ଠେଲାଗାଡ଼ିରେ ଗର୍ଭବତୀ ପତ୍ନୀଙ୍କୁ ଡାକ୍ତରଖାନା ନେଲେ ସ୍ବାମୀ
ଆସିଲାନି ଆମ୍ବୁଲାନ୍ସ
ଭୋପାଳ : ମଧ୍ୟପ୍ରଦେଶର ଦାମୋହ ଜିଲା ମୁଖ୍ୟାଳୟଠାରୁ ୬୦ କିମି ଦୂର ରାନେହ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଦୀର୍ଘ ଦୁଇ ଘଣ୍ଟା ଅପେକ୍ଷା କରିବା ପରେ ଆମ୍ବୁଲାନ୍ସ ନ ଆସିବାରୁ ଗର୍ଭବତୀ ପତ୍ନୀଙ୍କୁ ଠେଲା ଗାଡ଼ିରେ ଡାକ୍ତରଖାନା ନେଇଛନ୍ତି ସ୍ବାମୀ। ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଛି।ସୂଚନାନୁଯାୟୀ କୈଳାସ ଅହିୱାର ନାମକ ଜଣେ ବ୍ୟକ୍ତିଙ୍କ ପତ୍ନୀ ଗର୍ଭ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନା ନେବାକୁ କୈଳାସ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ତେବେ ଫୋନ୍ କରିବାର ୨ ଘଣ୍ଟା ପରେ ମଧ୍ୟ ଆମ୍ବୁଲାନ୍ସ ଆସିନଥିଲା। ଏଣେ ପତ୍ନୀଙ୍କ ଅବସ୍ଥା ଗୁରୁତର ହେବା ଦେଖି ଅନ୍ୟ ଉପାୟ ନ ପାଇ କୈଳାସ ଏକ ଠେଲାଗାଡ଼ିରେ ତାଙ୍କୁ ନିକଟସ୍ଥ ଆରୋଗ୍ୟ କେନ୍ଦ୍ରକୁ ନେଇଥିଲେ । ତେବେ ସେଠାରେ କୌଣସି ଡାକ୍ତର କିମ୍ବା ସେବିକା ନ ଥିବା କୈଳାସ ଅଭିଯୋଗ କରିଛନ୍ତି। କିଛିସମୟ ପରେ କୈଳାସଙ୍କ ପତ୍ନୀଙ୍କୁ ସେଠାରୁ ହାଟା ଡାକ୍ତରଖାନାକୁ ଆମ୍ବୁଲାନ୍ସ ଯୋଗେ ନିଆଯାଇଥିଲା। ତେବେ ହାଟା ଡାକ୍ତରଖାନାରେ ଉପଯୁକ୍ତ ଚିକିତ୍ସା ସୁବିଧା ନ ଥିବାରୁ ଗର୍ଭବତୀଙ୍କୁ ଜିଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
କୈଳାସ ନିଜ ପତ୍ନୀଙ୍କୁ ଠେଲାଗାଡ଼ିରେ ଡାକ୍ତରଖାନା ନେଇ ଯାଉଥିବା ବେଳର ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବା ପରେ ଏହାକୁ ନେଇ ତଦନ୍ତ ନିର୍ଦେଶ ଦିଆଯାଇଛି ବୋଲି ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। କେଉଁ ପରିସ୍ଥିତିରେ ଗର୍ଭବତୀଙ୍କ ନିକଟରେ ଆମ୍ବୁଲାନ୍ସ ପହଞ୍ଚି ପାରିଲା ନାହିଁ ସେ ସଂପର୍କରେ ତଦନ୍ତ କରାଯିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି।
Comments are closed.