୍ଯ୍ୟଟକଶୂନ୍ୟ ଐତିହ୍ୟ ଗ୍ରାମ ରଘୁରାଜପୁର; ଦୁର୍ଦିନରେ ପଟ୍ଟଚିତ୍ର ଶିଳ୍ପୀ

ପୁରୀ : ମହାମାରୀ କରୋନା ଯୋଗୁଁ ପର୍ଯ୍ୟଟକଶୂନ୍ୟ ହୋଇଛି ଐତିହ୍ୟ ଗ୍ରାମ ରଘୁରାଜପୁର। ଆଠମାସ ହେଲା ଭୋକ ଉପାସରେ ଦିନ କାଟୁଛନ୍ତି ପଟ୍ଟଚିତ୍ର ଶିଳ୍ପୀ। ଗ୍ରାମର ୧୬୦ ଶିଳ୍ପୀ ପରିବାରର ଦୁର୍ଦଶା ବୃଦ୍ଧି ପାଇବାରେ ଲାଗିଛି। ପେଟ ପୋଷିବା ପାଇଁ ଶତାଧିକ ପଟ୍ଟଚିତ୍ର ଶିଳ୍ପୀ ଅନ୍ୟ ବୃତ୍ତି ଆପଣାଇଲେଣି। କିଏ ପରିବା ବିକୁଛି ତ ଆଉ କିଏ ଅନ୍ୟଦୁଆରେ କାମ କରୁଥିବା ଦେଖିବାକୁ ମିଳିଛି। କରୋନା କଟକଣା ଯୋଗୁଁ ଅଧିକାଂଶ ପଟ୍ଟଚିତ୍ର କାରିଗରଙ୍କ ଜୀବିକା ବିପନ୍ନ ହୋଇପଡ଼ିଛି। ଏହାସତ୍ତ୍ବେ ରାଜ୍ୟ ପର୍ଯ୍ୟଟନ, ସଂସ୍କୃତି କିମ୍ବା ହସ୍ତଶିଳ୍ପ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ ପଟ୍ଟଚିତ୍ର ଶିଳ୍ପୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇ ନଥିବା ଅଭିଯୋଗ ହୋଇଛି।

୮ ମାସ ଧରି ପର୍ଯ୍ୟଟକମାନେ ରଘୁରାଜପୁର ଯାଉ ନଥିବାରୁ ପଟ୍ଟଚିତ୍ର ବ୍ୟବସାୟ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଯେତିକି ପଟ୍ଟଚିତ୍ର ପ୍ରସ୍ତୁତ ହୋଇଥିଲା ତାହା ବିକ୍ରି ହୋଇନପାରି ନଷ୍ଟ ହେଉଛି। ଏଭଳିସ୍ଥିତିରେ ବ୍ୟାଙ୍କ ଋଣ ଏବଂ ମହାଜନଙ୍କଠାରୁ ଟଙ୍କା ଆଣି ପଟ୍ଟଚିତ୍ର ପ୍ରସ୍ତୁତ କରିଥିବା ଶିଳ୍ପୀମାନେ କିପରି ଋଣ ପରିଶୋଧ କରିବେ ସେଥିନେଇ ଚିନ୍ତାରେ ପଡିଛନ୍ତି। ଆକର୍ଷଣୀୟ ପଟ୍ଟଚିତ୍ର, ତାଳପତ୍ର ଖୋଦେଇ, କାଗଜ ମୁଖା, ନଡ଼ିଆ ଚିତ୍ରକଳା, କାଠମୂର୍ତ୍ତି ଏବଂ ପଥର ମୂର୍ତ୍ତି ନିର୍ମାଣକ୍ଷେତ୍ରରେ ଐତିହ୍ୟ ଗ୍ରାମ ରଘୁରାଜପୁରର ସମଗ୍ର ବିଶ୍ବରେ ପ୍ରସିଦ୍ଧି ରହିଛି। ପ୍ରାୟ ୨୦ ବର୍ଷ ତଳେ ରାଜ୍ୟ ସରକାର ଏହି ଗ୍ରାମକୁ ଐତିହ୍ୟ ଗ୍ରାମର ମାନ୍ୟତା ଦେଇଥିଲେ। ଗ୍ରାମର ପ୍ରତ୍ୟେକ ପରିବାର ପଟ୍ଟଚିତ୍ର ପ୍ରସ୍ତୁତ କରନ୍ତି। ଏହାଛଡ଼ା ଗୋଟିପୁଅ ନୃତ୍ୟ କ୍ଷେତ୍ରରେ ଏହି ଗ୍ରାମର ବେଶ୍‌ ଲୋକପ୍ରିୟତା ରହିଛି। ହସ୍ତକଳା ଓ ହସ୍ତଶିଳ୍ପ ପାଇଁ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଛି ରଘୁରାଜପୁର। ସେଠାରେ ବାପମାଆ, ପୁଅବୋହୂ, ନାତିନାତୁଣୀ, ଝିଅ ସମସ୍ତେ ପଟ୍ଟଚିତ୍ର ପ୍ରସ୍ତୁତ କରିବାରେ ପାରଙ୍ଗମତା ଅର୍ଜନ କରିଛନ୍ତିି।

- Advertisement -

ପଦ୍ମଶ୍ରୀ କେଳୁଚରଣ ମହାପାତ୍ର ଏବଂ ପଦ୍ମଶ୍ରୀ ମାଗୁଣି ଦାସଙ୍କ ଜନ୍ମ ଏହି ଐତିହ୍ୟ ଗ୍ରାମରେ। ଏହାଛଡ଼ା ଗଙ୍ଗାଧର ମହାରଣା, ବିଶ୍ବନାଥ ସ୍ବାଇଁ, ସୁଦର୍ଶନ ସ୍ବାଇଁ ଏବଂ ଲକ୍ଷ୍ମୀଧର ସୁବୁଦ୍ଧି ପ୍ରମୁଖ ରାଷ୍ଟ୍ରପତି ପୁରସ୍କାର ପାଇଛନ୍ତି। ଗତ ମାର୍ଚ୍ଚରୁ କୌଣସି ପର୍ଯ୍ୟଟକ ସେଠାକୁ ଯାଉ ନଥିବାରୁ ପଟ୍ଟଚିତ୍ର ବ୍ୟବସାୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ତେଣୁ ଶିଳ୍ପୀମାନେ ଧାର୍‌କରଜ କରି ପରିବାର ପୋଷୁଥିବା ଗ୍ରାମ କମିଟି ସଭାପତି ଲକ୍ଷ୍ମୀଧର ସୁବୁଦ୍ଧି କହିଛନ୍ତି।ଐତିହ୍ୟ ଗ୍ରାମ ରଘୁରାଜପୁରର ପଟ୍ଟଚିତ୍ର କାରିଗରମାନେ ପ୍ରତ୍ୟେକ ବର୍ଷ ଦିଲ୍ଲୀ ହାଟ, ସୂରଜକୁଣ୍ଡ ମେଳା, ତୋଷାଳି ମେଳା, କ୍ରାଫ୍ଟ ମ୍ୟୁଜିୟମ, ରଥଯାତ୍ରା, ପଲ୍ଲିଶ୍ରୀ ମେଳା ସମେତ ମୁମ୍ବଇ, ହାଇଦରାବାଦ, କଲକାତା, ଗୋଆ, ଚେନ୍ନଇରେ ବର୍ଷର ବିଭିନ୍ନ ସମୟରେ ଅନୁଷ୍ଠିତ ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥାଆନ୍ତି। ସେଥିରୁ ବେଶ୍‌ ଦି’ ପଇସା ରୋଜଗାର ହୋଇଥାଏ। କରୋନା ଯୋଗୁଁ ଚଳିତବର୍ଷ ଏପର୍ଯ୍ୟନ୍ତ ଗୋଟିଏ ହେଲେ ପ୍ରଦର୍ଶନୀ କିମ୍ବା ମେଳା ଅନୁଷ୍ଠିତ ହୋଇ ନାହିଁ। ଏଭଳିସ୍ଥିତିରେ କେନ୍ଦ୍ର ଓ ରାଜ୍ୟ ସରକାର ଯଦି ସହଯୋଗର ହାତ ନବଢ଼ାନ୍ତି ତାହେଲେ ସାତପୁରୁଷର ପଟ୍ଟଚିତ୍ର କଳା ବଞ୍ଚାଇ ରଖିବା କଷ୍ଟକର ହୋଇପଡ଼ିବ ବୋଲି ଗ୍ରାମର କେତେକ ବ୍ୟକ୍ତି ପ୍ରକାଶ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

Related Articles

Popular Categories