www.samajalive.in
Saturday, December 13, 2025
21.1 C
Bhubaneswar

କୌଳିକ ବୃତ୍ତି କାରିଗରଙ୍କ ଆର୍ଥିକ ପରିବର୍ତ୍ତନ ଆସିବ

ଉପକରଣ କ୍ରୟ ପାଇଁ ଦିଆଯିବ ୧୫ହଜାର ଟଙ୍କା, ଓଡ଼ିଶାରୁ ୧ଲକ୍ଷ ହିତାଧିକାରୀ ସାମିଲ ହେ‌େ‌ବ

ଭୁବନେଶ୍ବର/ପୁରୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ‘ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା’ର ଶୁଭାରମ୍ଭ କରିଛନ୍ତି। କୌଳିକ ବୃତ୍ତି ଓ କାରିଗରଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଏହି ଯୋଜନା ଆଣିଛନ୍ତି ଏବଂ ବିଶ୍ବକର୍ମା ପୂଜା ଅବସରରେ ଉକ୍ତ ଯୋଜନାକୁ ସାରାଦେଶରେ ଶୁଭାରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ବର ରେଳ ପ୍ରେକ୍ଷାଳୟରେ ପ୍ରଧାନମନ୍ତ୍ରୀ ବିଶ୍ବକର୍ମା ଯୋଜନାକୁ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ପୁରୀରେ କେନ୍ଦ୍ର ମହିଳା, ଶିଶୁ ବିକାଶ ଏବଂ ଆୟୁଷ ମନ୍ତ୍ରୀ ଡ. ଏମ. ମହେନ୍ଦ୍ର ଭାଇ ଶୁଭାରମ୍ଭ କରିଛନ୍ତି।
ଭୁବନେଶ୍ବରଠାରେ ମୁଖ୍ୟ ଅତିଥି ଭାବେ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଯୋଜନା ଶୁଭାରମ୍ଭ କରି କହିଥିଲେ, ପ୍ରଧାନମନ୍ତ୍ରୀ ବିଶ୍ବକର୍ମା ଯୋଜନା କୌଳିକ ବୃତ୍ତି କାରିଗରଙ୍କ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆଣିବ। ୧୮ ବର୍ଗର କାରିଗର ଏହି ଯୋଜନାରେ ଉପକୃତ ହେବେ। ଓଡ଼ିଶାରୁ ପ୍ରାୟ ୧ ଲକ୍ଷ ହିତାଧିକାରୀ ଏହି ଯୋଜନାରେ ସାମିଲ ହେବେ। ସମ୍ମାନନୀୟ ଅତିଥି ଭାବେ ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଥିଲେ, ପ୍ରଧାନମନ୍ତ୍ରୀ ବିଶ୍ବକର୍ମା ଯୋଜନା ଦ୍ବାରା କୌଳିକ ବୃତ୍ତି କାରିଗରଙ୍କ ମାନସମ୍ମାନ ବୃଦ୍ଧି ପାଇବ ଏବଂ ସେମାନଙ୍କ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ। ଅନ୍ୟତମ ସମ୍ମାନନୀୟ ଅତିଥି ଭାବେ ରାଜ୍ୟସଭା ସାଂସଦ ମୁଜିବୁଲା ଖାଁ କହିଥିଲେ, ବୈଷୟିକ ଜ୍ଞାନକୌଶଳ ଆସିବା ଦ୍ବାରା କୌଳିକ ବୃତ୍ତି କାରିଗରଙ୍କ ଜୀବନ ଧାରଣରେ ପରିବର୍ତ୍ତନ ଆସିଛି। ସେମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ଯେଉଁ ପ୍ରଧାନମନ୍ତ୍ରୀ ବିଶ୍ବକର୍ମା ଯୋଜନା ଆଣିଛନ୍ତି, ଏହା ନିଶ୍ଚିତ ଭାବେ କାରିଗରଙ୍କୁ ଲାଭାନ୍ବିତ କରିବ। କୌଳିକ ବୃତ୍ତି କାରିଗରଙ୍କ ଦେଶ ଓ ରାଜ୍ୟ ବିକାଶରେ ଭୂମିକା ରହିଛି। ଲାଖରେ କଳାକୃତି ତିଆରି କରୁଥିବା କାରିଗରଙ୍କୁ ମଧ୍ୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ସେ ଦାବି ରଖିଥିଲେ।
ଏହି ଯୋଜନା ମାଧ୍ୟମରେ କୌଳିକ ବୃତ୍ତିଧାରୀଙ୍କୁ ପ୍ରଥମେ ୧ଲକ୍ଷ ଟଙ୍କା ଋଣ ମିଳିବ। ଏହି ଋଣକୁ ହିତାଧିକାରୀ ୧୮ମାସ ମଧ୍ୟରେ ପରିଶୋଧ କରିବା ନିୟମ ରହିଛି। ପରବର୍ତ୍ତୀ ସମୟରେ ୫% ସୁଧ ହାରରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇଦେବେ ସରକାର। ୩୦ ମାସ ମଧ୍ୟରେ ଏହି ଋଣ ପରିଶୋଧ କରିବାକୁ ହେବ। ଉପକରଣ ପାଇଁ ୧୫ହଜାର ଟଙ୍କା ପ୍ରୋତ୍ସାହନ ଦିଆଯିବାକୁ ଥିବାବେଳେ କୌଳିକ ବୃତ୍ତି କାରିଗର ଅନ୍ୟକୁ ତାଲିମ ଦେଲେ ଦୈନିକ ୫ଶହ ଟଙ୍କା ପାରିଶ୍ରମିକ ଦିଆଯିବ। ଏଥିପାଇଁ ୫ ବର୍ଷରେ ୧୩ ହଜାର କୋଟି ଖର୍ଚ୍ଚ କରିବେ କେନ୍ଦ୍ର ସରକାର। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ପ୍ରମୁଖ ଶାସନ ସଚିବ ଶାଶ୍ବତ ମିଶ୍ର, ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଏବଂ ଖୋର୍ଦ୍ଧାରୋଡ଼ ଡିଆରଏମ ଉପସ୍ଥିତ ଥିଲେ।
ପୁରୀରେ କେନ୍ଦ୍ରମନ୍ତ୍ରୀ ଡ ଏମ. ମହେନ୍ଦ୍ର ଭାଇ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ବିଶ୍ବକର୍ମା ଯୋଜନା ପାରମ୍ପରିକ କାରିଗରମାନଙ୍କୁ ବିଶ୍ବବଜାର ସୁବିଧା ଯୋଗାଇବ। ପୁରୀ ପୌର ସଦନରେ ରବିବାର ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଲେ ଗରିବ କାରିଗରମାନଙ୍କ ଦକ୍ଷତା ଓ ରୋଜଗାର ବୃଦ୍ଧି ଏହି ଯୋଜନାର ମୁଖ୍ୟ ଉଦେଶ୍ୟ।
ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଖୋର୍ଦ୍ଧା ରୋଡ ରେଳ ଉପ ମହାପ୍ରବନ୍ଧକ କଲ୍ୟାଣ ପଟ୍ଟନାୟକ,ବିଜେପି ଜିଲା ସଭାପତି ଆଶ୍ରିତ ପଟ୍ଟନାୟକ ଏବଂ ଜାତୀୟ କାର୍ଯକାରୀ କମିଟି ସଭ୍ୟ ମଧୁସୂଦନ ସିଂହାରୀ ସଭାରେ ଉପସ୍ଥିତ ଥିଲେ।
କୋରାପୁଟ ଜିଲା କୋଟପାଡରେ ରାଜ୍ୟ ସଭାପତି ମନମୋହନ ସାମଲ, ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଜନ୍ ବାର୍ଲା, ଯାଜପୁରର କୁଆଖିଆଠାରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ବାଲେଶ୍ୱରରେ ସାଂସଦ ପ୍ରତାପ ଷଡଙ୍ଗୀ, ବଲାଙ୍ଗୀରରରେ ପୂର୍ବତନ ରାଜ୍ୟ ସଭାପତି କେଭି ସିଂହଦେଓ, ସାଂସଦ ସଙ୍ଗୀତା ସିଂହଦେଓ, ନୂଆପଡାରେ ସାଂସଦ ବସନ୍ତ ପଣ୍ଡା, ବରଗଡରେ ସାଂସଦ ସୁରେଶ ପୂଜାରୀ ପ୍ରମୁଖ ବିଭିନ୍ନ ସ୍ଥାନରେ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Hot this week

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories