କେମିତି ଖୋଲିବ ରତ୍ନଭଣ୍ଡାର: ଆଜି ନିର୍ଦ୍ଧାରଣ ହେବ ଏସ୍ଓ‌ପି

ଭୁବନେଶ୍ବର : ଦୀର୍ଘ ୪୬ବର୍ଷ ପରେ ଶ୍ରୀ ମନ୍ଦିର ରତ୍ନଭଣ୍ଡାର ଆସନ୍ତା ୧୪ତାରିଖ ରବିବାର ଖୋଲିବ। ରତ୍ନଭଣ୍ଡାର ଖୋଲାଯାଇ ରତ୍ନଗୁଡିକର ଗଣତିମଣତି ହେବ। ଏଥିସହିତ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ(ଏଏସଆଇ) ପରାମର୍ଶ ଅନୁଯାୟୀ ରତ୍ନଭଣ୍ଡାରର ଆବଶ୍ୟକ ମରାମତି ହେବ। ରତ୍ନଭଣ୍ଡାର ଖୋଲିବା ସମୟରେ କି କି ନିୟମ ପାଳନ କରାଯିବ ସେ ସଂକ୍ରାନ୍ତରେ ଆଜି(ଶନିବାର) ଏସ୍‌ଓପି(ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ ପ୍ରୋସିଜିଅର) ଜାରି ହେବ ବୋଲି ଆଇନ, ଅବକାରୀ ଓ ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। ରତ୍ନଭଣ୍ଡାର ଖୋଲିବାକୁ ନେଇ ରାଜ୍ୟବାସୀଙ୍କ ସହିତ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଓ ଉତ୍କଣ୍ଠା ବଢିବାରେ ଲାଗିଛି। ଆଜି  ରତ୍ନଭଣ୍ଡାର ଖୋଲିବା ନେଇ ଏସ୍‌ଓପି ଜାରିହେବ। ଏହାର ଆଇନଗତ ଓ ବିଭିନ୍ନ ଦିଗଗୁଡିକର ତର୍ଜମା କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସୂଚନା ଦେଇଛନ୍ତି । ପ୍ରକାଶ ଯେ, ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ନେଇ ବହୁ କାହାଣୀ, କିମ୍ବଦନ୍ତୀ ଓ ଲୋକଶ୍ରୁତି ରହିଛି। ୧୯୭୮ରେ ଶେଷଥର ପାଇଁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇଥିଲା। ୨୦୧୮ରେ ତତ୍କାଳୀନ ବିଜେଡି ସରକାର ରତ୍ନଭଣ୍ଡାର ଖୋଲି ଗଣତିମଣତି କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ପ୍ରତ୍ନତତ୍ତ୍ବ ବିଭାଗ, କୋର କମିଟି ସଦସ୍ୟ ଓ ସେବାୟତ ରତ୍ନଭଣ୍ଡାର ଭିତରେ ପ୍ରବେଶ କରିବାକୁ ନିଷ୍ପତ୍ତି ହୋଇଥିଲା। ଜିଲାପାଳଙ୍କ ଟ୍ରେଜେରରୁ ଆସିଥିବା ଚାବିରେ ଭିତର ରତ୍ନଭଣ୍ଡାର ଖୋଲାଯାଇ ପାରିନଥିଲା। ରତ୍ନଭଣ୍ଡାର ଖୋଲାଯିବା ନିଷ୍ପତ୍ତି ବନ୍ଦ ହୋଇଯାଇଥିଲା। ୨୦୨୩ରେ ପୁଣି ଥରେ ବିଜେଡି ସରକାର ରତ୍ନଭଣ୍ଡାର ଖୋଲିବା ସଂକ୍ରାନ୍ତରେ ନିଷ୍ପତ୍ତି ନେବା ପାଇଁ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ରତ୍ନଭଣ୍ଡାର ତଦାରଖ କମିଟି ଗଠନ କରିଥିଲେ। ଏକାଧିକଥର ଏହି କମିଟି ବୈଠକ ବସି ରତ୍ନଭଣ୍ଡାର ଖୋଲିବା ସଂକ୍ରାନ୍ତରେ ଆଲୋଚନା କରିଥିଲେ; କିନ୍ତୁ ରତ୍ନଭଣ୍ଡାର ଖୋଲାଯାଇପାରିନଥଲା। ଏହାକୁ ନେଇ ଶାସକ ବିଜେଡିକୁ ବିରୋଧୀ ବିଜେପି ଓ କଂଗ୍ରେସ ପକ୍ଷରୁ ଦୃଢ ସମାଲୋଚନା କରାଯାଇଥିଲା। ୨୦୨୪ ସାଧାରଣ ନିର୍ବାଚନରେ ଦଳ କ୍ଷମତାକୁ ଆସିଲେ ରତ୍ନଭଣ୍ଡାର ଖୋଲିବା ସହିତ ରତ୍ନଭଣ୍ଡାର ଚାବି ହଜିବା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବ ବୋଲି ବିଜେପି ନିର୍ବାଚନରେ ପ୍ରତିଶ୍ରୁତି ଦେଇଥିଲା। ବିଜେପି କ୍ଷମତାକୁ ଆସିବା ପରେ ରତ୍ନଭଣ୍ଡାର ସଂକ୍ରାନ୍ତରେ ପୂର୍ବ ସରକାର ଗଢିଥିବା ପୁରୁଣା କମିଟିକୁ ଭାଙ୍ଗି ଦେଇଥିଲେ। ଅବସରପ୍ରାପ୍ତ ବିଚାରପତି ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ଏକ ୧୬ଜଣିଆ ରତ୍ନଭଣ୍ଡାର ତଦାରଖ କମିଟି ଗଠନ କରିଥିଲେ। ଏହି କମିଟି ସରକାରଙ୍କୁ ରତ୍ନଭଣ୍ଡାର ଖୋଲିବାକୁ ସୁପାରିସ କରିଥିଲେ। କମିଟି ସୁପାରିସକ୍ରମେ ସରକାର ରତ୍ନଭଣ୍ଡାର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲି ଏ ସଂକ୍ରାନ୍ତରେ ଏସଓପି ଜାରି ହେବ। ଏସଓପି ଅନୁଯାୟୀ ରତ୍ନଭଣ୍ଡାର ଖୋଲିବା ସମୟରେ କେଉଁମାନେ ଉପସ୍ଥିତ ରହିବେ, ତାହା ସ୍ପଷ୍ଟ ହେବ। ରତ୍ନଭଣ୍ଡାରରେ ସାପ ଭୟ ଥିବାରୁ ରତ୍ନଭଣ୍ଡାର ଖୋଲାଯିବା ବେଳେ ସ୍ନେକ ହେଲ୍ପଲାଇନ ଓ ଡାକ୍ତର ଉପସ୍ଥିତ ରହିବେ। ଏଥିସହ ଖଣି ଅଞ୍ଚଳରେ ବ୍ୟବହାର ହେଉଥିବା ଏଲଇଡି ଲାଇଟ୍ ମୁଣ୍ଡରେ ଲଗାଇବାକୁ ବ୍ୟବସ୍ଥା କରାଯିବ। ଏହି ସମୟରେ ବାହାରେ ଆମ୍ବୁଲାନ୍ସ, ଉପସ୍ଥିତ ରହିବ। ଏନେଇ ଏସଓପି ଆସିବା ପରେ ସବୁକିଛି ସ୍ପଷ୍ଟ ହେବ।

Comments are closed.