ବିଶିଷ୍ଟ ଜନନାୟକ,ସାମ୍ବାଦିକ ତଥା ସମାଜସେବୀ ପଦ୍ମଭୂଷଣ ଡଃ ରାଧାନାଥ ରଥଙ୍କ ଦ୍ବାବିଂଶତମ ଶ୍ରାଦ୍ଧ ଅବସରରେ ‘ସମାଜ’ ତାଙ୍କର ଅକ୍ଷୟ କୀର୍ତ୍ତି ଓ କୃତିକୁ ସ୍ମରଣକରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।
ବିଂଶ ଶତାବ୍ଦୀରେ ଓଡ଼ିଶାରେ ଯେଉଁ କତିପୟ ମହାମାନବଙ୍କ ଆବିର୍ଭାବ ଘଟିଥିଲା ସେମାନଙ୍କ ମଧ୍ୟରେ ଓଡ଼ିଶାର ଜାତୀୟ ଜୀବନର ସମୃଦ୍ଧିରେ ସଦାଚେଷ୍ଟିତ, ଐତିହ୍ୟର ସଂରକ୍ଷକ, ସୁଧୀ ସମାଲୋଚକ, ମୂଲ୍ୟବୋଧର ସୁରକ୍ଷାରେ ସତତ ସଚେଷ୍ଟ, ନିର୍ଭୀକ, ସତ୍ୟନିଷ୍ଠ କବି, ଚିନ୍ତକ, ପ୍ରାବନ୍ଧିକ, ସ୍ୱାଧୀନତା ସଂଗ୍ରାମୀ, ଗାନ୍ଧିବାଦୀ ଜନନେତା, ଅପ୍ରତିଦ୍ୱନ୍ଦ୍ୱୀ ସାମ୍ବାଦିକ-ସମ୍ପାଦକ, ରାଜନୈତିକ ସନ୍ନ୍ୟାସୀ, ତ୍ୟାଗବୀର-କର୍ମବୀର ପଦ୍ମଭୂଷଣ ଡକ୍ଟର ରାଧାନାଥ ରଥଙ୍କ ନାମ ଅବିସ୍ମରଣୀୟ। ଶତାବ୍ଦୀ ପୁରୁଷ ରାଧାନାଥ ଏକ ଅମ୍ଲାନ ପ୍ରତିଭା, ଅନବଦ୍ୟ ବ୍ୟକ୍ତିତ୍ୱ, ଅନମନୀୟ ପୌରୁଷ। ତାଙ୍କର ଦୀର୍ଘ ଶତ ବର୍ଷର ସାଧିତ ଓ ଶୋଧିତ ଅନନ୍ୟ ମୂଲ୍ୟବୋଧ ତାଙ୍କୁ ଚିର ଭାସ୍ୱର କରିରଖିଛି। ସେ ଥିଲେ ବିଂଶ ଶତାବ୍ଦୀର ଏକ ଉଜ୍ବଳ ଇତିହାସ।
ପଦ୍ମଭୂଷଣ ଡକ୍ଟର ରାଧାନାଥ ରଥ ‘ସମାଜ’ର ପୂର୍ବତନ ସମ୍ପାଦକ ଭାବେ ଓଡିଶାବାସୀଙ୍କ ନିକଟରେ ଯେତିକି ପରିଚିତ,ଜଣେ ନୀତିନିଷ୍ଠ ସେବକ,ଗରିବଙ୍କ ଦରଦୀବନ୍ଧୁ,ସମାଜସେବୀ ତଥା ଆଜୀବନ କର୍ମଠ ବ୍ୟକ୍ତିତ୍ବ ଭାବେ ତା’ଠାରୁ ବେଶି ଜନମାନସରେ ପରିଚିତ। ‘ସମାଜ’ର ପ୍ରତିଷ୍ଠାତା ଉତ୍କଳମଣି ଗୋପବନ୍ଧୁ ଦାସ ତିରୋଧାନ ସମୟରେ ‘ସମାଜ’ ରୂପୀ ଚାରାକୁ ରାଧାନାଥଙ୍କ ହାତରେ ଦେଇଯାଇଥିଲେ। ତାଙ୍କରି ହାତରେ ‘ସମାଜ’ ଆଜି ଏକ ମହାଦ୍ରୁମରେ ପରିଣତ ହୋଇଛି। ‘ସମାଜ’ର ପ୍ରତିଷ୍ଠାତା ପୁଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କ ପଟ୍ଟଶିଷ୍ୟ ତାଙ୍କର ମାନସପୁତ୍ର ‘ସମାଜ’କୁ ପରିପୁଷ୍ଟ କରିବାରେ ନିଷ୍ଠାର ସହ ଯେଭଳି କାମ କରିଯାଇଛନ୍ତି, ତାହାର ସୁଫଳ ଆଜି କୃତଜ୍ଞତାପୂର୍ଣ୍ଣ ହୃଦୟରେ ଓଡ଼ିଶାବାସୀ ଅନୁଭବ କରୁଛନ୍ତି।



