ଗୁରୁଡିଝାଟିଆ: ପୂର୍ବତଟ ରେଳବାଇ ପକ୍ଷରୁ ୩.୭୫ କୋଟି ଟଙ୍କା ବ୍ୟୟରେ ୬୮ ମିଟର ଲମ୍ବର ନିର୍ମିତ ରାଧାକିଶୋରପୁର ରୋଡ ଅଣ୍ଡରବ୍ରିଜ ଆଜି ଅପରାହ୍ନରେ ଲୋକାର୍ପିତ ହୋଇଛି। ସାଂସଦ ଭର୍ତ୍ତୃହରି ମହତାବ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରୋଡ ଅଣ୍ଡରବ୍ରିଜ ସ୍ଥାନୀୟ ଜନସାଧାରଣଙ୍କ ଅଶେଷ ହିତରେ ଲାଗିଛି। ବହୁ ଅସୁବିଧା ଭିତରେ ସ୍ଥାନୀୟ ଜନସାଧାରଣ ଓ ବିଦ୍ୟାର୍ଥୀମାନେ ବିପଦ ସଂକୂଳ ଅବସ୍ଥାରେ ରେଳଲାଇନ ପାର ହୋଇ ଯାତାୟାତ କରୁଥିଲେ। ଏହା ଲୋକାର୍ପିତ ହେବା ଏକ ଧର୍ମ କାର୍ଯ୍ୟ ବୋଲି ଶ୍ରୀ ମହତାବ କହିବା ସହିତ ଲୋକମାନଙ୍କ ଅତ୍ୟାବଶ୍ୟକ ଦାବିଗୁଡିକୁ ରେଳବାଇ କର୍ତ୍ତୃପକ୍ଷ ଗୁରୁତର ସହିତ ଗ୍ରହଣ କରିବା ପାଇଁ କହିଥିଲେ। ସ୍ଥାନୀୟ ବିଧାୟକ ତଥା ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉଦଘାଟକ ଭାବରେ ଯୋଗଦେଇ ଏହି ବ୍ରିଜ ନିର୍ମାଣ ପାଇଁ ୨୦୧୦ ମସିହାରୁ ଦାବି ହୋଇ ଆସୁଥିଲା। ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିଲେ। ଏହା ଲୋକାର୍ପିତ ହେବା ଫଳରେ ସ୍ଥାନୀୟ ଜନସାଧାରଣ ଉପକାର ପାଇପାରିବେ। ଏପରିକି ଏହିଭଳି ଅନେକ ଜାଗାରେ ଲୋକମାନେ ରୋଡ ଅଣ୍ଡରବ୍ରିଜ ନଥିବାରୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ବ୍ରହ୍ମପୁରର ଦ୍ୱିୱାନୀ ପାଟଣାଠାରେ ଏକ ରୋଡ ଅଣ୍ଡରବ୍ରିଜ ନିର୍ମାଣ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସ୍ଥାନୀୟ ଜନସାଧାରଣଙ୍କ ଲିଖିତ ଦାବିକୁ ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରି ଏହାର ସୁବିଚାର ପାଇଁ କହିଥିଲେ।
ପୂର୍ବତଟ ରେଳବାଇର ଅତିରିକ୍ତ ମଣ୍ଡଳ ପ୍ରବନ୍ଧକ କଲ୍ୟାଣ ପଟ୍ଟନାୟକ ଅତିଥି ଭାବରେ ଯୋଗଦେଇ କହିଥିଲେ ଜନସାଧାରଣଙ୍କ ନିତାନ୍ତ ଆବଶ୍ୟକ ଦାବିଗୁଡିକ ପ୍ରତି ରେଳବାଇ କର୍ତ୍ତୃପକ୍ଷ ସର୍ବଦା ପ୍ରଯତ୍ନଶୀଳ ହୋଇ କାର୍ଯ୍ୟ କରିଥାଏ। ଆଗାମୀ ଦିନରେ ଯେଉଁସବୁ ସମାସ୍ୟାଗୁଡିକ ରହିଛି ସେଗୁଡିକୁ ପୂରଣ କରାଯିବ ବୋଲି ପ୍ରକାଶ କରିଥିଲେ। ବରିଷ୍ଠ ବିଜେଡି ନେତା ଭାଗିରଥି କର, ସ୍ଥାନୀୟ ସରପଞ୍ଚ ଭୂବନେଶ୍ୱର ସ୍ୱାଇଁ, ସ୍ଥାନୀୟ ସମିତିସଭ୍ୟା, ସିନିୟର ଡିଭିଜନାଲ କମରସିଆଲ ମ୍ୟାନେଜର ଅମିତେଶ ଆନନ୍ଦ, ପୂର୍ବତଟ ରେଳବାଇ ବିଭାଗର ଲୋକ ସଂପର୍କ ଅଧିକାରୀ ନିହାର ରଞ୍ଜନ ମହାନ୍ତି, ଲୋକ ସଂପର୍କ ଇନ୍ସପେକ୍ଟର ଲଲିତା ପଣ୍ଡା ପ୍ରମୁଖ ଏହି ଉଦଘାଟନୀ ଉତ୍ସବରେ ଯୋଗଦେଇଥିଲେ। ବିନୋଦ ମାଝି ଧନ୍ୟବାଦ ଅର୍ପଣ କରିଥିଲେ।



