www.samajalive.in
Friday, December 12, 2025
27.1 C
Bhubaneswar

ପୁଲିସ ଚାକିରି ସେବା କରିବାର ଏକ ମାଧ୍ୟମ : ଡିଜି

ଭୁବନେଶ୍ବର: ପୁଲିସ ଚାକିରି ସାଧାରଣ ଜନତାଙ୍କୁ ସେବା କରିବାର ଏକ ମାଧ୍ୟମ। ରାଜ୍ୟ ସରକାର ଆପଣମାନଙ୍କୁ ଏଭଳି ଗୁରୁଦାୟିତ୍ବ ପ୍ରଦାନ କରିଛନ୍ତି। ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା ସହ ଉତ୍ତମ ବ୍ୟବହାର କରି ଲୋକଙ୍କ ପ୍ରିୟଭାଜନ ହେବାକୁ ସେ ପରାମର୍ଶ ଦେଇଛନ୍ତି। ସ୍ଥାନୀୟ ଲକ୍ଷ୍ମୀସାଗରସ୍ଥିତ ଭୁବନେଶ୍ବର ସହରାଞ୍ଚଳ ପୁଲିସର ଟ୍ରାଫିକ ପ୍ରଶିକ୍ଷଣ ପ୍ରତିଷ୍ଠାନ ପରିସରରେ ୨୬୬ ଜଣ ମହିଳା କନଷ୍ଟେବଳଙ୍କ ୨୪ତମ ଦୀକ୍ଷାନ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାନିର୍ଦେଶକ ଶ୍ରୀ ଶର୍ମା କହିଥିଲେ, ସରକାର ଅକ୍ଟୋବର ୨ରୁ ‘ମୋ ସରକାର’ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଯୋଜନାର ଅର୍ଥ ସରକାର ଜନତାଙ୍କର, ସେହିପରି ପୁଲିସ ମଧ୍ୟ ଜନସାଧାରଣଙ୍କର। ତେଣୁ କର୍ତ୍ତବ୍ୟନିଷ୍ଠ ଭାବେ ଲୋକଙ୍କୁ ସେବା ଯୋଗାଇ ଦେବା ଲାଗି ସେ ନବନିଯୁକ୍ତ ମହିଳା କନଷ୍ଟେବଳଙ୍କୁ ପରାମର୍ଶ ଦେଇଥିଲେ। ଏବେଠାରୁ ପ୍ରତ୍ୟେକ ଦିନ ଥାନା ସ୍ତରରେ ଏହାକୁ ତଦାରଖ କରାଯାଉଛି। ମହିଳା କନଷ୍ଟେବଳଙ୍କୁ ପ୍ରାୟତଃ ଥାନାର ଆଗଧାଡ଼ିରେ ରଖାଯାଇଥାଏ। ତେଣୁ ଥାନାକୁ ବିଭିନ୍ନ ପ୍ରକାର ସେବା ପାଇଁ ଆସୁଥିବା ବ୍ୟକ୍ତିବିଶେଷ ଯେଭଳି ଭଲ ଅନୁଭୂତି ନେଇ ଫେରିବେ ସେଥିପାଇଁ ଯତ୍ନବାନ ହେବାକୁ ସେ କହିଥିଲେ। ଓଡ଼ିଶା ପୁଲିସର କନଷ୍ଟେବଳ ହେଉଛନ୍ତି ମୂଳଦୁଆ। କନଷ୍ଟେବଳ କର୍ତ୍ତବ୍ୟନିଷ୍ଠ ଭାବେ କାର୍ଯ୍ୟ କଲେ ସବୁକିଛି ସୁରୁଖୁରୁରେ ସମ୍ପାଦନ ହୋଇପାରିବ। ବ୍ୟକ୍ତିଗତ ଲାଭରେ ପ୍ରଲୋଭିତ ନ ହୋଇ ଶୃଙ୍ଖଳିତ ଭାବେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ। ରାଜ୍ୟ ସରକାର ପୁଲିସ ବାହିନୀରେ ମହିଳାଙ୍କ ପାଇଁ ୩୦% ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି। ୨୦୦୮ରେ ପ୍ରଥମେ କମିସନରେଟ୍‌ ପୁଲିସରେ ଟ୍ରାଫିକ୍‌ରେ ମହିଳା କନଷ୍ଟେବଳଙ୍କୁ ନିଯୁକ୍ତ କରାଯାଇଥିଲା। ଯାହାକୁ ପ୍ରଥମେ ସମାଲୋଚନା କରାଯାଇଥିଲା। ହେଲେ ମହିଳା କନଷ୍ଟେବଳଙ୍କର କର୍ତ୍ତବ୍ୟନିଷ୍ଠା ପାଇଁ ସେମାନେ ଜାତୀୟ ସ୍ତରରେ ପ୍ରଶଂସିତ ହୋଇଥିଲେ। ମହିଳା କନଷ୍ଟେବଳଙ୍କର ପରେଡ ଅଭିବାଦନରୁ ସେମାନଙ୍କୁ ଉତ୍ତମ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି ବୋଲି ସେ ମତ ଦେଇଥିଲେ।

ଦୀକ୍ଷାନ୍ତ ଉତ୍ସବ ଅବସରରେ ପୁଲିସ କମିସନର ଡ. ସୁଧାଂଶୁ ଷଡଙ୍ଗୀ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରଶିକ୍ଷଣ ସମୟରେ ଅପରାଧ ସମ୍ବନ୍ଧୀୟ ଆଇନ, ମାନବିକ ଅଧିକାର, ବ୍ୟବହାର, କର୍ତ୍ତବ୍ୟ, ଅସ୍ତ୍ରଶସ୍ତ୍ର ପ୍ରଶିକ୍ଷଣ, ଟ୍ରାଫିକ, ଭିଡ଼ ନିୟନ୍ତ୍ରଣ, ଲାଠି ଚାଳନା, ବିନା ଅସ୍ତ୍ରରେ ଯୁଦ୍ଧ କୌଶଳ ଓ ଯୋଗ ଅାଦି ପ୍ରଶିକ୍ଷଣ ଦିଆଯାଇଥିଲା। ଏଥିରେ ଉତ୍ତମ ପ୍ରଦର୍ଶନ କରିଥିବା କନଷ୍ଟେବଳଙ୍କୁ ସମ୍ମାନିତ କରାଯାଇଥିଲା। ୨୧ଟି ଜଲାରୁ ୨୬୬ ଜଣ ପ୍ରଶିକ୍ଷଣ ନେଇଥିଲେ। ଏହି ଅବସରରେ ଅତିରିକ୍ତ ପୁଲିସ କମିସନର ସଞ୍ଜୟ ସିଂହ, ଡିସିପି ଅନୁପ କୁମାର ସାହୁ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏସିପି ଟ୍ରେନିଂ ସୂର୍ଯ୍ୟକାନ୍ତ ମହାନ୍ତି ପରେଡ କମାଣ୍ଡର ଭାବେ ନେତୃତ୍ବ ନେଇଥିଲେ।

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

Related Articles

Popular Categories