ସାଂସଦ ଅଶ୍ୱିନୀ ବୈଷ୍ଣବଙ୍କ ଗୋପବନ୍ଧୁ ଚିକିତ୍ସାଳୟ ପରିଦର୍ଶନ

କଟକ ଜିଲ୍ଲାରେ ଭ୍ରାମ୍ୟମାଣ ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ଦେଲେ ପ୍ରତିଶୃତି

ଗୁରୁଡିଝାଟିଆ : ରାଜ୍ୟ ସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର ପୂର୍ବାହ୍ନରେ ଲୋକ ସେବକ ମଣ୍ଡଳ ଓ ସମାଜ ଦ୍ୱାରା ପରିଚାଳିତ ମାଧବପୁରସ୍ଥିତ ଗୋପବନ୍ଧୁ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି। ସାଂସଦ ଶ୍ରୀ ବୈଷ୍ଣବ ଗୋପବନ୍ଧୁ ଚିକିତ୍ସାଳୟର ପରିବେଶ, ଭିତ୍ତିଭୂମି ଏବଂ ରୋଗୀଙ୍କ ପ୍ରତି ସମର୍ପିତ ଭାବ ଦେଖି ଆନନ୍ଦିତ ହୋଇଥିଲେ। ସମାଜ ସମ୍ବାଦପତ୍ର ଓଡିଶାର ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ସୁଦୃଢ କରିବା ସହିତ ଓଡିଆ ଭାବନାର ସୁରକ୍ଷା ଓ ସମୃଦ୍ଧି ଦିଗରେ ବଳିଷ୍ଠ ଭୂମିକା ଗ୍ରହଣ କରିଛି। ଜାତୀୟ ଚେତନା ଓ ଉତ୍କଳୀୟଙ୍କ ଭାଷା ଓ ଭାବକୁ ଠିକଣା ଭାବରେ ସମାଜ ବୁଝିଅଛି। ପୂଣ୍ୟାତ୍ମା ଗୋପବନ୍ଧୁଙ୍କ ନୀତିଆଦର୍ଶରୁ ସମାଜ ନିରବଛିନ୍ନ ଭାବରେ କାର୍ଯ୍ୟକରୁଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଗୋପବନ୍ଧୁ ଚିକିତ୍ସାଳୟର ପ୍ରତ୍ୟେକ୍ଷ ତତ୍ୱାବଧାନରେ କଟକ ଜିଲ୍ଲାର ଗ୍ରାମାଞ୍ଚଳରେ ଭ୍ରାମ୍ୟମାଣ ଚିକିତ୍ସା ସୁବିଧା ଯୋଗାଇଦେବା ନିମନ୍ତେ ପ୍ରତିଶୃତି ଦେବାସହ ଏହାକୁ ଖୁବଶୀଘ୍ର କାର୍ଯ୍ୟକାରୀ କରିବା ନିମନ୍ତେ ପ୍ରକାଶ କରିଥିଲେ। ବିଶେଷତଃ ଆଠଗଡ, ବଡମ୍ବା ଓ ନରସିଂହପୁର ଅଞ୍ଚଳରେ ସାଧାରଣ ଲୋକମାନଙ୍କୁ ସ୍ୱାସ୍ଥ୍ୟସେବା କିଭଳି ସଠିକ୍‍ ଢଙ୍ଗରେ ଯୋଗାଇ ଦିଆଯାଇପାରିବ ସେ ଉପରେ ଗୁରୁତ୍ୱ ଦେଇ ଭ୍ରାମ୍ୟମାଣ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ କହିଥିଲେ। ମାସର ବିଭିନ୍ନ ଦିନମାନଙ୍କରେ ନିର୍ଦ୍ଦିଷ୍ଟ ଗ୍ରାମମାନଙ୍କରେ ପହଞ୍ଚି ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ।

ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ସଂପାଦକ ତଥା ଗୋପବନ୍ଧୁ ଚିକିତ୍ସାଳୟ ପରିଚାଳନା କମିଟି ଅଧ୍ୟକ୍ଷ ନିରଞ୍ଜନ ରଥ ସାଂସଦ ଶ୍ରୀ ବୈଷ୍ଣବଙ୍କୁ ସ୍ୱାଗତ କରିବା ସହିତ ପ୍ରତିଷ୍ଠାନର ରୋଗୀସେବା ଓ ଔଷଧୀୟ ବଗିଚା, ଭିତ୍ତିଭୂମି ଆଦି ବୁଲାଇ ଦେଖାଇଥିଲେ। ଅଭାବୀ ଓ ଦୁସ୍ଥ ଜନସାଧାରଣଙ୍କୁ ମାଗଣାରେ ଚିକିତ୍ସାସେବା ଯୋଗାଇଦିଆଯାଉଥିବା ସଂପର୍କରେ ମଧ୍ୟ ଶ୍ରୀ ରଥ ସାଂସଦ ଶ୍ରୀ ବୈଷ୍ଣବଙ୍କୁ କହିଥିଲେ। ସାଂସଦ ଶ୍ରୀ ବୈଷ୍ଣବଙ୍କ ଆଗମନ ପ୍ରତିଷ୍ଠାନକୁ ଗୌରବଜ୍ୱଳ ଓ ପ୍ରଗତି କ୍ଷେତ୍ରରେ ଆଗେଇ ନେବା ବୋଲି ଶ୍ରୀ ରଥ କହିଥିଲେ। ଲୋକ ସେବକ ମଣ୍ଡଳର ଆଜୀବନ କର୍ମୀ ଡଃ ପ୍ରଭାସ ଆଚାର୍ଯ୍ୟ, ସମାଜର କାର୍ଯ୍ୟକାରୀ ସଂପାଦକ ସୁଶାନ୍ତ କୁମାର ମହାନ୍ତି, ସମାଜ ରିଲିଫ କମିଟିର ସଦସ୍ୟ ଭବାନୀ ପ୍ରସାଦ ମିଶ୍ର ଓ ପ୍ରତିଷ୍ଠାନର ଅଧ୍ୟକ୍ଷ ପଣ୍ଡିତ ଶ୍ରୀ ରଥ ଙ୍କ ସହିତ ସାଂସଦ ଶ୍ରୀ ବୈଷ୍ଣବ ବିଶଦ ଭାବରେ ଜିଲ୍ଲାର ଗ୍ରାମାଞ୍ଚଳରେ ଭ୍ରାମ୍ୟମାଣ ଚିକିତ୍ସାସେବା ଯୋଗାଇଦେବା ସଂପର୍କରେ ଆଲୋଚନା କରିଥିଲେ। ସାଂସଦଙ୍କ ଗୋପବନ୍ଧୁ ଚିକିତ୍ସାଳୟ ପରିଦର୍ଶନ ସମୟରେ କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁ ଓ ଆଠଗଡର ବରିଷ୍ଠ ବିଜେପି ନେତା ବ୍ରଜେନ୍ଦ୍ର ରାୟ ଉପସ୍ଥିତ ଥିଲେ।

Comments are closed.