କଲକାତା: ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧ ପ୍ରଦର୍ଶନ ଥମିବାର ନାଁ ନେଉନାହିଁ। ଏଥିପାଇଁ ସାରା ଦେଶରେ ଏବେ ବିକ୍ଷୋଭ ଜାରି ରହିଥିବା ବେଳେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କୁ ମଧ୍ୟ ଏନେଇ ଏକ ଅପ୍ରୀତିକର ପରିସ୍ଥିତିକୁ ସାମ୍ନା କରିବାକୁ ପଡ଼ିଛି। ମଙ୍ଗଳବାର ରାଜ୍ୟପାଳ ଯାଦବପୁର ବିଶ୍ୱବିଦ୍ୟାଳୟକୁ ଯାଇଥିବା ବେଳେ ଛାତ୍ରମାନେ ସେଠାରେ ତାଙ୍କୁ ବିରୋଧ କରିବା ସହ ଗାଡ଼ିରୁ ଓହ୍ଲାଇବାକୁ ଦେଇ ନ ଥିଲେ। ଯାଦବପୁର ବିଶ୍ୱ ବିଦ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆଜି ରାଜ୍ୟପାଳ ଯୋଗ ଦେବାର ଥିଲା। ମାତ୍ର ଗେଟ୍ ନିକଟରେ ହିଁ ତାଙ୍କୁ ବିରୋଧର ସାମ୍ନା କରିବାକୁ ପଡ଼ିଛି। ଛାତ୍ରମାନେ କଳା ପତାକା ପ୍ରଦର୍ଶନ କରିବା ସହ ତାଙ୍କୁ ବିଶ୍ୱ ବିଦ୍ୟାଳୟ ଭିତରକୁ ପ୍ରବେଶ କରିବାକୁ ଦେଇ ନାହାନ୍ତି।

ଅପରପକ୍ଷରେ ରାଜ୍ୟପାଳ ଧନଖଡ଼ ଏନେଇ ଟ୍ୱିଟ୍ କରି ଘଟଣାର ତୀବ୍ର ନିନ୍ଦା କରିବା ସହ ଉଦ୍ବେଗ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି, “ଏଠାକୁ ଛାତ୍ରମାନେ ଉଚ୍ଚ ଶିକ୍ଷା ଗ୍ରହଣ କରିବାକୁ ଆସନ୍ତି। ଯଦ୍ୱାରା ସେମାନେ ସମାଜର ଉନ୍ନତିରେ ଯୋଗଦାନ କରିପାରିବେ। ମାତ୍ର ଯେଉଁଭଳି ଭାବେ ଆଜି ବିଶ୍ୱ ବିଦ୍ୟାଳୟର ରାସ୍ତା ଅବରୋଧ କରାଗଲା, ତାହା ବାସ୍ତବରେ ନିନ୍ଦନୀୟ। ଏହା ଏକ ଚିନ୍ତାଜନକ ସ୍ଥିତି। ଯେଉଁମାନେ ରାସ୍ତା ଅବରୋଧ କରୁଥିଲେ, ସେମାନଙ୍କ ସଂଖ୍ୟା ପ୍ରାୟ ମାତ୍ର ୫୦ ହିଁ ଥିଲା। ଆଇନ ବ୍ୟବସ୍ଥାକୁ ଏଠି ବନ୍ଧକ ରଖାଯାଇଛି ଏବଂ କାର୍ଯ୍ୟରେ ନିୟୋଜିତ ଲୋକେ ନିଜ ଦାୟିତ୍ୱ ଭୁଲି ଯାଇଛନ୍ତି। ଏହା ଏକ ପତନ ଯାହା କେବଳ ହାନିକାରକ ପରିଣାମ ଦେବ। ଏଠାରେ ଆଇନକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରାଯାଉଛି। ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ଜଣେ କୁଳାଧିପତି ଓ ରାଜ୍ୟପାଳ ଭାବେ ଏହା ମୋ ପାଇଁ ଅତ୍ୟନ୍ତ କଷ୍ଟଦାୟକ ପରିସ୍ଥିତି”।
ସୂଚନାଯୋଗ୍ୟ, ପୂର୍ବରୁ ସୋମବାର ମଧ୍ୟ ଏଠାରେ ରାଜ୍ୟପାଳଙ୍କୁ ବିରୋଧ କରାଯାଇଥିଲା। ତାଙ୍କ ଗାଡ଼ିକୁ ଅଟକାଇବା ସହ ନାରାବାଜି କରାଯାଇଥିଲା।



