www.samajalive.in
Sunday, December 14, 2025
26.1 C
Bhubaneswar

ଗୁଣ୍ଡିଚା ମନ୍ଦିର ଦଳାଚକଟା ଘଟଣା; ଆସିଲା ରିପୋର୍ଟ, କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା

ପୁରୀ/ଭୁବନେଶ୍ବର: ରଥଯାତ୍ରା ସମୟରେ ଦଳାଚକଟା ଯୋଗୁଁ ତିନି ଶ୍ରଦ୍ଧାଳୁଙ୍କ ମୃତ୍ୟୁକୁ ଏକ ମାସ ପୂରିଲା। ରାଜ୍ୟ ଉନ୍ନୟନ ଆୟୁକ୍ତ ଅନୁ ଗର୍ଗ ଏହି ଘଟଣାର ତଦନ୍ତ କରି ଗୁରୁବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। କେଉଁ ଅଧିକାରୀଙ୍କ ଅବହେଳାରୁ ଏତେବଡ଼ ଅଘଟଣ ଘଟିଲା ସେଥିନେଇ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଉନ୍ନୟନ ଆୟୁକ୍ତ। ଭବିଷ୍ୟତରେ କେଉଁ ପଦକ୍ଷେପ ଗ୍ରହଣ କରାଗଲେ ଏଭଳି ଘଟଣାର ପୁନରାବୃତ୍ତି ହେବନାହିଁ ସେଥିନେଇ ସେ ସୁପାରିସ କରିଛନ୍ତି। ତଦନ୍ତ ସମୟରେ ୬୭ଜଣଙ୍କ ବୟାନ ରେକର୍ଡ କରାଯାଇଛି। ରିପୋର୍ଟରେ କ’ଣ ରହିଛି, ଏତେ ବଡ଼ ଅଘଟଣ ପାଇଁ କିଏ ଦାୟୀ ତାହା ଜାଣିବା ଲାଗି ଜନସାଧାରଣଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି। ରଥଯାତ୍ରା ପରଦିନ ସକାଳୁ ଶରଧାବାଲିରେ ଦଳାଚକଟା ଘଟିବା ଦ୍ବାରା ଏଥିରେ ୩ ଜଣ ଶ୍ରଦ୍ଧାଳୁ ପ୍ରାଣ ହରାଇଥିଲେ ଏବଂ ୫୦ରୁ ଅଧିକ ଲୋକ ଆହତ ହୋଇଥିଲେ।

ଚଳିତବର୍ଷ ରଥଯାତ୍ରାରେ ବ୍ୟୟବହୁଳ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ (ଏଆଇ) ବ୍ୟବସ୍ଥା ବିଫଳ ହୋଇଥିବା ସ୍ପଷ୍ଟ ହୋଇଛି। କେବଳ
ସେତିକି ନୁହେଁ ପ୍ରୟାଗରାଜ ମହା କୁମ୍ଭମେଳା ପରିଚାଳନା ଢାଞ୍ଚାରେ ରଥଯାତ୍ରାରେ ଖୋଲାଯାଇଥିବା ସମନ୍ବିତ ନିୟନ୍ତ୍ରଣ କକ୍ଷ ମଧ୍ୟ ଜରୁରୀକାଳୀନ ସ୍ଥିତିରେ କାମରେ ଆସିନାହିଁ। ଏହି ଦୁଇଟି ବ୍ୟବସ୍ଥା ପାଇଁ ଖର୍ଚ୍ଚ କରାଯାଇଥିବା କୋଟି କୋଟି ଟଙ୍କା ପାଣିରେ ପଡ଼ିଛି। ରଥଯାତ୍ରା ପାଇଁ ୨୭୫ କ୍ଲୋଜ୍‌ ସର୍କିଟ କ୍ୟାମେରା ଲଗାଇବା ସହ ପୁରୀ ଟାଉନ୍ ଥାନାରେ ସମନ୍ବିତ ନିୟନ୍ତ୍ରଣ କକ୍ଷ ପ୍ରସ୍ତୁତିରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। କେତେକ ବ୍ୟକ୍ତି ଏବଂ ସଂଗଠନ ଏହି ମହାଦୁର୍ନୀତି ସମ୍ପର୍କରେ ଉନ୍ନୟନ ଆୟୁକ୍ତଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ରଥଯାତ୍ରାରେ ପୁରୀ ସମେତ ପୁରୀ-ଭୁବନେଶ୍ବର ଜାତୀୟ ରାଜପଥରେ ନିମ୍ନମାନର ସିସିଟିଭି ଲଗାଯାଇ ଥିଲା। ସେଥିରୁ ଅଧିକାଂଶ କାର୍ଯ୍ୟକ୍ଷମ ହୋଇପାରି ନଥିଲା। କୃତ୍ରିମ ବୁଦ୍ଧିମତା ପ୍ରଯୁକ୍ତି ବିଦ୍ୟାର ପ୍ର‌େ‌ୟାଗ ସତ୍ତ୍ୱେ ଦଳାଚକଟା ପୂର୍ବ ସ୍ଥିତି ବିଷୟରେ କୌଣସି ସତର୍କ ସୂଚନା ପ୍ରଶାସନ ପାଖରେ ପହଞ୍ଚି ନଥିଲା। ଗୁଣ୍ଡିଚା ମନ୍ଦିର ସମ୍ମୁଖ ବଡ଼ଦାଣ୍ଡରେ ଦଳାଚକଟା ବେଳେ ସମନ୍ବିତ ନିୟନ୍ତ୍ରଣ କକ୍ଷରେ କୌଣସି ଅଧିକାରୀ ଉପସ୍ଥିତ ଥିଲେକି ନାହିଁ ସେଥିନେଇ ସନ୍ଦେହ ସୃଷ୍ଟି ହୋଇଛି। କାରଣ ଗହଳି ନିୟନ୍ତ୍ରଣ, ଦଳାଚକଟା ପରିସ୍ଥିତି ଏଡ଼ାଇବା ଏବଂ ଦଳାଚକଟା ପରେ ମୃତାହତଙ୍କୁ ଉଦ୍ଧାର ପାଇଁ ତତ୍କାଳ କୁଇକ୍ ରେସପନ୍ସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥାହେଲା ଗୁଣ୍ଡିଚା ଯାତ୍ରା ପରଦିନ ତିନିରଥ ଶରଧାବାଲିରେ ପହଞ୍ଚିବା ପରେ ରାତିରେ ସୁରକ୍ଷା ବ୍ୟବସ୍ଥା ତଦାରଖ ଦାୟିତ୍ବରେ ଥିବା କୌଣସି ପୁଲିସ ଓ ପ୍ରଶାସନିକ ଅଧିକାରୀ ସେଠାରେ ଉପସ୍ଥିତ ନଥିଲେ। ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ବ୍ୟାରିକେଡ଼ କରାଯାଇ ନଥିଲା କିମ୍ବା ଆବଶ୍ୟକସଂଖ୍ୟକ ପୁଲିସ କର୍ମଚାରୀ ନଥିଲେ। ଏହାଛଡ଼ା ରାତିରେ ରଥ ଉପରେ ମହାପ୍ରଭୁଙ୍କୁ ପ୍ରାୟ ତିନିଘଣ୍ଟା ରାତ୍ର ପହୁଡ଼ କରାଯିବା ଯୋଗୁଁ ରାତିରେ ଦର୍ଶନ ପାଇଁ ଆସିଥିବା ଶ୍ରଦ୍ଧାଳୁ ଘଣ୍ଟା ଘଣ୍ଟା ଧରି ତିନିରଥ ସମ୍ମୁଖରେ ଅପେକ୍ଷା କରି ରହିଥିଲେ। ପ୍ରଭୁଙ୍କ ପହୁଡ଼ ଫିଟିବା ମାତ୍ରେ ଦର୍ଶନ ପାଇଁ ଅପେକ୍ଷାରତ ଭକ୍ତଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା। ଦଳାଚକଟାରେ ତିନିଜଣଙ୍କ ଅକାଳ ମୃତ୍ୟୁ ହୋଇଥିଲା। ବହୁ ଭକ୍ତ ଆହତ ହୋଇଥିଲେ। ମନ୍ଦିର ପ୍ରଶାସନ, ଜିଲା ପ୍ରଶାସନ ଓ ପୁଲିସ ଅଧିକାରୀ ସେଠାରେ ଉପସ୍ଥିତ ନଥିଲେ। ଏଥିପାଇଁ ମହାପ୍ରଭୁଙ୍କ ସମ୍ମୁଖରେ ଏତେବଡ଼ ଅଘଟଣ ଘଟିଲା। ପୁରୀ ରଥଯାତ୍ରା ଇତିହାସରେ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି ହେଲା। ରାଜ୍ୟ ସରକାର ସାଧାରଣରେ ନିନ୍ଦିତ ହେଲେ। ଭକ୍ତଙ୍କ ମଧ୍ୟରେ ଦଳାଚକଟା ବେଳେ ଶରଧାବାଲି ପୁଲିସ ସହାୟତା କେନ୍ଦ୍ର ଓ ଆଶୁ ଚିକିତ୍ସା କେନ୍ଦ୍ର ଖାଲି ପଡ଼ିଥିଲା। ଆମ୍ବୁଲାନ୍ସ ନଥିଲା କିମ୍ବା ଡାକ୍ତର ନଥିଲେ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଭକ୍ତଙ୍କ ଭିଡ଼ ଲାଗିଥିବାବେଳେ ଦୁଇଟି କାଠ ବୋଝେଇ ଟ୍ରକ୍‌ ସେଠାକୁ ଯିବାପାଇଁ ଅନୁମତି ଦେଇଥିବା ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି। ଏତଦ୍‌ବ୍ୟତୀତ ଚଳିତ ବର୍ଷ ରଥଯାତ୍ରାରେ ଜିଲା ପ୍ରଶାସନ ପକ୍ଷରୁ ପ୍ରାୟ ଆଠ ହଜାର କର୍ଡ଼ନ ପାସ୍‌ ବିତରଣ ସମେତ ବଡ଼ଦାଣ୍ଡ ଦୁଇପାର୍ଶ୍ବରେ ଶତାଧିକ ବ୍ୟବସାୟିକ ଷ୍ଟଲ୍‌ ନିର୍ମାଣ ପାଇଁ ପୁରୀ ପୌର ସଂସ୍ଥା ଅନୁମତି ଦେବା ଯୋଗୁଁ ଶରଧାବାଲି ସଙ୍କୁଚିତ ହୋଇଥିବା ଅଭିଯୋଗ ହୋଇଛି।

- Advertisement -

ଦଳାଚକଟା ଘଟଣା ପରେ ରାଜ୍ୟ ସରକାର ପୁରୀ ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ବଦଳି କରିଥିଲେ। କିନ୍ତୁ ସୁରକ୍ଷା ବ୍ୟବସ୍ଥା ଏବଂ ଗହଳି ନିୟନ୍ତ୍ରଣ ଦାୟିତ୍ବରେ ଥିବା ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। କ୍ଲୋଜ୍‌ ସର୍କିଟ କ୍ୟାମେରା ସଂଯୋଗ ଓ ସମନ୍ବିତ ନିୟନ୍ତ୍ରଣ କକ୍ଷ ବିଫଳତା ପାଇଁ ଦାୟୀ ଅଧିକାରୀଙ୍କୁ ସରକାର ସୁରକ୍ଷା ଦେଉଥିବା ଅଭିଯୋଗ ହୋଇଛି। ରାଜ୍ୟ ସରକାରଙ୍କ ପରବର୍ତ୍ତୀ କାର୍ଯ୍ୟନୁଷ୍ଠାନକୁ କୋଟି କୋଟି ଜଗନ୍ନାଥ ପ୍ରେମୀ ଅପେକ୍ଷା କରିଛନ୍ତି। ଯେଉଁ ଅଧିକାରୀଙ୍କ ଚରମ ଅବହେଳା ଏବଂ ଦାୟିତ୍ବହୀନତା ଯୋଗୁଁ ତିନିଜଣଙ୍କ ମୂଲ୍ୟବାନ ଜୀବନ ଚାଲିଗଲା ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଦଣ୍ଡ ପାଇଁ ସାଧାରଣରେ ମତ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ଶ୍ରୀମତୀ ଗର୍ଗ ଭୁବନେଶ୍ବର ସ୍ଥିତ ରାଜ୍ୟ ଅତିଥି ଭବନ ଏବଂ ପୁରୀ ସର୍କିଟ ହାଉସ୍‌ରେ ସାକ୍ଷ୍ୟ ଗ୍ରହଣ କରିଥିଲେ। ସେଠାରେ ଉପସ୍ଥିତ ଜନସାଧାରଣଙ୍କ ସହିତ ପ୍ରଶାସନିକ ଅଧିକାରୀ, ସେବାୟତଙ୍କ ପକ୍ଷ ଗ୍ରହଣ କରାଯାଇଥିଲା। ସେହିପରି ଘଟଣା ସମ୍ପର୍କିତ ଫଟୋ ଓ ଭିଡିଓ ମଧ୍ୟ ତଦନ୍ତରେ ସାମିଲ କରାଯାଇଥିଲା। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ ଜିଲାପାଳ ଓ ଏସ୍‌ପିଙ୍କୁ ଦାୟିତ୍ବରୁ ଅପସାରଣ କରିବା ସହିତ ଦୁଇ ଜଣ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ନିଲମ୍ବନ କରିଥିଲେ। ଏଥିସହ ୩୦ ଦିନ ମଧ୍ୟରେ ତଦନ୍ତ ଶେଷ କରିବା ଲାଗି ଉନ୍ନୟନ ଆୟୁକ୍ତ ଶ୍ରୀମତୀ ଗର୍ଗଙ୍କୁ ଦାୟିତ୍ବ ଦେଇଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories