“ପୁରୁଣା ପେନସନ ଆମର ହକ୍” ପାଇଁ ଅଣ୍ଟା ଭିଡିଲେ ଶିକ୍ଷକ
କଟକ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଆଠଗଡ ଶାଖା ଗଠିତ
ଆଠଗଡ : ନୂଆ ପେନସନ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ନେଇ କଟକ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଆଠଗଡ ବ୍ଲକ ଶାଖା ଗଠିତ ହୋଇଯାଇଛି । ସ୍ଥାନୀୟ ବିଶ୍ୱନାଥ ଆଦର୍ଶ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ଏକ ବୈଠକରେ ଆଠଗଡ ବ୍ଲକ ଶାଖା ଗଠିତ ହେବା ସହ ନୂତନ କର୍ମକର୍ତ୍ତା ସର୍ବସମ୍ମତକ୍ରମେ ମନୋନୟନ କରାଯାଇଛି। ଏଥି ସହିତ ଏହି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ନୂତନ ପେନସନ ବ୍ୟବସ୍ଥାକୁ ବିରୋଧ କରି ପୁରୁଣା ପେନସନ ବ୍ୟବସ୍ଥାକୁ ଯଥାଶୀଘ୍ର ଲାଗୁ କରିବା ପାଇଁ ଦାବି କରାଯାଇଥିଲା । ବରିଷ୍ଠ ଶିକ୍ଷକ ପ୍ରତାପ କୁମାର ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ନୂତନ ପେନସନ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ବୈଠକରେ ପୁରୁଣା ପେନସନ ବ୍ୟବସ୍ଥା ପୂର୍ବବତ ଲାଗୁ କରିବା ପାଇଁ ଦାବି କରାଯାଇଥିଲା । ପୁରୁଣା ପେନସନ ବ୍ୟବସ୍ଥା ଆମର ହକ୍ ବୋଲି ଶିକ୍ଷକ ନେତାମାନେ ପ୍ରକାଶ କରିବା ସହ ଏହି ଦାବି ହାସଲ ପାଇଁ ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ (ନୂତନ ପେନସନ ବ୍ୟବସ୍ଥା) ଅଣ୍ଟା ଭିଡିଛି ଏବଂ ସରକାର ସେମାନଙ୍କ ନାର୍ଯ୍ୟ ଦାବିକୁ ମାନିନେଇ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରନ୍ତୁ। ନଚେତ ରାଜ୍ୟବ୍ୟାପୀ ଏହି ସଂଘ ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଏଥିରେ ଯୋଗଦେଇଥିବା ସମ୍ମାନିତ ଅତିଥି ଓପ୍ତା ସଂଘର ରାଜ୍ୟ ସଂପାଦକ ଅଦ୍ୱୈତ ଚରଣ ଜେନା, ତିଗିରିଆ ବ୍ଲକ ସଭାପତି ଚନ୍ଦ୍ରକାନ୍ତ ମିଶ୍ର ଓ ରାଜ୍ୟସ୍ତରୀୟ ଶିକ୍ଷକ ନେତା ପ୍ରଶାନ୍ତ କୁମାର ମହାପାତ୍ର ଚେତାଇ ଦେଇଥିଲେ। ନୂତନ ପେନସନ ବ୍ୟବସ୍ଥା ଓ ପୁରାତନ ପେନସନ ବ୍ୟବସ୍ଥା ମଧ୍ୟରେ ଥିବା ପାର୍ଥକ୍ୟ ଏବଂ ତାରତମ୍ୟ ସଂପର୍କରେ ଏହି ଶିକ୍ଷକ ନେତାମାନେ ବୁଝାଇଥିଲେ। ଏହି ନୂତନ ବ୍ୟବସ୍ଥା ଶିକ୍ଷକମାନଙ୍କ ସ୍ୱାର୍ଥ ବିରୋଧୀ ବୋଲି ସେମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଆଠଗଡ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ (ଏନପିଏସ) ଗଠିତ ହେବା ସହ ନୂତନ ସଭାପତି ଭାବେ ଚାରୁଚନ୍ଦ୍ର ବେହେରା ସର୍ବସମ୍ମତକ୍ରମେ ନିର୍ବାଚିତ ହୋଇଥିଲେ। ଏଥି ସହିତ କାର୍ଯ୍ୟକାରୀ ସଭାପତି ଭାବେ ଦିପ୍ତୀରଞ୍ଜନ ବେହେରା ଓ ଆଲୋକ କୁମାର ରାଉତ, ଉପସଭାପତି ରେଣୁବାଳା ପାଲ୍, ସଂପାଦକ ହରପ୍ରସାଦ ବେହେରା, କୋଷାଧ୍ୟକ୍ଷ ଗଦାଧର ଲେଙ୍କା ଏବଂ ଗଣମାଧ୍ୟମ ସଂଯୋଜକ ଭାବେ ପ୍ରଶାନ୍ତ କୁମାର ସାହୁ ଓ ସଂଯୁକ୍ତା ପାଲ୍ ସର୍ବସମ୍ମତକ୍ରମେ ମନୋନୀତ ହୋଇଥିଲେ। ସେହିପରି ବିପିନି ବିହାରୀ ପୃଷ୍ଟି, ଅକ୍ଷୟ କୁମାର ପ୍ରଧାନ, ଲକ୍ଷ୍ମୀପ୍ରିୟା ବେହେରା ଓ ଅମୀୟ ରଞ୍ଜନ ସାହୁ ସଂଘର ସଂଗଠନ ଦାୟିତ୍ୱ ନିର୍ବାହ କରିବାକୁ ଥିବାବେଳେ ଉପଦେଷ୍ଟା ମଣ୍ଡଳିର ସଦସ୍ୟ ଭାବେ ପ୍ରତାପ କୁମାର ସାହୁ, ବିଭୂପ୍ରସାଦ ମହାପାତ୍ର, ପ୍ରକାଶ କୁମାର ମହାପାତ୍ର ଓ ଆଶୁତୋଷ ମଲ୍ଲିକ ମନୋନୀତ ହୋଇଛନ୍ତି। ଆଠଗଡ ବ୍ଲକରେ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକ ମାନଙ୍କର ବିଭିନ୍ନ ସମସ୍ୟା ଗୁଡିକୁ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିବେ ବୋଲି ନୂତନ କର୍ମକର୍ତ୍ତାମାନେ ପ୍ରକାଶ କରିଥିଲେ। ପୁରୁଣା ପେନସନ ବ୍ୟବସ୍ଥାକୁ ଲାଗୁ କରିବା ପାଇଁ ରାଜ୍ୟ ସଂଘ ପକ୍ଷରୁ ଯାହାବି ନିଷ୍ପତ୍ତି ଗ୍ରହଣ କରାଯିବ ତାକୁ ଆଠଗଡ ସଂଘ ପୂର୍ଣ୍ଣ ସମର୍ଥନ ଓ ସହଯୋଗ କରିବ ବୋଲି ନବ ନିର୍ବାଚିତ ସଭାପତି ଚାରୁଚନ୍ଦ୍ର ବେହେରା ପ୍ରକାଶ କରିଛନ୍ତି। ଶେଷରେ ଶିକ୍ଷକ ପ୍ରକାଶ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.