ଶ୍ରୀମନ୍ଦିରରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ
ପୁରୀ: ପୁଲିସ ଓ ସେବାୟତଙ୍କ ବିବାଦର ସମାଧାନ ପରେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନକୁ ୨୪ ଘଣ୍ଟା ପୁରି ନଥିବା ବେଳେ ଶନିବାର ପୁଣି ନୂଆ ବିବାଦ ମୁଣ୍ଡ ଟେକିଛି । ଶନିବାର ଶ୍ରୀମନ୍ଦିରରେ ଜଣେ ନାବାଳିକାଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି । ପୀଡିତାଙ୍କ ବୟସ ୧୪ ବର୍ଷ ଏବଂ ତାଙ୍କ ଘର ଯାଜପୁର ଟାଉନରେ ବୋଲି ଜଣାପଡିଛି । ଶନିବାର ସକାଳେ ପରିବାର ସହ ଶ୍ରୀମନ୍ଦିରର ଭିତରକାଠ ନିକଟରେ ଶ୍ରୀଜିଉଙ୍କ ଦର୍ଶନ କରିବା ବେଳେ ଜଣେ ଆଇଆରବି କନେଷ୍ଟବଳ ନାବାଳିକାଙ୍କୁ ଅସଦାଚରଣ କରିଥିଲେ ବୋଲି ପୀଡିତା ଜଣଙ୍କ ଅଭିଯୋଗ କରିଛନ୍ତି । ଏନେଇ ପୀଡିତାଙ୍କ ବାପା ସିଂହଦ୍ବାର ଥାନାରେ ଅଭିଯୋଗ କରିବା ସହ ଏତଲା ଦେଇଛନ୍ତି । ଅଭିଯୋଗ ପରେ ପୁଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି ।
ସୂଚନାଯୋଗ୍ୟ, ପର୍ଯ୍ୟଟକଙ୍କୁ ନେଇ ଗୁରୁବାର ଶ୍ରୀମନ୍ଦିରେ ସେବାୟତ ଓ ପୁଲିସ ମଧ୍ୟରେ ବିବାଦ ଦେଖିବାକୁ ମିଳିଥିଲା । ପୁଲିସ ମାଡରେ ଜଣେ ସେବାୟତଙ୍କ ନାକ ଫାଟି ଯାଇଥିବା ବୋଲି ଅଭିଯୋଗ ହୋଇଥିଲା। ଏହାର ପ୍ରତିବାଦରେ ଶୁକ୍ରବାର ସେବାୟତମାନେ ଶ୍ରୀଜିଉଙ୍କ ନୀତିକାନ୍ତି ବନ୍ଦ କରିବା ସହ ସାଧାରଣ ଦର୍ଶନ ବନ୍ଦ ମଧ୍ୟ କରିଦେଇଥିଲେ । ଯାହାକୁ ନେଇ ଗତକାଲି ସିଂହଦ୍ବାର ନିକଟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।