‘ସମ୍ମିଳିତ ପ୍ରୟାସ ଆଗାମୀ ସମୟକୁ ସବୁଜ ଯୁଗ କରିବ’

ଜି-୭ ସମ୍ମିଳନୀ ସାରି ଭାରତ ଫେରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ରୋମ୍‌ : ଜଳବାୟୁ ପରିବର୍ତ୍ତନକୁ ନେଇ ସମଗ୍ର ବିଶ୍ବ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବାବେଳେ ଏହାକୁ ରୋକିବା ଲାଗି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ବ ସମୁଦାୟଙ୍କୁ ନିବେଦନ କରିଛନ୍ତି। ଇଟାଲୀର ଆପୁଲିଆ ଠାରେ ଚାଲିଥିବା ଜି-୭ ସମ୍ମିଳନୀକୁ ଶୁକ୍ରବାର ସମ୍ବୋଧନ କାଳରେ​‌ ମୋଦୀ କହିଛନ୍ତି ଯେ ଆମ ସମସ୍ତଙ୍କର ସମ୍ମିଳିତ ଉଦ୍ୟମ ଆଗାମୀ ସମୟକୁ ସବୁଜ ଯୁଗ କରିପାରିବ। ଅଙ୍ଗାରକାମ୍ଳ ନିର୍ଗମନକୁ ଶୂନ କରିବା ଲାଗି ଭାରତ ଏହାର ପ୍ରତିଶ୍ରୁତି ମୁତାବକ କାର୍ଯ୍ୟ କରୁଥିବା​‌ ମୋଦୀ କହିଛନ୍ତି। ୨୦୭୦ ସୁଦ୍ଧା ଭାରତ ଏହାର ଅଙ୍ଗାରକାମ୍ଳ ନିର୍ଗମନକୁ ଶୂନ କରିବା ଲକ୍ଷ୍ୟ ରଖିଛି। ମୋଦୀ କହିଛନ୍ତି ଯେ କୃତ୍ରିମ ବୁଦ୍ଧିମତା (ଏଆଇ)କୁ ନେଇ ଜାତୀୟ ରଣନୀତିରେ ପ୍ରସ୍ତୁତ କରିବାରେ ଭାରତ ବିଶ୍ବର ଅନ୍ୟତମ ରାଷ୍ଟ୍ର। ବୈଷୟିକ ଜ୍ଞାନକୌଶଳର ସକାରାତ୍ମକ ଉପଯୋଗ ପୂର୍ବକ ଏହାର ଗଣତାନ୍ତ୍ରିକରଣକୁ ଭାରତ ଗୁରୁତ୍ବ ଦେଇ ଆସୁଛି। ସମାଜରେ ଅସମାନତାକୁ ଦୂର ପୂର୍ବକ ବୈଷୟିକ ଜ୍ଞାନକୌଶଳର ଲାଭ ସମାଜର ପ୍ରତିଟି ବର୍ଗର ଲୋକେ କିପରି ପାଇଁ ପାରିବେ ସେଥିଲାଗି ଭାରତ ସରକାର ଉଦ୍ୟମ କରୁଛନ୍ତି। ସମ୍ମିଳନୀରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ ଇଟାଲୀ ପ୍ରତିପକ୍ଷ ଜିଓର୍ଜିଆ ମେଲୋନୀ ସ୍ବାଗତ କରିଥିଲେ। ଏହା ପୂର୍ବରୁ ମୋଦୀ ପୋପ୍ ଫ୍ରାନସିସ୍‌ ଓ ବିଶ୍ବର ଅନ୍ୟ ନେତାଙ୍କ ସହିତ ଦ୍ବିପାକ୍ଷିକ କଥାବାର୍ତ୍ତା କରିଥିଲେ।
ଜି-୭ ସମ୍ମିଳନୀର ଦ୍ବିତୀୟ ଦିନରେ ବିଶ୍ବ ଶାନ୍ତି ପ୍ରତିଷ୍ଠା ଲାଗି ରୁଷ୍‌-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ କରିବା ଉପରେ ଗୁରୁତ୍ବ ଦିଆଯାଇଛି। ସମ୍ମିଳନୀରେ ଯୋଗ ଦେଇଥିବା ବିଶ୍ବ ନେତାମାନେ ଯୁଦ୍ଧରେ ଚୀନର ପ୍ରୋତ୍ସାହନକୁ ନାପସନ୍ଦ କରିଛନ୍ତି। ଯୁଦ୍ଧ ଲାଗି ରୁଷ୍‌କୁ ଚୀନ ଅସ୍ତ୍ରଶସ୍ତ୍ର ଯୋଗାଇ ଆସୁଥିବାବେଳେ ଏହାକୁ ବନ୍ଦ କରିବା ଲାଗି ବିଶ୍ବନେତା ନିବେଦନ କରିଛନ୍ତି। ସମ୍ମିଳନୀର ଚିଠା ପ୍ରସ୍ତାବରେ ଚୀନକୁ ଏହାର ବ୍ୟାବସାୟିକ ମନୋଭାବ ଦୂର କରିବା ପୂର୍ବକ ରୁଷ୍‌କୁ ଅସ୍ତ୍ରଶସ୍ତ୍ର ଯୋଗାଣ ବନ୍ଦ କରିବାକୁ କୁହାଯାଇଛି। ରୁଷ୍‌କୁ ଚୀନ ଅସ୍ତ୍ରଶସ୍ତ୍ର ବିକ୍ରି କରି ଯେଉଁ ବ୍ୟବସାୟ ଚଳାଇଛି ତାକୁ ଜି-୭ ରାଷ୍ଟ୍ର ନେତା ଅନୈତିକ ଦର୍ଶାଇଛନ୍ତି। ଆଗାମୀ ଦିନରେ ଚୀନ ଯଦି ଏହି ଅନୈତିକ ବ୍ୟାବସାୟିକ କାରବାରରୁ ଦୂରେଇ ନ ରୁହେ ତେବେ ଏହା ଉପରେ କଟକଣା ଲାଗୁ କରାଯିବ ବୋଲି ବିଶ୍ବ ନେତା ଚେତାବନୀ ଦେଇଛନ୍ତି। ଅନ୍ୟପଟେ ରୁଷ୍ ଉପରେ ଅତିିରିକ୍ତ କଟକଣା ଲାଗୁ କରିବାକୁ ଜି-୭ ରାଷ୍ଟ୍ରନେତାମାନେ ନିଷ୍ପତ୍ତି ନେଇଛନ୍ତି। ଏପରିକି ରୁଷ୍ ଠାରୁ ଯେଉଁସବୁ ରାଷ୍ଟ୍ର ତୈଳ ଆମଦାନୀ କରୁଛନ୍ତି ସେମାନଙ୍କ ଉପରେ ମଧ୍ୟ ଜି-୭ କଟକଣା ଲାଗୁ କରିବ। ଯୁଦ୍ଧ ଦ୍ବାରା ୟୁକ୍ରେନ ଆର୍ଥିକ ଦୁଃସ୍ଥିତିର ସମ୍ମୁଖୀନ ହୋଇଥିବା ୟୁକ୍ରେନକୁ ୫୦୦ କୋଟି ଡଲାର ଋଣ ଯୋଗାଇ ଦେବାକୁ ଜି-୭ ରାଷ୍ଟ୍ରନେତାମାନେ ସମ୍ମତି ପ୍ରକାଶ କରିଛନ୍ତି। ଯୁଦ୍ଧ ଯୋଗୁଁ ରୁଷ୍‌ର ସମ୍ପତ୍ତି ଜବତରୁ ମିଳିଥିବା ଅର୍ଥକୁ ୟୁକ୍ରେନକୁ ଋଣ ଆକାରରେ ପ୍ରଦାନ କରାଯିବ। ୟୁକ୍ରେନ ଉପରେ ରୁଷ୍‌ର ସାମରିକ ଅଭିଯାନ ପରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ମସ୍କୋ ଉପରେ ବିଭିନ୍ନ କଟକଣା ଲାଗୁ କରିବା ସହିତ ଏହାର ସମ୍ପତ୍ତି ସବୁକୁ ଜବତ କରିଥିଲେ। ଜି-୭ ରାଷ୍ଟ୍ରଗୁଡିକ ଆଜି ଇରାନକୁ ଦେଇଥିବା ଚେତାବନୀରେ ପରମାଣୁ ଅସ୍ତ୍ର ତିଆରି କାର୍ଯ୍ୟକ୍ରମରୁ ଦୂରେଇ ରହିବାକୁ କହିଛନ୍ତି। ଏହା ସହିତ ଇରାନ ଯଦି ରୁଷ୍‌କୁ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ଯୋଗାଇବ ତେବେ ଏହା ଜି-୭ ରାଷ୍ଟ୍ରର କଟକଣାର ସମ୍ମୁଖୀନ ହେବ। ଯୁଦ୍ଧ ବ୍ୟତୀତ ବିଶ୍ବ ଜଳବାୟୁ ପରିବର୍ତ୍ତନକୁ ନିୟନ୍ତ୍ରଣ ଲାଗି ଜି-୭ ସମ୍ମିଳନୀରେ ଗୁରୁତ୍ବ ଦିଆଯାଇଛି। ଏଥିପାଇଁ ଜି-୭ ରାଷ୍ଟ୍ରଗୁଡିକ ଜୀବାଷ୍ମ ଇନ୍ଧନ ଉପଯୋଗକୁ ହ୍ରାସ କରିବା ଲାଗି ଗୁରୁତ୍ବ ଦେଇଛନ୍ତି। କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ବ୍ରିଟେନ ଓ ଆମେରିକା ଜି-୭ ରାଷ୍ଟ୍ର ସଦସ୍ୟ ଥିବାବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅନ୍ୟ କେତେକ ରାଷ୍ଟ୍ରର ନେତା ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଛନ୍ତି।
ଜି-୭ ରାଷ୍ଟ୍ର ପକ୍ଷରୁ ୟୁକ୍ରେନ ପାଇଁ ଘୋଷଣା କରାଯାଇଥିବା ୫୦୦ କୋଟି ଡଲାରର ସହାୟତାକୁ ନେଇ ରୁଷ୍ ପ୍ରତିକ୍ରିୟା ପ୍ରକାଶ କରିଛି। ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ ଜି-୭ ରାଷ୍ଟ୍ର ୟୁକ୍ରେନ ପାଇଁ ଯେଉଁ ସହାୟତା ଘୋଷଣା କରିଛନ୍ତି ତାହା ଏକ ଚୋରି। ଏହା ଏକ ଅପରାଧ। ଏହା ବିରୋଧରେ ରୁଷ୍ କାର୍ଯ୍ୟାନୁଷ୍ଠାନ ନେବ। ଜି-୭ ସମ୍ମିଳନୀରେ ଯୋଗ ଦେଇଥିବା ୟୁକ୍ରେନ ରାଷ୍ଟ୍ରପତି ଭୋଲ​‌େ​‌ଡମିର ଜେଲେନସ୍କିଙ୍କ ସହିତ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୧୦ବର୍ଷିଆ ସୁରକ୍ଷା ବୁଝାମଣା ସ୍ବାକ୍ଷର କରିଛନ୍ତି। ବୁଝାମଣା ଅନୁଯାୟୀ ୟୁକ୍ରେନକୁ ଆମେରିକା ସେନା ସାମରିକ ପ୍ରଶିକ୍ଷଣ ଓ ସହାୟତା ଯୋଗାଇ ଦେବ।

Comments are closed.