www.samajalive.in
Saturday, December 6, 2025
26.1 C
Bhubaneswar

ସମ୍ପୂର୍ଣ୍ଣ ସୁସ୍ଥ ହେଲେ ମହାପ୍ରଭୁ

ପୁରୀ : ଦଶମୂଳ ମହୌଷଧି ସେବନ ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ମହାପ୍ରଭୁ।  ଶ୍ରୀମନ୍ଦିର ଅଣସର ଘରେ ସୋମବାର ଖଳିଲାଗି କରାଯାଇଛି। ସୁସ୍ଥ ହେବାପରେ ପ୍ରଭୁଙ୍କୁ ଫୁଲ ଓ ତୁଳସୀ ଲାଗି କରାଯାଇଛି। ଅଣସର ଘର ଚକା ଉପରେ ବିଜେ କରିଛନ୍ତି ଶ୍ରୀଜୀଉ। ସୋମବାର ଏକାଦଶୀ ତିଥିରେ ପଟ୍ଟିଦିଅଁଙ୍କ ଦ୍ବିତୀୟ ଭୋଗମଣ୍ଡପ ଏବଂ ଦକ୍ଷିଣଘର ଭୋଗ ପରେ ଜୟବିଜୟ ଦ୍ବାର ବନ୍ଦ କରାଯାଇଥିଲା। ବେହେରଣ ଦ୍ବାର ଫିଟିବା ପରେ ଦଇତାପତି ଅଣସର ଘରେ ପ୍ରବେଶ କରିଥିଲେ। ପ୍ରଭୁଙ୍କୁ ଖଳିଲାଗି କରାଯିବା ସହ ରକ୍ତବସ୍ତ୍ର ଲାଗି ହୋଇଥିଲା। ପତିମହାପାତ୍ର ପଣାଭୋଗ କରିଥିଲେ। ଏହାପରେ ବେହେରଣ ଦ୍ବାର ବନ୍ଦ କରାଯାଇଥିଲା। ପଟ୍ଟିଦିଅଁଙ୍କ ସନ୍ଧ୍ୟାଆଳତି, ବେଶ, ସନ୍ଧ୍ୟାଧୂପ ପରେ ପୁଣିଥରେ ଖୋଲା ଯାଇଥିଲା ବେହେରଣ ଦ୍ବାର। ଦଇତାପତି  ଭିତରକୁ ଯାଇ ଶ୍ରୀଜୀଉଙ୍କ ଅନବସର ନୀତି କରିଥିଲେ। ପଣାଭୋଗ ସହ ଦଶମୂଳ ମହୌଷଧି ଅର୍ପଣ କରାଯାଇଥିଲା। ଦାରୁବ୍ରହ୍ମଙ୍କ ପାଇଁ ରାଜବୈଦ୍ୟଙ୍କ ଘରେ ଶାଳପର୍ଣ୍ଣି, ଗମ୍ଭାରୀ, ନବାଙ୍ଗକୋଳି, ମଣପଣା, କୃଷ୍ଣପର୍ଣ୍ଣି, ବେଲ, ଖଣିବଥୁ, ପଟଳି, ଖୁଆ, ଅଙ୍କରାତି, ଗୋଖରା ଛେଲି ଓ ଚେରମୂଳିରେ ପ୍ରସ୍ତୁତ ମହୌଷଧି ପ୍ରଦାନ ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ଦାରୁବ୍ରହ୍ମ।

ନିର୍ମାଣାଧୀନ ତିନିରଥରେ ସୋମବାର କଳସ ଲଗାଯାଇଛି। ସେଥିରେ ଓଲଟ ଶୁଆ ସଂଯୋଗ ହୋଇଛି। ପାର୍ଶ୍ବ ଦେବଦେବୀଙ୍କୁ ରଥ ଚତୁଃପାର୍ଶ୍ବରେ ଲଗାଯିବା ସହ ହଂସପଟା ଓ କନ୍ୟାପଟା ଲଗାଯାଇଛି। ସିଂହାସନ ଉପରେ ପଟା ବାଡ଼ିଆ ଶେଷ ହୋଇଛି। ରଥ ଚକ ସମେତ ବିଭିନ୍ନ ଅଂଶକୁ ଚିତ୍ରକର ସେବକ ରଙ୍ଗ କରୁଛନ୍ତି। ମଙ୍ଗଳବାର ଠେକରାବାଡ ଲଗାଯିବ। ପ୍ରଭାଗୁଡିକରେ ଖୋଦେଇ ଏବଂ ଚିତ୍ର କରାଯାଉଛି। ରଥ ଅଶ୍ବ ଏବଂ ସାରଥିଙ୍କୁ ରଙ୍ଗ କରାଯାଉଛି। ରଥ ନିର୍ମାଣ ପ୍ରାୟ ୯୫% ଶେଷ ହୋଇଛି। ପଟାଗୁଜ ତଥା ଅସୁଆରୀରେ ନରବିରାଳ ଚିତ୍ରକୁ ନେଇ ମହାରଣା, ରୂପକାର ଏବଂ ଚିତ୍ରକାରଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ତିନିରଥର ପଟାଗୁଜ ଗୁଡ଼ିକରେ ଚିତ୍ରକାର ନରବିରାଳ ଚିତ୍ର କରିଛନ୍ତି। ଏହା ପରମ୍ପରା ବିରୋଧୀ ବୋଲି ନନ୍ଦିଘୋଷ ରଥ ମୁଖ୍ୟ ମହାରଣା ବିଜୟକୁମାର ମହାପାତ୍ର ମତ ଦେଇଛନ୍ତି। ଏହି ଘଟଣାକୁ କେନ୍ଦ୍ରକରି ସୋମବାର ଦୁଇଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଇଛି। ଅସୁଆରୀ ଗୁଡିକରେ ଗଜବିରାଳ ଏବଂ ସିଂହବିରାଳ ଚିତ୍ର କରାଯିବା ବିଧି ରହିଥିବା ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି। ରୂପକାର ଚିତ୍ର ଅଙ୍କନ କରିବା ପରେ ଚିତ୍ରକାର ସେଥିରେ ରଙ୍ଗ ଦେଇଛନ୍ତି। ଶ୍ରୀମନ୍ଦିର ପ୍ରଶାସକ (ଉନ୍ନୟନ) ଅଜୟ କୁମାର ଜେନା ଦୁଇଗୋଷ୍ଠୀ ସେବାୟତଙ୍କ ସହ ଆଲୋଚନା କରିଛନ୍ତି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories