କରୋନା ମହାମାରୀର ମୁକାବିଲା ନିମନ୍ତେ ପରୀକ୍ଷା, ଚିହ୍ନଟ ଏବଂ ଚିକିତ୍ସା ଉପରେ ଅଧିକ ଧ୍ୟାନ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁତ୍ୱାରୋପ କରିଛନ୍ତି। ରବିବାର ନିଜ ସଂସଦୀୟ ଅଞ୍ଚଳ ବାରାଣସୀରେ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ କରୋନା ମହାମାରୀ ପରିସ୍ଥିତିର ସମୀକ୍ଷା କରି ଏହା କହିଛନ୍ତି। ସେ କହିଛନ୍ତି, ସଂକ୍ରମିତ ବ୍ୟକ୍ତିମାନଙ୍କର ଚିହ୍ନଟ କରିବା ଏବଂ ପରୀକ୍ଷା ରିପୋର୍ଟ ତୁରନ୍ତ ଯୋଗାଇ ଦେବାର ଆବଶ୍ୟକତା ରହିଛି।
ଏହି ସମୀକ୍ଷା ବୈଠକରେ ଶ୍ରୀ ମୋଦୀ ବାରାଣସୀରେ କରୋନା ସଂକ୍ରମିତ ରୋଗୀମାନଙ୍କର ଚିକିତ୍ସା ନିମନ୍ତେ କେତେ ପରୀକ୍ଷା କରାଯାଇଛି ଏବଂ ସେମାନଙ୍କ ପାଇଁ ବ୍ୟବହାର ହେଉଥିବା ଶଯ୍ୟା ସଂଖ୍ୟା, ଔଷଧ, ଟିକା ଏବଂ କେତେ ଜଣ ସହାୟକ କାର୍ଯ୍ୟ କରୁଛନ୍ତି, ସେ ସମ୍ପର୍କରେ ପଚାରି ବୁଝିଛନ୍ତି। ସଂକ୍ରମିତମାନଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଅନୁଷ୍ଠିତ ଆଲୋଚନାରେ ଶ୍ରୀ ମୋଦି ସମସ୍ତଙ୍କୁ ଦୂରତା ବଜାୟ ରଖିବା ଏବଂ ମାସ୍କ ପିନ୍ଧିବା ଉପରେ
ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି।
ଟିକାକରଣ ଅଭିଯାନ ଉପରେ ଶ୍ରୀ ମୋଦୀ କହିଛନ୍ତି, ୪୫ ବର୍ଷରୁ ଅଧିକ ବୟସର ଜଣେ ବି ବ୍ୟକ୍ତି ଯେପରି ଟିକାକରଣରୁ ବାଦ୍ ନ ପଡ଼ନ୍ତି, ତାହା ପ୍ରଶାସନ ସୁନିଶ୍ଚିତ କରିବା ଆବଶ୍ୟକ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସାରା ଦେଶରେ କରୋନା ମହାମାରୀର ମୁକାବିଲା ନିମନ୍ତେ କାର୍ଯ୍ୟରତ ଚିକିତ୍ସକ ଏବଂ ମେଡିକାଲ କର୍ମଚାରୀମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ସେହି କର୍ମଚାରୀମାନେ ସେମାନଙ୍କର କର୍ତ୍ତବ୍ୟ ଓ ଉତ୍ତରଦାୟିତ୍ୱ ପ୍ରତି ସମ୍ପୂର୍ଣ୍ଣ ବିଶ୍ୱସ୍ତ ରହିଛନ୍ତି। ଏହି ଭିଡ଼ିଓ କନ୍ଫରେନ୍ସିଂରେ ଅନୁଷ୍ଠିତ ବୈଠକରେ ପ୍ରଧାନମନ୍ତ୍ରୀ ସମସ୍ତ ଜନ ପ୍ରତିନିଧିମାନଙ୍କୁ କରୋନା ମହାମାରୀର ମୁକାବିଲା ନିମନ୍ତେ ଅଧିକ ସକ୍ରିୟ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି।



