ପିପିଲି :ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ପିପିଲି ବାଇପାସ ରାସ୍ତାର ଦାଣ୍ଡମୁକୁନ୍ଦପୁର ମହୁଡଛକ ନିକଟ ରାସ୍ତାପାଶ୍ୱର୍ ଏକ ଜୁଣବୁଦା ମୂଳରୁ ଜଣେ ଯୁବକର ମୃତଦେହକୁ ବୁଧବାର ସକାଳେ ପୁଲିସ ଜବତ କରିଛି । ମୃତକଙ୍କ ନାମ ଅଜୟ କୁମାର ସେଠୀ(୨୭) ଓ ତାଙ୍କ ଘର ନିମାପଡା ଥାନା ଅନ୍ତର୍ଗତ ନହନ୍ତରା ଗ୍ରାମରେ ହୋଇଥିବା ସୂଚନା ମିଳିଛି । ଏନେଇ ମୃତକଙ୍କ ବାପାଙ୍କ ଲିଖିତ ଅଭିଯୋଗ ଉପରେ ପିପିଲି ପୁଲିସରେ ଏକ ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ଘଟଣାର ତଦନ୍ତ ଚଳାଇଛି ।
ସୂଚନା ଅନୁଯାଇ, ପିପିଲି ବାଇପାସ ରାସ୍ତାର ନୂଆଶାସନ ଗ୍ରାମ୍ୟଛକ ଓ ଦାଣ୍ଡମୁକୁନ୍ଦପୁର ଗ୍ରାମ୍ୟଛକ ମଧ୍ୟବର୍ତ୍ତୀ ଅଞ୍ଚଳରେ ରାସ୍ତା କଡରୁ ପ୍ରାୟ ୭୦ଫୁଟ୍ ଦୂରରେ ଥିବା ଜୁଣବୁଦା ମୂଳରେ ଜଣେ ଅପରିଚିତ ଯୁବକଙ୍କ ମୃତଦେହ ପଡିଥିବା ଖବର ପାଇ ପିପିଲି ଏସ୍ଡିପିଓ ଦେବାଶିଷ ମିଶ୍ର, ଥାନାଧିକାରୀ ସୌମେନ୍ଦୁ ଶେଖର ତ୍ରିପାଠୀ, ତଦନ୍ତକାରୀ ଅଧିକାରୀ ଏସ୍ଆଇ ନାରାୟଣ ବେହେରା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ । ଯୁବକ ଜଣକ ତଳକୁ ମୁଁହମାଡି ପଡିଥିବା ବେଳେ ତାଙ୍କ ଦେହରେ କେବଳ ଏକ ଫୁଲ୍ ଟ୍ରାକ୍ସୁଟ୍ ଓ ଅନ୍ତବସ୍ତ୍ର ପିନ୍ଧିଥିବା ପରିଲକ୍ଷିତ ହୋଇଥିଲା । ତାଙ୍କ ପିଚା, ତଳିପେଟ ଓ ଆଖିପତାରେ ସାମାନ୍ୟ କ୍ଷତଚିହ୍ନ (ପିମ୍ପୁଡି କାମୁଡା ଦାଗ) ପରିଲକ୍ଷିତ ହୋଇଥିଲା । ପାଖରେ ଏକ ବ୍ୟାଗ୍ ମଧ୍ୟରେ ତାଙ୍କ ମୋବାଇଲ ଫୋନ୍, ପୋଷାକ, ଆଧାରକାର୍ଡ, ଡ୍ରାଇଭିଂ ଲାଇସେନ୍ସ, ଚପଲ ଆଦି ଥିବା ଦେଖିବାକୁ ମିଳିଥିଲା । ଆଧାରକାର୍ଡ ଓ ଡ୍ରାଇଭିଂ ଲାଇସେନ୍ସରୁ ପରିଚୟ ଜଣାପଡିବା ପରେ ଖବରପାଇ ମୃତକଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । ତେବେ ପୁଅକୁ କେହି ହତ୍ୟା କରିବା ପରେ ସେଠାରେ ପକାଇଦେଇଥିବା ନେଇ ମୃତକଙ୍କ ବାପା କୃଷ୍ଣଚନ୍ଦ୍ର ସେଠୀ ପିପିଲି ପୁଲିସରେ ଲିଖିତ ଅଭିଯୋଗ କରିବା ପରେ ପୁଲିସରେ ଏକ ହତ୍ୟା ମାମଲା ରୁଜୁ ହୋଇଛି । ପୁରୀରୁ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ମୃତଦେହର ପଞ୍ଚାନାମା କରାଯାଇ ବ୍ୟବଚ୍ଛେଦ ପାଇଁ ପୁରୀ ପଠାଯାଇଥିଲା ।
ମୃତ ଅଜୟ ଜଣେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ସେ ଚେନ୍ନାଇ ରେ ଥିବା ବେଳେ ଗତ ୫ଦିନ ତଳେ ନିଜ ଘରକୁ ଆସିଥିଲେ । ଭୁବନେଶ୍ୱରରେ କାମ କରିବା ପାଇଁ ୩ଦିନ ତଳୁ ସେ ଘରୁ ଯାଇଥିବା ବେଳେ ବୁଧବାର ସକାଳେ ତାଙ୍କ ମୃତଦେହ ପିପିଲି ବାଇପାସ ରାସ୍ତା କଡ ଜୁଣବୁଦା ମୂଳରୁ ମିଳିବା ଘଟଣା ପରିବାରବର୍ଗ ଓ ଅଞ୍ଚଳବାସୀଙ୍କୁ ଚକିତ କରିଛି । ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି । ତେବେ, ବିଭିନ୍ନ ଦିଗରୁ ପୁଲିସ ତଦନ୍ତ ଚଳାଇଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଆଇଆଇସି ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି ।



