ଇସଲାମାବାଦ : ସଂସଦ ଭଙ୍ଗ କରାଯିବା ପରେ ପାକିସ୍ତାନରେ ଦେଖାଯାଇଥିବା ରାଜନୈତିକ ଅଚଳାବସ୍ଥାରେ ଘଡିକେ ଘୋଡା ଛୁଟୁଛି । ଦେଶର କାମଚଳା ପ୍ରଧାନମନ୍ତ୍ରୀ ପଦ ଲାଗି ପୂର୍ବତନ ମୁଖ୍ୟ ବିଚାରପତି ଗୁଲଜାର ଅହମ୍ମଦଙ୍କ ନାମ ସୁପାରିସ କରାଯାଇଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ସୋମବାର ନିର୍ବାଚନ ଶେଷ ପର୍ଯ୍ୟନ୍ତ କାମଚଳା ପ୍ରଧାନମନ୍ତ୍ରୀ ଭାବେ ଗୁଲଜାରଙ୍କୁ ନିଯୁକ୍ତି ଦେବାକୁ ରାଷ୍ଟ୍ରପତି ଆରିଫ ଆଲଭିଙ୍କୁ ସୁପାରିସ କରିଛନ୍ତି। କାମଚଳା ପ୍ରଧାନମନ୍ତ୍ରୀ ଲାଗି ନାମ ସୁପାରିସ କରିବାକୁ ରାଷ୍ଟ୍ରପତି ଉଭୟ ଇମ୍ରାନ ଓ ସଂସଦର ବିରୋଧୀ ଦଳ ନେତା ସେହବାଜ ସରିଫଙ୍କୁ ଚିଠି ଲେଖିଥିଲେ। ରାଷ୍ଟ୍ରପତିଙ୍କ ଚିଠି ଆଧାରରେ ଇମ୍ରାନ ପୂର୍ବତନ ମୁଖ୍ୟ ବିଚାରପତି ଗୁଲଜାରଙ୍କ ନାମ ସୁପାରିସ କରିଛନ୍ତି। ପାକିସ୍ତାନ ସମ୍ବିଧାନର ଧାରା ୨୨୪ ଏ (୧) ଅନୁଯାୟୀ କାଚଚଳା ପ୍ରଧାନମନ୍ତ୍ରୀ ଦେଶର ନିର୍ବାଚନ କାର୍ଯ୍ୟ ପରିଚାଳନା କରିବେ। କାମଚଳା ପ୍ରଧାନମନ୍ତ୍ରୀ ନିଯୁକ୍ତି ପର୍ଯ୍ୟନ୍ତ ଇମ୍ରାନ ପ୍ରଧାନମନ୍ତ୍ରୀ ଦାୟିତ୍ବରେ ରହିବେ। ତେବେ କାମଚଳା ପ୍ରଧାନମନ୍ତ୍ରୀ ନିଯୁକ୍ତି ନିମନ୍ତେ ସେହବାଜ କୌଣସି ନାମ ସୁପାରିସ କରି ନାହାନ୍ତି। ସେ କହିଛନ୍ତି ଯେ ସଂସଦ ଭାଙ୍ଗିବା ଭଳି ଅନୈତିକ କାର୍ଯ୍ୟ କରିଥିବା ରାଷ୍ଟ୍ରପତିଙ୍କ ଏପରି ଅନୁରୋଧ ପାଳନ କରାଯାଇପାରିବ ନାହିଁ। ସେହବାଜ କାମଚଳା ପ୍ରଧାନମନ୍ତ୍ରୀ ପାଇଁ ନାମ ସୁପାରିସ କରି ନଥିବାରୁ ଗୁଲଜାରଙ୍କ ନିଯୁକ୍ତି ଏକପ୍ରକାର ନିଶ୍ଚିତ ହୋଇଛି। ୧୯୫୭ରେ ଜନ୍ମ ଗ୍ରହଣ କରିଥିବା ଗୁଲଜାର ୨୦୧୯ ଡିସେମ୍ବରରୁ ୨୦୨୨ ଫେବୃଆରୀ ପର୍ଯ୍ୟନ୍ତ ପାକିସ୍ତାନ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ପାନାମା ପେପର୍ସ ମାମଲାରେ ଅଯୋଗ୍ୟ ଘୋଷଣା କରିଥିବା ସୁପ୍ରିମକୋର୍ଟର ୫ଜଣିଆ ବିଚାରପତିଙ୍କ ମଧ୍ୟରେ ଗୁଲଜାର ଅନ୍ୟତମ।
ଅନ୍ୟପଟେ ଦେଶର ସରକାରକୁ ଭାଙ୍ଗିବା ଲାଗି ବିଦେଶୀ ଷଡଯନ୍ତ୍ର କରାଯାଇଥିବା ଅଭିଯୋଗ କରି ସଂସଦ ସମ୍ମୁଖରେ ଇମ୍ରାନ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେହିପରି ବିରୋଧୀ ପାକିସ୍ତାନ ମୁସଲିମ୍ ଲିଗ୍ ନୱାଜ (ପିଏମ୍ଏଲ୍-ଏନ୍) ନେତା ସେହବାଜ ସରିଫ ସୋମବାର ସାମ୍ବାଦିକ ସମ୍ମିଳନୀ କରି ଇମ୍ରାନଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଇମ୍ରାନ ସମ୍ବିଧାନକୁ ଉଲ୍ଲଙ୍ଘନ କରିବା ସହିତ ଦେଶରେ ନାଗରିକ ଦମନ ଅଭିଯାନ ଚଳାଇଛନ୍ତି। ରବିବାର ଇମ୍ରାନଙ୍କ ସୁପାରିସ କ୍ରମେ ରାଷ୍ଟ୍ରପତି ଆଲଭି ଦେଶର ସଂସଦକୁ ଭାଙ୍ଗିବା ସହିତ ଦେଶରେ ପୁନର୍ବାର ନିର୍ବାଚନ କରାଇବାକୁ ନିର୍ଦେଶ ଦେଇଛନ୍ତି। ରାଷ୍ଟ୍ରପତିଙ୍କ ଏପରି ନିଷ୍ପତ୍ତି ଉପରେ ସର୍ବୋଚ୍ଚ ନ୍ୟାୟାଳୟ ନିଜ ଆଡୁ ମାମଲା ରୁଜୁ ପୂର୍ବକ ଏହାର ଶୁଣାଣି କରିଛନ୍ତି। ସୋମବାର ସର୍ବୋଚ୍ଚ ନ୍ୟାୟାଳୟର ୫ଜଣିଆ ବିଚାରପତି ପୀଠ ଏହାର ଶୁଣାଣି ଆରମ୍ଭ କରିଛନ୍ତି। ରାଷ୍ଟ୍ରପତିଙ୍କ ନିର୍ଦେଶ ଉପରେ ତର୍ଜମା ପୂର୍ବକ ମଙ୍ଗଳବାର ସର୍ବୋଚ୍ଚ ନ୍ୟାୟାଳୟ ଏହାର ରାୟ ପ୍ରକାଶ କରିବେ।
ଗୁଲଜାର ଅହମ୍ମଦ ହେବେ କାମଚଳା ପ୍ରଧାନମନ୍ତ୍ରୀ
Popular Categories



