ଭୁବନେଶ୍ବର (ବ୍ୟୁରୋ) ଆସନ୍ତାକାଲି ସନ୍ଧ୍ୟାରେ ସାରା ଦେଶରେ ଶେଷ ହେବ ୨୧ ଦିନିଆ ଲକ୍ ଡ଼ାଉନ୍ । ଏହି ଅବଧିକୁ ବୃଦ୍ଧି କରିବାକୁ ବିଭିନ୍ନ ରାଜ୍ୟ ସରକାର କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି । ଆସନ୍ତାକାଲି ଅର୍ଥାତ୍ ୧୪ ତାରିଖ ସକାଳେ ପ୍ରଧାନମନ୍ତ୍ରୀ ଦେଶକୁ ସମ୍ବୋଧନ କରିବେ ଓ ଲକ୍ଡ଼ାଉନ ସମ୍ପର୍କରେ ଶେଷତମ ନିଷ୍ପତ୍ତି ଜଣାଇବେ । ମାତ୍ର ରାଜ୍ୟରେ ଲକ୍ଡ଼ାଉନ ଅବଧି ୧୫ ତାରିଖରୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ୟାୟ ଲକ୍ଡ଼ାଉନ ଆପାତତଃ ସଫଳ ରହିଛି ଏବଂ ଦ୍ବିତୀୟ ପର୍ଯ୍ୟାୟ ଲକ୍ଡ଼ାଉନ କାଳରେ ଲୋକଙ୍କ ପାଇଁ କିଛିଟା କୋହଳ ହୋଇଛନ୍ତି । ସରକାର। ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଭୁବନେଶ୍ବର ବ୍ୟତୀତ ରାଜ୍ୟର ଅନ୍ୟସ୍ଥାନରେ କିଛିଟା କୋହଳ କରାଯାଇଛି । ତେବେ ସାମ୍ପ୍ରତିକ ସ୍ଥିତିକୁ ବିଚାରକୁ ନେଇ ସମ୍ପୂର୍ଣ୍ଣ ଲକ୍ଡ଼ାଉନ କରାଯାଇଥିଲେ ହେଁ ବିଭିନ୍ନ କ୍ଷେତ୍ରରେ କିଛିଟା କୋହଳ ମନୋଭାବ ପୋଷଣ କରିଛନ୍ତି ସରକାର; କିନ୍ତୁ ଏ ସବୁ କ୍ଷେତ୍ରରେ ସାମାଜିକ ଦୂରତ୍ବ ଓ ଲକ୍ଡ଼ାଉନ ନିମନ୍ତେ ସରକାର ଘୋଷଣା କରିଥିବା ନିର୍ଦେଶ ବଳବତ୍ତର ରହିବ ।
କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ କାର୍ଯ୍ୟକୁ ଲକ୍ଡ଼ାଉନରେ କୋହଳ ମିଳିଛି । ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସ୍ବଚ୍ଛଭାରତ ମିଶନ ଅନ୍ତର୍ଗତ ଶୌଚାଳୟ ନିର୍ମାଣ କାମ ଚାଲୁ ରହିବ ବୋଲି ସୂଚନା ମିଳିଛି । ସରକାରଙ୍କ ନୂତନ ନିର୍ଦେଶ ଅନୁସାରେ ନିମ୍ନଲିଖିତ କ୍ଷେତ୍ରରେ କିଛିଟା ରିହାତି ଦିଆଯାଇଥିବା ଏସ୍ଆରସି ଶ୍ରୀ ଜେନା ସୂଚନା ଦେଇଛନ୍ତି ।
- ରବି ଧାନ ସଂଗ୍ରହ ପାଇଁ ୧୭/୧୮ ଜିଲ୍ଲାରେ ଖୋଲା ରହିବ ଧାନମଣ୍ଡି
- ବିକ୍ରି ନିମନ୍ତେ ଧାନ ନେବା ବେଳେ ଚାଲି ପାରିବ ଟ୍ରକ୍ ଓ ଟ୍ରାକ୍ଟର
- ଅଣ୍ଡା, ମାଛ, ମାଂସ, ଦୁଗ୍ଧ ଆଦି ଦ୍ରବ୍ୟର ପରିବହନ ମୁକ୍ତ ରହିବ
- ମାଛ ଖାଦ୍ୟ, ପଶୁ ଖାଦ୍ୟ ଉତ୍ପାଦନ ଓ ପରିବହନ ହୋଇ ପାରିବ
- ଖୋଲା ରହିବ ପ୍ରାଣୀ ଚିକିତ୍ସାଳୟ ଓ ଟୀକା କରଣ କେନ୍ଦ୍ର
- ଚାଲୁ ରହିବ ପୋଖରୀ ମାଛ ଚାଷ, ମାଛ ଧରା, ସାମୁଦ୍ରିକ ମାଛ ଧରା
- ଚାଲୁ ରହିବ ମାଛ ଯାଆଁଳ ଉତ୍ପାଦନ, ମାଛ ଜାଲ କାରଖାନା
- ବୁଲା ପଶୁଙ୍କୁ ଖାଦ୍ୟ ଯୋଗାଣ, ଗୋଶାଳା ଚାଲୁ ରହିବ
- ମନରେଗା କାର୍ଯ୍ୟକ୍ରମ ରାଜ୍ୟର ସବୁ ଗ୍ରାମାଞ୍ଚଳରେ ଚାଲିବ
- ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ପାଇଖାନା ନିର୍ମାଣ ହୋଇପାରିବ
- ବିଜୁ ପକ୍କା ଘର ଯୋଜନାରେ ନିର୍ମାଣ କାର୍ଯ୍ୟକୁ ଅନୁମତି
- ପାନୀୟ ଜଳ ଯୋଗାଣ, ନଳକୂପ ମରାମତି ନିମନ୍ତେ ଅନୁମତି
- ଧାନ ବୁଣା, ତଳି ରୁଆ, ଫସଲ ଅମଳ କାର୍ଯ୍ୟ ଅବ୍ୟାହତ ରହିବ
- ବିହନ ବୁଣା ଓ ବିହନ ପରିବହନ ହୋଇପାରିବ
- ଯାତାୟତ ହୋଇ ପାରିବ ଚାଷ ପାଇଁ ବ୍ୟବହୃତ ଟ୍ରାକ୍ଟର
- କୃଷି ଯନ୍ତ୍ରପାତି ବିକ୍ରୟ ଓ ମରାମତି କେନ୍ଦ୍ର ଖୋଲା ରହିବ
- ରାସାୟନିକ ସାର ଓ ଶୀତଳ ଭଣ୍ଡାର କେନ୍ଦ୍ର ଖୋଲା ରହିବ
- କୃଷି କାର୍ଯ୍ୟ ପାଇଁ ପୋଖରୀ ଖୋଳାରେ ଶ୍ରମିକ ଲାଗି ପାରିବେ
- ଖରିଫ୍ ଋଣ ଯୋଗାଇ ଦେବା ପାଇଁ ସବୁ ବ୍ୟାଙ୍କ କାର୍ଯ୍ୟ କରିବେ
- ଖୋଲା ରହିବ ସରକାରୀ ଅଫିସ
- ବନୀକରଣ ପାଇଁ ନର୍ସରୀ, ବନ୍ୟଜନ୍ତୁଙ୍କ ପାଇଁ ଜଳଉତ୍ସ ନିର୍ମାଣ ହୋଇପାରିବ
- କେନ୍ଦୁପତ୍ର ତୋଳା, କେନ୍ଦୁପତ୍ର ଫଡ଼ି କାର୍ଯ୍ୟକ୍ରମ କରାଯାଇପାରିବ
- ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ଓ ବିକ୍ରୟ କାର୍ଯ୍ୟ ଚାଲିବ
- ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସମସ୍ତ କାର୍ଯ୍ୟ କରାଯାଇପାରିବ
- ଆମାଜନ, ଫ୍ଲିପକାର୍ଟ ପରି ଇକମର୍ସ ବଜାରରୁ ମଗାଇ ହେବ ସାମଗ୍ରୀ
- ଖୋଲିବ ହୋଟେଲ, ଢ଼ାବା, ଜଳଖିଆ ଦୋକାନ
- ମାତ୍ର ସେଠାରେ ଖାଇବା ମନା, ଘରକୁ ନେଇ ଖାଇପାରିବେ



