ସମାଜ ଡିଜିଟାଲ ଡେସ୍କ: ବ୍ରିଟେନକୁ ମାନବ ଚାଲାଣ କରୁଥିବା ଜଣେ ପ୍ରଫେସରଙ୍କୁ ମୁମ୍ବଇ ବିମାନବନ୍ଦରରୁ ଗିରଫ କରିଛି ପୁଲିସ। ଜାଲ କାଗଜପତ୍ର ଜରିଆରେ ଏକ ଛାତ୍ର ବିନିମୟ କାର୍ଯ୍ୟକ୍ରମ ଜରିଆରେ ପ୍ରଫେସର ଜଣକ ୭ ଛାତ୍ରଙ୍କୁ ବ୍ରିଟେନ ନେଇ ଯାଉଥିବାବେଳେ ପୁଲିସ ହାତରେ ଧରାପଡ଼ିଛନ୍ତି। ୭ ଜଣ ଯାକ ପଞ୍ଜାବ ଏବଂ ହରିୟାଣାର ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ନାବାଳକ। କୋର୍ଟଙ୍କ ଅନୁମତି କ୍ରମେ ସେମାନଙ୍କୁ ଛାଡ଼ି ଦିଆଯାଇଥିବାବେଳେ ପୁଲିସ ଉକ୍ତ ପ୍ରଫେସରଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ସେ ମାନବ ଚାଲାଣ କରୁଥିବା ପୁଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରିଛି। ଗିରଫ ବ୍ୟକ୍ତି ଏକ ଘରୋଇ ବିଶ୍ଵବିଦ୍ୟାଳୟର ପ୍ରଫେସର ବୋଲି ପରିଚୟ ଦେଇଛନ୍ତି। ପୁଲିସ ତାଙ୍କ ପରିଚୟକୁ ଯାଞ୍ଚ କରୁଛି।
ସୋମବାର ମଧ୍ୟ ରାତ୍ରିରେ ୨ ଜଣ ଯୁବକ ମୁମ୍ବଇ ବିମାନବନ୍ଦରର ଅପ୍ରବାସନ କେନ୍ଦ୍ରରେ ସେମାନଙ୍କ ପାସପୋର୍ଟ ଏବଂ ଭିଜା ଯାଞ୍ଚ କରାଉଥିଲେ। ବ୍ରିଟେନ ଯିବା ଲାଗି ସେମାନଙ୍କ ନିକଟରେ ଭିଜା ରହିଥିଲା। ସେମାନେ ହରିୟାଣାର ଏକ ବିଶ୍ଵବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି ଏବଂ ଛାତ୍ର ବିନିମୟ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ସେମାନେ ନିଜ ପ୍ରଫେସରଙ୍କ ସହିତ ଲଣ୍ଡନ ଯାଉଛନ୍ତି ବୋଲି କହିଥିଲେ। ସେଠାରେ ଉପସ୍ଥିତ ଅଧିକାରୀ ସେମାନଙ୍କୁ କେଉଁ ପାଠ୍ୟକ୍ରମରେ ଅଧ୍ୟୟନ କରୁଥିବା ଏବଂ ଲଣ୍ଡନର କେଉଁ ବିଶ୍ଵବିଦ୍ୟାଳୟକୁ ଯାଉଥିବା ପ୍ରଶ୍ନ କରିଥିଲେ। ମାତ୍ର ସେମାନେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ଅଧିକାରୀଙ୍କ ସନ୍ଦେହ ହୋଇଥିଲା। ତେଣୁ ସେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ପହଞ୍ଚି ଅନ୍ୟମାନଙ୍କ ସହିତ ପ୍ରଫେସରଙ୍କୁ ଧରିଥିଲା।



