ପୁରୁଷୋତ୍ତମପୁର ଏନ୍ଏସିରେ ଅନାସ୍ଥା ପ୍ରସ୍ତାବ ପାଇଁ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଉପାଧ୍ୟକ୍ଷ ଓ କାଉନସିଲର
ଛତ୍ରପୁର: ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍ଏସିରେ ଏକ ପ୍ରକାରର ରାଜନୈତିକ ଉଷ୍ମତା ଆରମ୍ଭ ହୋଇଛି। ଯାହାକି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼ଙ୍କୁ ଗାଦିଚ୍ୟୁତ ଲାଗି ଅନାସ୍ଥା ପ୍ରସ୍ତାବ ନେଇ ସୋମବାର ଉପାଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ସମେତ ୮ ଜଣ କାଉନସିଲର ସମୁଦାୟ ୯ ଜଣ ଆଜି ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ନିକଟରେ ଫେରାଦ ହେବା ସହ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିବା ପାଇଁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଜିଲାପାଳ ଆଇନ ଅନୁସାରେ କାର୍ଯ୍ୟ କରାଯିବ ବୋଲି କହିଥିଲେ।
ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍ଏସିରେ ୧୪ଟି ଓ୍ବାର୍ଡ ରହିଥିବା ବେଳେ ଗୋଟିଏ ୱାର୍ଡରେ ନିର୍ବାଚନ ହୋଇନାହିଁ। ପୁରୁଷୋତ୍ତମପୁର ଏନ୍ଏସିରେ ଗତ ପୌର ନିର୍ବାଚନରେ ଅଧ୍ୟକ୍ଷା ପଦବୀଟି ସ୍ବାଧୀନ ପ୍ରାର୍ଥୀଙ୍କ ହାତକୁ ଯାଇ ପ୍ରିୟଙ୍କା ଗୌଡ଼ ଅଧ୍ୟକ୍ଷା ଭାବରେ ନିର୍ବାଚିତ ହୋଇଥିଲେ। କାଉନସିଲରମାନଙ୍କୁ ଅଧ୍ୟକ୍ଷା ଅଣଦେଖା କରୁଥିବା ସହ ନିଜ ଇଚ୍ଛାମୁତାବକ ବେଆଇନ ଭାବେ କାର୍ଯ୍ୟ କରୁଥିବା ଏନ୍ଏସିର ନିୟମ ଅନୁସାରେ ଅଧ୍ୟକ୍ଷା ନିୟମିତ ବୈଠକ ନ କରିବା, ବୈଠକରେ ଗୃହୀତ ଖସଡ଼ା ପଠନ ଓ ଦୃଢ଼ୀକରଣ କରୁ ନ ଥିବା,ଆୟବ୍ୟୟ ସମୀକ୍ଷା ନ କରିବା, ମାତ୍ରାଧିକ ଅର୍ଥ ବ୍ୟୟକରି ରାଜକୋଷ ଅର୍ଥ ହରିଲୁଟ୍ କରିବା, କାଉନସିଲରଙ୍କୁ ଅଧ୍ୟକ୍ଷା ଦୁର୍ବ୍ୟବହାର କରି ମନୋମୁଖୀ କାର୍ଯ୍ୟ କରୁଥିବା ଓ ରିଜୋଲେଶନ କପି ପ୍ରଦାନ ନ କରି ପରିଷଦରେ ପାରିତ ହୋଇଥିବା କାର୍ଯ୍ୟଖସଡ଼ାଗୁଡ଼ିକ ଚଞ୍ଚକତା କରି ନିଜ ମନ ମୁତାବକ ପାରିତ ପ୍ରସ୍ତାବକୁ ବଦଳାଇ ଖସଡ଼ା ପ୍ରସ୍ତୁତ କରିବା ସହ ଉନ୍ନୟନମୂଳକ କାର୍ଯ୍ୟକୁ ଟେଣ୍ଡର ନକରି ନିଜ ସମ୍ପର୍କୀୟମାନଙ୍କ ମାଧ୍ୟମରେ ନିମ୍ନମାନର କାର୍ଯ୍ୟ କରି ଅର୍ଥ ହରିଲୁଟ୍ କରିବା ନେଇ କାଉନସିଲରମାନେ ଅସନ୍ତୋଷ ବ୍ୟକ୍ତ କରି ଜିଲାପାଳଙ୍କଠାରେ ଲିଖିତ ଅଭିଯୋଗ କରି ଅନାସ୍ଥା ପ୍ରସ୍ତାବ ଲାଗି ଦାବି କରିଛନ୍ତି।
ଆଗାମୀ ଦିନରେ ଏହି ସଂଖ୍ୟା ବୃଦ୍ଧି ପାଇବ ବୋଲି କାଉନସିଲର ମାନେ କହିଥିଲେ। ଏହି ସ୍ମାରକପତ୍ର ପ୍ରଦାନ ବେଳେ ଉପାଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡା, କାଉନସିଲର ଅର୍ଚ୍ଚନା ପଣ୍ଡା, କେ. ପ୍ରମୋଦ କୁମାର ଆଚାରୀ, ସୁଜତା ବେହେରା, ଭବାନୀ ଶଙ୍କର ନାହାକ, ଗିରିଜା ବେହେରା, ଜମୁନା ବେହେରା, ଲିଙ୍ଗରାଜ ବେହେରା,ଭାସ୍କର ବେହେରା ପ୍ରମୁଖ ଉପସ୍ଥିତଥିଲେ। ସୂଚନା ଥାଉକି କିଛି ଦିନ ତଳେ ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ଅନାସ୍ଥାରେ ହାରିବା ପରେ ଏବେ ପୁରୁଷୋତ୍ତମପୁର ଏନଏସି ଅଧ୍ୟକ୍ଷା ଉପରେ ସମସ୍ତଙ୍କ ନଜର ରହିଛି।
Comments are closed.