www.samajalive.in
Saturday, December 6, 2025
19.1 C
Bhubaneswar

ଓଡ଼ିଶା କ୍ରିକେଟ୍‍ ସମୁଦାୟ ସ୍ତବ୍‍ଧ; ପ୍ରଶାନ୍ତ ମହାପାତ୍ରଙ୍କ ଅକାଳ ବିୟୋଗ

କଟକ: ଓଡ଼ିଶା କ୍ରିକେଟ୍‍ର ଅନ୍ୟତମ ଖ୍ୟାତନାମା ଖେଳାଳି ପ୍ରଶାନ୍ତ ମହାପାତ୍ରଙ୍କର ବୁଧବାର ଅକାଳ ବିୟୋଗ ହୋଇଛି। କିଛିଦିନ ହେଲା ସେ କୋଭିଡ୍‍-୧୯ରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମ୍‍ସରେ ଚିକିତ୍ସାଧୀନ ଥିଲେ। କିଛିଦିନ ତଳେ ପ୍ରଶାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ଆଇସିୟୁରେ ରଖା ଯାଇଥିଲା ଏବଂ ଭେଣ୍ଟିଲେଟରରେ ଥିଲେ। ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ବେ ବୁଧବାର ସକାଳ ୭ଟା ୫୧ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ୪୭ ବର୍ଷ ବୟସ୍କ ପ୍ରଶାନ୍ତ ଓଡ଼ିଶା ରଣଜୀ ଟ୍ରଫି ଦଳର ଜଣେ ସଫଳ ଓପ୍‍ନର ଥିଲେ। କ୍ରିକେଟ୍‍ରୁ ଅବସର ପରେ ପ୍ରଶାନ୍ତ ବିସିସିଆଇ କ୍ରିକେଟ୍‍ ପ୍ରଶିକ୍ଷକ ଓ ମ୍ୟାଚ୍‍ ରେଫରୀ ଦାୟିତ୍ୱ ନିର୍ବାହ କରୁଥିଲେ। ଚଳିତମାସ ୯ରେ ପ୍ରଶାନ୍ତଙ୍କ ପିତା ତଥା ଖ୍ୟାତନାମା ସ୍ଥପତି ପଦ୍ମଭୂଷଣ ରଘୁନାଥ ମହାପାତ୍ରଙ୍କର ମଧ୍ୟ କୋଭିଡ୍‍-୧୯ରେ ଦେହାନ୍ତ ହୋଇଥିଲା। ପିତାଙ୍କ ଓ ପରେ ପୁତ୍ରଙ୍କ ଦେହାନ୍ତରେ ଓଡ଼ିଶାବାସୀ ତଥା କ୍ରିକେଟ୍‍ ସମୁଦାୟ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ପ୍ରଶାନ୍ତଙ୍କ ବଡ଼ଭାଇ ଯଶୋବନ୍ତ ମଧ୍ୟ କୋଭିଡ୍‍-୧୯ରେ ଆକ୍ରାନ୍ତ ହୋଇ ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। କିଛି ବର୍ଷ ତଳେ ପ୍ରଶାନ୍ତଙ୍କ ସାନଭାଇ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ।

ଭୁବନେଶ୍ୱରରେ ୧୯୭୩ ସେପ୍ଟେମ୍ବର ୧ରେ ଜନ୍ମଗ୍ରହଣ କରିଥିବା ପ୍ରଶାନ୍ତ ମହାପାତ୍ର ମୁକ୍ତେଶ୍ୱର କ୍ରିକେଟ କ୍ଲବ୍‍ରୁ କ୍ରିକେଟ୍‍ ଖେଳିବା ଆରମ୍ଭ କରିଥିଲେ। ସେ ଜଣେ ଦକ୍ଷ ଡାହାଣହାତି ଓପ୍‍ନର ଥିଲେ ଏବଂ କ୍ରିକେଟ ମହଲରେ ମୁନା ଭାବେ ପରିଚିତ ଥିଲେ। ଭଲ କ୍ରିକେଟର ହେବା ସହ ପ୍ରଶାନ୍ତ ଜଣେ ଅତ୍ୟନ୍ତ ଭଦ୍ର ଓ ନମ୍ର ସ୍ୱଭାବର ବ୍ୟକ୍ତି ଥିଲେ। ସେ ଓଡ଼ିଶାର ୧୫ ବର୍ଷରୁ କମ୍‍, ୧୭ ବର୍ଷରୁ କମ୍‍ ଓ ୧୯ ବର୍ଷରୁ କମ୍‍ ଦଳ ପାଇଁ ଖେଳିଥିଲେ। ୧୯୯୦ରେ ବିହାର ବିପକ୍ଷରେ ରାଞ୍ଚିରେ ରଣଜୀ ପଦାର୍ପଣ କରି ପ୍ରଶାନ୍ତ ଅପରାଜିତ ଶତକ (୧୫୭ ରନ୍‍) ହାସଲକରି ପ୍ରଥମଶ୍ରେଣୀ କ୍ରିକେଟ୍‍ ଜୀବନ ଆରମ୍ଭ କରିଥିଲେ। ଅପରାଜିତ ୧୫୭ ପ୍ରଶାନ୍ତଙ୍କ ଜୀବନର ସର୍ବାଧିକ ରଣଜୀ ସ୍କୋର୍‍ ଥିଲା। ପରେ ଓଡ଼ିଶା ରଣଜୀ ଦଳ ପାଇଁ ସେ ନିୟମିତ ଖେଳିଥିଲେ। ପ୍ରଶାନ୍ତ ମଧ୍ୟ ପୂର୍ବାଞ୍ଚଳ ପାଇଁ ଦୁଲୀପ ଟ୍ରଫି ଓ ଦେଓଧର ଟ୍ରଫି ଖେଳିଥିଲେ। ୨୦୦୨ରେ ଚେନ୍ନଇରେ ତାମିଲନାଡ଼ୁ ବିପକ୍ଷରେ ପ୍ରଶାନ୍ତ ଅନ୍ତିମ ରଣଜୀ ମ୍ୟାଚ୍‍ ଖେଳିଥିଲେ। ପ୍ରଶାନ୍ତ ମୋଟ ୪୫ଟି ପ୍ରଥମଶ୍ରେଣୀ ମ୍ୟାଚ୍‍ ଖେଳି ୩୦.୦୮ ହାରରେ ୫ ଶତକ ଓ ୧୧ ଅର୍ଦ୍ଧଶତକ ସହ ୨୧୯୬ ରନ୍‍ କରିଥିଲେ। ଲିଷ୍ଟ-ଏରେ ସେ ୪୯ଟି ମ୍ୟାଚ୍‍ରୁ ୧୬.୩୧ ହାରରେ ୨୬୧ ରନ୍‍ କରିଥିଲେ। ଅବସର ପରେ ପ୍ରଶାନ୍ତ ବିସିସିଆଇର ଲେଭଲ-୨ ପାଠ୍ୟକ୍ରମ ସମାପ୍ତ କରି ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଉଥିଲେ। ପ୍ରଶାନ୍ତ ମଧ୍ୟ ଓଡ଼ିଶା କ୍ରିକେଟ୍‍ ଏକାଡେମୀର ପ୍ରଶିକ୍ଷକ ଥିଲେ। ପରେ ବିସିସିଆଇ ତାଙ୍କୁ ମ୍ୟାଚ୍‍ ରେଫରୀ ନିଯୁକ୍ତ କରିଥିଲା। ସେ ପ୍ରଥମଶ୍ରେଣୀରେ ୪୮ଟି, ଲିଷ୍ଟ-ଏରେ ୪୫ଟି ଓ ଟି୨୦ରେ ୪୯ଟି ମ୍ୟାଚରେ ରେଫରୀ ଭାବେ କାର୍ଯ୍ୟକରିଥିଲେ। ଚଳିତବର୍ଷ ମଧ୍ୟ ପ୍ରଶାନ୍ତ ମ୍ୟାଚ୍‍ ରେଫେରୀ ଦାୟିତ୍ୱ ନିର୍ବାହ କରିଥିଲେ। ପ୍ରଶାନ୍ତ ଭୁବନେଶ୍ବର ମହାଲେଖା ପରିକ୍ଷକ କାର୍ଯ୍ୟାଳୟରେ ବରିଷ୍ଠ ଲେଖା ପରିକ୍ଷକ ଥିଲେ। ତାଙ୍କର ପତ୍ନୀ ଏବଂ ଏକମାତ୍ର କନ୍ୟା ଅଛନ୍ତି।

- Advertisement -

ପ୍ରଶାନ୍ତଙ୍କୁ ମନେ ପକାଇଲେ ସଚିନ
ପ୍ରଶାନ୍ତ ମହାପାତ୍ରଙ୍କ ବିୟୋଗରେ କ୍ରିକେଟ୍‍ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ଗଣମାଧ୍ୟମକୁ ସଚିନ୍‍ କହିଛନ୍ତି, ପ୍ରଶାନ୍ତ ମୋର ଘନିଷ୍ଠ ବନ୍ଧୁ ନଥିଲେ। ହେଲେ ମୋ ପାଇଁ ସେ ଏକ ପରିଚିତ ଚେହେରା ଥିଲେ। ତାଙ୍କର ସବୁବେଳେ ହସହସ ମୁହଁ ଏବେ ମଧ୍ୟ ମୋର ମନେପଡ଼ୁଛି। ସେ ଏପରି ଜଣେ ବ୍ୟକ୍ତି ଥିଲେ; ଯାହାଙ୍କୁ ପାଖରେ ପାଇବା ଏବଂ କଥାବାର୍ତ୍ତା କରିବାରେ ବହୁତ ଖୁସି ଲାଗୁଥିଲା। ଯେତେବେଳେ ଆମେ କଟକ କିମ୍ବା ଭୁବନେଶ୍ୱରରେ ଥାଉ; ପ୍ରଶାନ୍ତ ଆମ ପାଇଁ ଘରେ ତିଆରି ହୋଇଥିବା ସୁସ୍ୱାଦୁ ଭୋଜନ ଆଣି ଦେଉଥିଲେ। ଯେତେବେଳେ ଦେଖିଲେ ସେ ମୋ ସହ କଥା ହେଉଥିଲେ। ଆମେ ଦୁହେଁ ଆମ ପରିବାର ଲୋକଙ୍କ ବିଷୟରେ କଥାବାର୍ତ୍ତା ହେଉଥିଲୁ। ସୂଚନାଯୋଗ୍ୟ; ପ୍ରଶାନ୍ତଙ୍କ ସ୍ୱର୍ଗବାସୀ ପିତା ରଘୁନାଥ ମହାପାତ୍ରଙ୍କ ହାତରେ ନିର୍ମିତ ଗଣେଶଙ୍କ ମୂର୍ତ୍ତି ସଚିନ୍‍ଙ୍କ ଘରେ ଶୋଭାପାଉଛି। ସେହିପରି ଅଫ୍‌ ସ୍ପିନର ହରଭଜନ ସିଂହ ପ୍ରଶାନ୍ତ ମହାପାତ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହିତ ଟ୍ବିଟ୍‌ କରି ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି।

ଆଚ୍ରେକରଙ୍କ ଏକମାତ୍ର ଓଡ଼ିଆ ଶିଷ୍ୟ ପ୍ରଶାନ୍ତ
: ବହୁତ କମ୍‍ ଲୋକ ଜାଣନ୍ତି ଯେ କ୍ରିକେଟ୍‍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ କ୍ରିକେଟ୍‍ ଗୁରୁ ରମାକାନ୍ତ ଆଚ୍ରେକରଙ୍କ ଏକମାତ୍ର ଓଡ଼ିଶା ଶିଷ୍ୟ ଥିଲେ ସ୍ୱର୍ଗତଃ ପ୍ରଶାନ୍ତ ମହାପାତ୍ର। ୯୦ ଦଶକରେ ମୁମ୍ବଇର ଶିବାଜୀ ପାର୍କରେ ପ୍ରଶାନ୍ତ ନେଟ୍‍ସରେ ବ୍ୟାଟିଂ କରୁଥିବା ବେଳେ ତାଙ୍କ ଉପରେ ଆଚ୍ରେକରଙ୍କ ନଜର ପଡ଼ିଥିଲା। ପ୍ରଶାନ୍ତଙ୍କ ଦକ୍ଷତାରେ ପ୍ରଭାବିତ ହୋଇ ପ୍ରଶାନ୍ତଙ୍କୁ ଆଚ୍ରେକର ତାଙ୍କ କ୍ରିକେଟ୍‍ ଏକାଡେମୀକୁ ନେଇ କିଛି ମାସ ପ୍ରଶିକ୍ଷଣ ଦେଇଥିଲେ। ହେଲେ ଏଥିପାଇଁ ଆଚ୍ରେକର ଟଙ୍କାଟିଏ ମଧ୍ୟ ନେଇନଥିଲେ। ପରେ ରିଜ୍‍ଭି କଲେଜ୍‍, କାମତ୍‍ ମେମୋରିଆଲ୍‍ କ୍ଲବ୍‍ ଓ ସାସାନିଆନ୍‍ କ୍ଲବ୍‍ ପାଇଁ ପ୍ରଶାନ୍ତଙ୍କୁ ୧୯୯୩ରୁ ୧୯୯୬ ପର୍ଯ୍ୟନ୍ତ ଖେଳିବାର ବନ୍ଦୋବସ୍ତ ନିଜେ ଆଚ୍ରେକର କରିଥିଲେ। ଏହାପରେ ପ୍ରଶାନ୍ତଙ୍କ ବ୍ୟାଟିଂରେ ଉନ୍ନତି ପରିଲକ୍ଷିତ ହୋଇଥିଲା।

ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ଓସିଏର ଶୋକ
ଓଡ଼ିଶା କ୍ରିକେଟ୍‍ର ଅନ୍ୟତମ ଖ୍ୟାତନାମା ଖେଳାଳି ପ୍ରଶାନ୍ତ ମହାପାତ୍ରଙ୍କ ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ବିଟ୍‌ କରି କହିଛନ୍ତି ଯେ, ପୂର୍ବତନ ରଣଜୀ ଖେଳାଳି ପ୍ରଶାନ୍ତ ମହାପାତ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରମୁଖ ଶୋକ ପ୍ରକାଶ କରିବା ସହିତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

ସେହିପରି ପ୍ରଶାନ୍ତ ମହାପାତ୍ରଙ୍କ ବିୟୋଗରେ ଓଡ଼ିଶା କ୍ରିକେଟ୍‍ ଆସୋସିଏସନ (ଓସିଏ)ର କର୍ମକର୍ତ୍ତମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଓଡ଼ିଶା କ୍ରିକେଟ୍‍ ପ୍ରତି ପ୍ରଶାନ୍ତଙ୍କ ଅବଦାନ ସଦା ସ୍ମରଣୀୟ ହୋଇ ରହିବ ବୋଲି ସେମାନେ କହିଛନ୍ତି। ପ୍ରଶାନ୍ତଙ୍କ ଅମର ଆତ୍ମାର ସଦ୍‍ଗତି କାମନା କରିଛନ୍ତି ଓସିଏର ସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଞ୍ଜୟ ବେହେରା, ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଓ କୋଷାଧ୍ୟକ୍ଷ ସତ୍ୟ ମହାନ୍ତି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories