- ରାଉରକେଲାରେ ଇସ୍ପାତ୍ ସ୍ନାତକୋତର ପ୍ରତିଷ୍ଠାନ ଏବଂ ସୁପର ସ୍ପେଶାଲିଟି ହସ୍ପିଟାଲ ରାଷ୍ଟ୍ରପତିଙ୍କ ଦ୍ୱାରା ଲୋକାର୍ପିତ
- ସ୍ଥାନୀୟ ଭାଷାରେ ରାଉରକେଲାର ଅର୍ଥ ହେଉଛି ‘ଆପଣଙ୍କ ଗାଁ’। ଅର୍ଥାତ୍ ଆଜି ମୁଁ ମୋ ଗାଁକୁ ହସ୍ପିଟାଲ ଉଦ୍ଘାଟନ ପାଇଁ ଆସିଛି: ରାଷ୍ଟ୍ରପତି
- ହସ୍ପିଟାଲ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ, ସେଲ୍, ରାଉରକେଲା ଇସ୍ପାତ୍ କାରଖାନାକୁ ଧନ୍ୟବାଦ
- ଭାରତ ସରକାରଙ୍କ ୨୯୫ କୋଟି ସହଯୋଗରେ ନିର୍ମିତ ହୋଇଛି ହସ୍ପିଟାଲ
- ସୁନ୍ଦରଗଡବାସୀଙ୍କ ଦୀର୍ଘ ଦିନର ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସୁବିଧା ପାଇବା ସ୍ୱପ୍ନ ସାକାର
- ପ୍ରଧାନମନ୍ତ୍ରୀଙ୍କ ପ୍ରତି ବିଶ୍ୱାସ ଏବଂ ଶ୍ରଦ୍ଧା କାରଣରୁ ସୁପର ସ୍ପେଶାଲିଟି ହସ୍ପିଟାଲ ପ୍ରତିଷ୍ଠା ହୋଇଛି
- ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ିବ ଏହି ହସ୍ପିଟାଲ
- କରୋନା ସମୟରେ ଆଇଜିଏଚ ହସ୍ପିଟାଲର ଦକ୍ଷ ପରିଚାଳନା ପ୍ରଶଂସନୀୟ
- ସୁନ୍ଦରଗଡରେ ବୃକ୍ଷରୋପଣକୁ ଜନଆନ୍ଦୋଳନ କରିବା ପାଇଁ ସେଲକୁ ପରାମର୍ଶ
ରାଉରକେଲା: ସୁଶାସନ ପ୍ରତିଷ୍ଠା ବିଶେଷତଃ ଦୁଇଟି ସ୍ତମ୍ଭକୁ ଆଧାର କରି ହୋଇଥାଏ ଏବଂ ଶିକ୍ଷା, ସ୍ୱାସ୍ଥ୍ୟ ହିଁ ଏହି ସୁଶାସନର ୨ଟି ମୁଖ୍ୟ ସ୍ତମ୍ଭ ବୋଲି ରବିବାର ରାଉରକେଲା ଇସ୍ପାତ୍ କାରଖାନାର ଇସ୍ପାତ୍ ସ୍ନାତକୋତର ପ୍ରତିଷ୍ଠାନ ଏବଂ ସୁପର ସ୍ପେଶାଲିଟି ହସ୍ପିଟାଲକୁ ରାଷ୍ଟ୍ର ଉଦେଶ୍ୟରେ ଲୋକାର୍ପଣ କରିବା ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ଆର୍ôଥକ ସହଯୋଗରେ ରାଉରକେଲା ଠାରେ ସୁପର ସ୍ପେଶାଲିଟି ହସ୍ପିଟାଲ ପ୍ରତିଷ୍ଠା କରାଯାଇ ସୁନ୍ଦରଗଡବାସୀ ବିଶେଷଭାବରେ ଜନଜାତିଙ୍କ ପ୍ରତି ଥିବା ଦାୟିତ୍ୱକୁ ପୂରଣ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଯେ ସ୍ଥାନୀୟ ଭାଷାରେ ରାଉରକେଲାର ଅର୍ଥ ହେଉଛି ‘ଆପଣଙ୍କ ଗାଁ’। ଅର୍ଥାତ୍ ଆଜି ମୁଁ ମୋ ଗାଁକୁ ହସ୍ପିଟାଲ ଉଦ୍ଘାଟନ ପାଇଁ ଆସିଛି। ଅପରପକ୍ଷରେ ସେ କହିଛନ୍ତି ସାରା ବିଶ୍ୱରେ ସ୍ୱାସ୍ଥ୍ୟକୁ ବିଶେଷ ଭାବେ ଗୁରୁତ୍ୱ ଦିଆଯାଉଛି। ଗରିବ ଲୋକଙ୍କ କଲ୍ୟାଣ ପାଇଁ ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ କରାଯାଇଥିବା ବେଳେ କୋଭିଡ୍ ପରିଚାଳନାରେ ଭାରତ ବିଶ୍ୱରେ ଉଦାହରଣ ତିଆରି କରିପାରିଛି। ଆଜି ଲୋକାର୍ପିତ ସୁପର ସ୍ପେଶିଆଲିଟି ହସ୍ପିଟାଲର ସୁବିଧା କେବଳ ରାଉରକେଲାବାସୀ ନୁହେଁ ବରଂ ଓଡିଶା ସହ ପଡୋଶୀ ରାଜ୍ୟ ଛତିଶଗଡ ଓ ଝାଡଖଣ୍ଡର ଲୋକେ ଉପକୃତ ହୋଇପାରିବେ। ଅପରପକ୍ଷରେ ହକି କ୍ରୀଡା ସମ୍ପର୍କରେ କହିଛନ୍ତି ଯେ ଓଡିଶା ଭାରତକୁ ଅନେକ ହକି ଖେଳାଳି ଦେଇଛି। ଓଡିଶାର ଖେଳାଳିମାନେ ଭାରତକୁ ପ୍ରତିନିଧିତ୍ୱ କରୁଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି।

ସେହିପରି ଏହି ହସ୍ପିଟାଲ ପ୍ରତିଷ୍ଠା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ରୀୟ ରଷ୍ଟ୍ରାୟତ ଉଦ୍ୟୋଗ ସେଲ୍, ରାଉରକେଲା ଇସ୍ପାତ୍ କାରଖାନା ଓ ହସ୍ପିଟାଲ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ଧନ୍ୟବାଦ ଦେବା ସହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୫ରେ ରାଉରକେଲାକୁ ଆସିଥିବା ସମୟରେ ଏଠାରେ ସୁପର ସ୍ପେଶାଲିଟି ହସ୍ପିଟାଲ ପ୍ରତିଷ୍ଠା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଆଜି ରାଉରକେଲାବାସୀ ‘ମିଶନ ପୂର୍ବୋଦୟ’ରେ ସେହି ପ୍ରତିଶ୍ରୁତି ପାଳନର ମୁଖସାକ୍ଷୀ ହୋଇଛନ୍ତି ଓ ସେମାନଙ୍କ ଦୀର୍ଘ ଦିନର ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସୁବିଧା ପାଇବା ସ୍ୱପ୍ନ ମଧ୍ୟ ସାକାର ହୋଇଛି। ଭାରତ ସରକାରଙ୍କ ୨୯୫ କୋଟି ଟଙ୍କା ସହଯୋଗରେ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ସୁପର ସ୍ପେଶାଲିଟି ହସ୍ପିଟାଲ ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ିବ ଏବଂ ରାଉରକେଲା ସମେତ ସମଗ୍ର ଓଡ଼ିଶା ଓ ପଡ଼ୋଶୀ ରାଜ୍ୟର ଲୋକଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇବ। ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ବିଶ୍ୱାସ ଏବଂ ଶ୍ରଦ୍ଧା କାରଣରୁ ଆଜି ସୁପର ହସ୍ପିଟାଲ ପ୍ରତିଷ୍ଠା ହୋଇପାରିଛି ଏବଂ ଗରିବ କଲ୍ୟାଣର ମନ୍ତ୍ରରେ କ୍ରିୟାନ୍ୱୟନ ହୋଇଥିବା କାର୍ଯ୍ୟର ମୁଖସାକ୍ଷୀ ଆଜି ରାଉରକେଲାବାସୀ ହୋଇଛନ୍ତି। ଏହି ଅତ୍ୟାଧୁନିକ ହସ୍ପିଟାଲ ସୁନ୍ଦରଗଡ଼ବାସୀଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଦାୟିତ୍ୱ, ଭେଟି ଓ ଉପହାର ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ବିଗତ ୬୦ ବର୍ଷ ଧରି ରାଉରକେଲାରେ ନିଜର ସାମାଜିକ ଦାୟିତ୍ୱ ଭାବେ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଉଥିବା ରାଉରକେଲା ଇସ୍ପାତ୍ କାରଖାନା ପରମ୍ପରା କ୍ରମରେ ସୁପର ସ୍ପେଶାଲିଟି ହସ୍ପିଟାଲ ପ୍ରତିଷ୍ଠା କରିଆସୁଛି। ୨୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲରେ ନ୍ୟୁରୋଲୋଜି, ନ୍ୟୁରୋସର୍ଜରୀ, କାର୍ଡିଓଲୋଜି, କାର୍ଡିଓଥରାସିକ, ଭାସ୍କୁଲାର୍ ସର୍ଜରୀ ଏବଂ ନେଫ୍ରୋଲୋଜିର ସୁବିଧା ଉପଲବ୍ଧ ରହିଛି। କରୋନା ସମୟରେ ମଧ୍ୟ ଏହି ହସ୍ପିଟାଲ ଓଡ଼ିଶାବାସୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଦେବା ସହ ଦକ୍ଷ ପରିଚାଳନାକୁ ସୁନିଶ୍ଚିତ କରିଥିଲା। ଆଇଜିଏଚରେ ଭାଇରୋଲୋଜି ଲ୍ୟାବ୍, ପ୍ଲାଜମା ବ୍ୟାଙ୍କର ପ୍ରତିଷ୍ଠା କରାଯାଇ ଲୋକଙ୍କୁ ବିଭିନ୍ନ ସୁବିଧା ଦିଆଯାଇପାରିଥିଲା। ଆଗାମୀ ଦିନରେ ଏହି ହସ୍ପିଟାଲ ଓଡ଼ିଶାର ଲୋକଙ୍କ ପାଇଁ ସେବା ଜାରି ରଖିବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି।

ଆଜି ବିଶ୍ୱ ଜଙ୍ଗଲ ଦିବସ। ଏହି ଅବସରରେ ଅପାର ସମ୍ଭାବନାର ଖଣି ଅଂଚଳ ସୁନ୍ଦରଗଡ ଜିଲ୍ଲା ଏବଂ ବିଶେଷ ଭାବରେ ରାଉରେକଲାକୁ ସବୁଜ ସୁନ୍ଦର କରିବା ପାଇଁ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନେଇ ଏହାକୁ ଜନଆନ୍ଦୋଳନର ରୂପ ଦେବା ପାଇଁ ଶ୍ରୀ ପ୍ରଧାନ ସେଲକୁ ଦାୟିତ୍ୱ ଦେଇଛନ୍ତି। ଏହି ସୁପର ସ୍ପେଶାଲିଟି ହସ୍ପିଟାଲର ଲୋକାର୍ପଣ ଉତ୍ସବରେ ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ଇସ୍ପାତ୍ ରାଷ୍ଟ୍ର ମନ୍ତ୍ରୀ ଫଗନ ସିଂହ କୁଲସ୍ତେଜୀ, ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ, ସୁନ୍ଦରଗଡ଼ ଜିଲାର ବିଧାୟକ କୁସୁମ ଟେଟେ, ଭବାନୀ ଭୋଇ, ଶଙ୍କର ଓରାମ, ଭାରତ ସରକାରଙ୍କ ଇସ୍ପାତ୍ ମନ୍ତ୍ରାଣାଳୟର ସଚିବ ପି.କେ ତ୍ରିପାଠୀ ଏବଂ ସେଲର ପ୍ରଥମ ମହିଳା ଚେୟାରମ୍ୟାନ ଶ୍ରୀମତି ସୋମା ମଣ୍ଡଳ ପ୍ରମୁଖ ଉପସ୍ଥିତ ରହିଥିଲେ।



