କେକେବିଏନ୍‌ ସଂଗଠନର ଭୟ ସମସ୍ତଙ୍କୁ ଘାରିଛି -ଭୟରେ ଶୋଇ ପାରିଲେନି ନିର୍ବାଚନୀ ଦଳ

ସତର୍କ ସୁରକ୍ଷା ବାହିନୀ, ମାଓବାଦୀଙ୍କ ପଛଘୁଞ୍ଚା-ସିଆର୍‌ପିଏଫ୍‌ର ତଲାସି ଅଭିଯାନ, ଏସ୍‌ଓଜିଙ୍କ ପଇଁତରା

ବଲାଙ୍ଗିର -କଳାହାଣ୍ଡି-କନ୍ଧମାଳ-ବୌଦ୍ଧ ଓ ନୟାଗଡକୁ ନେଇ ଗଠିତ ମାଓ ସଂଗଠନ କେକେବିଏନ୍‌ ଏବେ ବେଶ୍‌ ସକ୍ରିୟ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆତଙ୍କରାଜ ଚଳାଇଥିବା କେକେବିଏନ୍‌ ସଂଗଠନର ଭୟ ସମସ୍ତଙ୍କୁ ଘାରିଛି । କନ୍ଧମାଳ, ବୌଦ୍ଧ ତଥା କଳାହାଣ୍ଡି ଜିଲାକୁ ଲାଗି ବଲାଙ୍ଗିର ଜିଲାର ଗୁଡଭେଲା ପଞ୍ଚାୟତ ସମିତିର ଗମ୍ଭାରୀଗୁଡ଼ା ପଞ୍ଚାୟତର ଗଭାରସା, ସିକେଲପଦର ତଥା ଆଭ୍ୟନ୍ତରିଣ ଗାଁଗୁଡ଼ିକରେ ପଞ୍ଚାୟତ ନିର୍ବାଚନକୁ ଭଣ୍ଡୁର ପାଇଁ ଉଦ୍ୟମ କରିପାରନ୍ତି ବୋଲି ଆଶଙ୍କା କରାଯାଉଥିଲା । ଜିଲା ପୁଲିସ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ଆଜି କେନ୍ଦ୍ରୀୟ ସୁରକ୍ଷା ବଳ(ସିଆର୍‌ପିଏଫ୍‌) ପକ୍ଷରୁ ମଧ୍ୟ ତଲାସି ଅଭିଯାନ ଜୋରଦାର ହୋଇଥିଲା ।

prayash

କେକେବିଏନ୍‌ ସଂଗଠନ ଏପର୍ଯ୍ୟନ୍ତ ବଲାଙ୍ଗିର ସୀମାନ୍ତ ଗୁଡଭେଲା ପଞ୍ଚାୟତ ସମିତିରେ ସେଭଳି କୌଣସି ଅଘଟଣ ଘଟାଇ ନାହିଁ । କିନ୍ତୁ ଗୁଡଭେଲା ସୀମାନ୍ତ ଗାଁର ଯୁବକମାନେ ଏହି ସଂଗଠନରେ ସାମିଲ ହୋଇଥିବା ଜଣାପଡିଛି । ନିର୍ବାଚନର କିଛି ଦିନ ପୂର୍ବରୁ ସୀମାନ୍ତ ଅଞ୍ଚଳରେ ଅନେକ ଅପରିଚିତ ଲୋକ ପଇଁତରା ମାରୁଥିବା ତଥ୍ୟ ମିଳିଥିଲା । ଜିଲା ପୁଲିସ ବି ମାଓ ଗତିବିଧି ନେଇ ସୂଚନା ପାଇଥିଲା । ଗୁଡଭେଲା ପଞ୍ଚାୟତ ସମିତିର ଗମ୍ଭାରୀଗୁଡ଼ା ପଞ୍ଚାୟତର ସିକେଲପଦର, ଗଭାରସା ଓ ଠେଲକୋଭେଲା ହେଉଛି ଜଙ୍ଗଲ ଘେରା । କହିବାକୁ ଗଲେ ଜିଲାର ଅନ୍ୟତମ ଅପହଞ୍ଚ ଅଞ୍ଚଳ । କଳାହାଣ୍ଡି-ବୌଦ୍ଧ-କନ୍ଧମାଳକୁ ବି ସଂଯୋଗ କରୁଛି ବିସ୍ତିର୍ଣ୍ଣ ଜଙ୍ଗଲ । ଗତ ୨ରୁ ୩ ଦିନ ହେବ ଗୁଡଭେଲା ପଞ୍ଚାୟତ ସମିତିର ସୀମା ଲାଏଟତରାର ଆରପଟେ ଥିବା ବୌଦ୍ଧ ଜିଲାର ପୁଟକିପାଲି ଗାଁକୁ ଲାଗିଥିବା ଜଙ୍ଗଲରେ କେକେବିଏନ୍‌ ମାଓ ସଂଗଠନ କ୍ୟାମ୍ପ କରିଥିଲେ । ପ୍ରାୟ ୪ଶହରୁ ଉର୍ଦ୍ଧ କ୍ୟାଡର୍‌ ଏକତ୍ରିତ ହୋଇଥିଲେ । ସେମାନେ ନିର୍ବାଚନ ଗତିବିଧି ଉପରେ ଆଖି ରଖିଥିବା ନିୟମିତ ସୂଚନା ଲଗାତାର ମିଳୁଥିଲା ।

ଗଭାରସା-ଠେଲକୋଭେଲା ଗାଁ ପାଇଁ ଗଭାରସାରେ ମତଦାନ ବୁଥ୍‌ କରାଯାଇଥିଲା । ଗଭାରସା ବୁଥ୍‌ରେ ଦିନ ପ୍ରାୟ ସାଢେ ୧୧ଟା ବେଳକୁ ମତଦାନ ଶେଷ ହୋଇଯାଇଥିଲା । ଗୁଡଭେଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ(ବିଡିଓ) ବିନୋଦ ବିହାରୀ ନାଏକ ଓ ମାଜିଷ୍ଟ୍ରେଟ୍‌ ଗଭାରସା ଯାଇ ମତଦାନ ସଂପର୍କିତ ସୂଚନା ନେଇଥିଲେ । ବୁଥ୍‌ର ପ୍ରବେଶ ପଥରେ ଠିଆ ହୋଇଥିବା ଜଣେ ସାଧା ପୋଷାକଧାରୀଙ୍କୁ ଦେଖି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ନାଏକ ଆପଣ କିଏ ବୋଲି ପଚାରିଥିଲେ । ସେ ଗୃହରକ୍ଷୀ ବାହିନୀର ପରିଚୟ ଦେଇଥିଲେ । ଯେହେତୁ ଏହି ଅଞ୍ଚଳରୁ କଳାହାଣ୍ଡି ଜିଲା ମହନଗିରି ୭ କିଲୋମିଟର୍‌ ଓ ବୌଦ୍ଧ-କନ୍ଧମାଳ ଜିଲାର ସୀମାର ଦୂରତା ୫ରୁ ୬ କିଲୋମିଟର୍‌ ମଧ୍ୟରେ । ତେଣୁ ମାଓ ଭୟ ସ୍ୱାଭାବିକ ଭାବେ ଲୋକଙ୍କ ମଧ୍ୟରେ ରହିଛି । ଏପରିକି ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀମାନେ ରାତିରେ ଠିକ୍‌ରେ ଶୋଇ ନଥିବା ନାମ ପ୍ରକାଶ ନକରିବା ସର୍ତ୍ତରେ କହିଛନ୍ତି । ମାଓ ଗତିବିଧିକୁ ଦୃଷ୍ଟିରେ ରଖି ଆଜି ସକାଳୁ ଅପରାହ୍ନ ଯାଏ ଡିଭିଏଫ୍‌-ଏସ୍‌ଓଜି ଦଳ ନିୟମିତ ସମୟ ବ୍ୟବଧାନରେ ଏହି ଅଞ୍ଚଳରେ ପଇଁତରା ମାରିଥିଲେ । ସେହିପରି କଳାହାଣ୍ଡି ଜିଲା ମହନଗିରିରେ ଥିବା କେନ୍ଦ୍ରୀୟ ସୁରକ୍ଷା ବଳ(ସିଆର୍‌ପିଏଫ୍‌)ର ୩୦ଜଣିଆ ଦଳ ବାଇକ୍‌ରେ ମହନଗିରିରୁ ବାହାରି ଗଭାରସା, ଠେଲକୋଭେଲା ଅଞ୍ଚଳକୁ ଆସିଥିଲେ । ସେମାନେ ତଲାସି ଅଭିଯାନ ଚଳାଇଥିବା ସୁରକ୍ଷା ବଳର ନେତୃତ୍ୱ ନେଉଥିବା ଅଧିକାରୀ କହିଛନ୍ତି । ଅନ୍ୟପଟେ ବୌଦ୍ଧର ପୁଟକିପାଲିରେ କ୍ୟାମ୍ପ କରିଥିବା କେକେବିଏନ୍‌ ମାଓ ସଂଗଠନ ସ୍ଥାନ ବଦଳାଇ କନ୍ଧମାଳ ଜିଲା ସୀମାନ୍ତ ଅଞ୍ଚଳକୁ ଯାଇଥିବା ସୂଚନା ମିଳିଛି ।

kalyan agarbati

Comments are closed.