ନୂଆଦିଲ୍ଲୀ: କରୋନା ଟିକା ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ରହିବାକୁ ନେଇ ପ୍ରଶ୍ନ ଉଠିଥିବାବେଳେ ସରକାର ଏହାର କାରଣ ଦର୍ଶାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ନେଇ କଂଗ୍ରେସର ରାଜ୍ୟସଭା ସଦସ୍ୟ କୁମାର କେତକାର ସଂସଦରେ ପ୍ରଶ୍ନ ଉଠାଇଥିବାବେଳେ ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ଏହାର ଉତ୍ତର ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଫଟୋ ସହିତ ତାଙ୍କର ଏକ ବାର୍ତ୍ତା ପ୍ରମାଣପତ୍ରରେ ରହିଛି। ଟିକା ନେବା ସହିତ କରୋନା କଟକଣାକୁ ପାଳନ କରିବାକୁ ବାର୍ତ୍ତାରେ କୁହାଯାଇଛି। ଏହି ବାର୍ତ୍ତା କରୋନା ସଂକ୍ରମଣ ରୋକିବା ଦିଗରେ ଏକ ବଡ ପଦକ୍ଷେପ। ଦେଶବାସୀଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଏହି ବାର୍ତ୍ତା ଦିଆଯାଇଛି। ଆଉ ଏପରି ବାର୍ତ୍ତାକୁ ଲୋକଙ୍କ ମଧ୍ୟରେ ପ୍ରଚାର କରିବା ସରକାରଙ୍କର ନୈତିକ ଦାୟିତ୍ବ। ମନ୍ତ୍ରୀ କହିଛନ୍ତି ଯେ ଟିକା ନେବା ପରେ ହିତାଧିକାରୀଙ୍କୁ କୋ-ୱିନ ଆପ୍ ମାଧ୍ୟମରେ ଯେଉଁ ପ୍ରମାଣପତ୍ର ଦିଆଯାଉଛି ତାହା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ’)ର ଧାର୍ଯ୍ୟ ବ୍ୟବସ୍ଥା ଉପରେ ଆଧାରିତ। ଟିକା ପ୍ରମାଣପତ୍ରର ଫର୍ମାଟ୍ ମଧ୍ୟ ହୁ’ର ମାନଦଣ୍ଡ ଆଧାରରେ ହୋଇଛି। ତେବେ ପୂର୍ବରୁ କୌଣସି ଟିକା ଯଥା ପୋଲିଓ ଓ ବସନ୍ତ ଟିକା ପ୍ରମାଣପତ୍ରରେ ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କ ଫଟୋ ଛପାଯାଇଥିଲା କି ନାହିଁ ସେ ସମ୍ପର୍କରେ େକତକାର ପ୍ରଶ୍ନ କରିଥିବାବେଳେ ଏହାର ଉତ୍ତର ସରକାର ଦେବେ।
Popular Categories



