ଡେସ୍କ: ୨୦୨୩-୨୪ ସାଧାରଣ ବଜେଟ ପାଇଁ ଆସନ୍ତା ସୋମବାର ଅର୍ଥାତ ନଭେମ୍ବର ୨୧ରୁ ପ୍ରାକ-ବଜେଟ୍ ବୈଠକ ଆରମ୍ଭ ହେବ। ଭର୍ଚୁଆଲ୍ ଜରିଆରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବୈଠକ କରିବେ। ଏହି ବୈଠକରେ ଜଳବାୟୁ ପରିବର୍ତ୍ତନ ଏବଂ ଭିତ୍ତିଭୂମି ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ବିଶେଷ ଧ୍ୟାନ ଦିଆଯିବ। ନଭେମ୍ବର ୨୧ରେ ଶିଳ୍ପ, ଭିତ୍ତିଭୂମି କ୍ଷେତ୍ର ଏବଂ ପରିବେଶ ବିଶେଷଜ୍ଞଙ୍କ ସହ ବୈଠକ ହେବ।
ନଭେମ୍ବର ୨୨ରେ, ଶ୍ରୀମତୀ ସୀତାରମଣ କୃଷି ଏବଂ କୃଷି ପ୍ରକ୍ରିୟାକରଣ ଶିଳ୍ପ, ଆର୍ଥିକ କ୍ଷେତ୍ର ଏବଂ ପୁଞ୍ଜି ବଜାରର ପ୍ରତିନିଧୀଙ୍କୁ ଭେଟିବେ। ନଭେମ୍ବର ୨୪ରେ ସ୍ୱାସ୍ଥ୍ୟ, ଶିକ୍ଷା, ଜଳ ଏବଂ ପରିମଳ ସମେତ ସାମାଜିକ କ୍ଷେତ୍ରର ବିଶେଷଜ୍ଞଙ୍କ ବ୍ୟତୀତ ସେବା କ୍ଷେତ୍ର ଏବଂ ବାଣିଜ୍ୟ ସଂସ୍ଥାର ପ୍ରତିନିଧୀଙ୍କୁ ସେ ଭେଟିବାର କାର୍ଯ୍ୟକ୍ରମ ରହିଛି। ସେହିପରି ଟ୍ରେଡ ୟୁନିଅନର ପ୍ରତିନିଧୀ ତଥା ଅର୍ଥନୀତିଜ୍ଞଙ୍କ ସହ ପ୍ରାକ-ବଜେଟ୍ ବୈଠକ ନଭେମ୍ବର ୨୮ ପାଇଁ ଧାର୍ଯ୍ୟ କରାଯାଇଛି। ୨୦୨୩ ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ସଂସଦରେ ବଜେଟ ଉପସ୍ଥାପନ କରିବେ।



