ସମସ୍ତ କ୍ଷତିଗ୍ରସ୍ତ କୁକୁଡା ଚାଷୀଙ୍କୁ ସରକାରୀ ସହାୟତା ଦାବି ଜୋର୍ ଧରିଲା
ଆଜି ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଆନ୍ଦୋଳନ
ପିପିଲି:ପୁରୀ ଜିଲାର ପିପିଲି, ଡେଲାଙ୍ଗ, ସତ୍ୟବାଦୀ, କଣାସ, ବଳଙ୍ଗା, ପୁରୀସଦର ଓ ନିମାପଡା ଅଞ୍ଚଳରେ ଲକ୍ଷାଧିକ ସଂଖ୍ୟାରେ ବ୍ରଏଲର କୁକୁଡା ମରିଥିବା ବେଳେ ଚାଷୀମାନଙ୍କ ଆର୍ଥିକ ମେରୁଦଣ୍ଡ ସଂପୂର୍ଣ୍ଣ ଭାଙ୍ଗିପଡିଛି। ଅଜଣା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇ ଗତ ଜୁନ ମାସରୁ ଜିଲାରେ କୁକୁଡା ମଡକ ଆରମ୍ଭ ହୋଇଥିବା ବେଳେ ପ୍ରାଣୀ ସଂପଦ ବିଭାଗର ଦାୟିତ୍ୱହିନତା ଯୋଗୁଁଁ ଏଭଳି ଭୟାବହ ପରିସ୍ଥିତି ସୃଷ୍ଟି ହୋଇଥିବା ନେଇ ପୋଲଟ୍ରି ଫାର୍ମର୍ସ ଡେଭଲପମେଣ୍ଟ ଫୋରମ, ଓଡିଶା ର ରାଜ୍ୟ ସଂପାଦକ ପ୍ରଦ୍ୟୁମ୍ନ ପରିଡା ଗୁରୁତର ଅଭିଯୋଗ କରିଛନ୍ତି।
ଯାହାଫଳରେ ଜିଲାର ଦେଢହଜାରରୁ ଊର୍ଦ୍ଧ୍ବ କୁକୁଡା ଚାଷୀ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛନ୍ତି। ଜୁନ ମାସରୁ କ୍ଷତିଗ୍ରସ୍ତ କୁକୁଡା ଚାଷୀଙ୍କର ତାଲିକା ପ୍ରସ୍ତୁତ କରାଯାଇ ସେମାନଙ୍କୁ ସରକାରୀ ଆପାଦକାଳୀନ କ୍ଷତିପୂରଣ ସହାୟତା ରାଶି ପ୍ରଦାନ କରାଯିବା, ୨୦୧୯ ଫଣି’ ବାତ୍ୟା ସମୟରେ ପ୍ରାଣୀ ସଂପଦ ବିକାଶ ବିଭାଗ ଜରିଆରେ ଯେଉଁ ନିୟମ ଆଧାରରେ କୁକୁଡା ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଇଥିଲା
ସେହି ନିୟମାନୁସାରେ ଭୂତାଣୁଜନିତ ରୋଗରେ କ୍ଷତିଗ୍ରସ୍ତ କୁକୁଡାଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯିବା, ଏହି ଘଟଣାରେ ଅବହେଳା ପ୍ରଦର୍ଶନ କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା, ସମସ୍ତ ସଂକ୍ରମିତ କୁକୁଡାଫାର୍ମ ଗୁଡିକୁ ତାଲିକାଭୁକ୍ତ କରାଯାଇ ବିଶୋଧନ କରାଯିବା ଓ ଜନବସତି ଅଞ୍ଚଳରେ ଲୋକଙ୍କ ସ୍ୱାସ୍ଥ୍ୟପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯିବା ଦାବିରେ ସୋମବାର ଦିନ ଜିଲାର ୫ଶହରୁ ଊର୍ଦ୍ଧ୍ବ କ୍ଷତିଗ୍ରସ୍ତ କୁକୁଡାଚାଷୀଙ୍କୁ ନେଇ ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରାଯିବ ବୋଲି ଶ୍ରୀପରିଡା ସୂଚନା ଦେଇଛନ୍ତି।
Comments are closed.