ପିପିଲି:ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି କାଳିଆ ଠାକୁର ଏବେ ଯାଇଛନ୍ତି ଘୋଷଯାତ୍ରାରେ ମାଉସୀ ଘରକୁ । ଅଥଚ ଏକାକୀ ପତ୍ନୀଙ୍କୁ ଛାଡିଦେଇ ଆସିଛନ୍ତି ଶ୍ରୀପତିତପାବନ ମନ୍ଦିରରେ । ତେଣୁ ପ୍ରଭୁଙ୍କ ଉପରେ ରୋଷ କରିଛନ୍ତି ମହାଲକ୍ଷ୍ମୀ । ପବିତ୍ର ହେରାପଞ୍ଚମୀ ତିଥିରେ ସେବକଙ୍କ ଗହଣରେ ମହାଲକ୍ଷ୍ମୀ ଗୋପନରେ ମାଉସୀମା’ଙ୍କ ମନ୍ଦିର ଅଭିମୁଖେ ଶୋଭାଯାତ୍ରାରେ ଯାଇ ମହାପ୍ରଭୁଙ୍କ ରଥଚକର ଖଣ୍ଡିଏ କାଠକୁ ଭାଙ୍ଗି ନିଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ପ୍ରବଳ ଉତ୍ସାହ ଓ ଉଦ୍ଦିପନା ମଧ୍ୟରେ ଆଜି ପିପିଲିରେ ହେରାପଞ୍ଚମୀ ନୀତି ଅନୁଷ୍ଠିତ ହୋଇଯାଇଥିବା ବେଳେ ଏହାକୁ ଦେଖିବା ପାଇଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ପରିଲକ୍ଷିତ ହୋଇଥିଲା ।
ପିପିଲି ଦରଜିସାହି ସ୍ଥିତ ଶ୍ରୀପତିତପାବନ ଦେବଙ୍କ ମନ୍ଦିରରେ ଗୁରୁବାର ପାଳିଆ ସେବକଙ୍କ ଦ୍ୱାରା ମା’ଲକ୍ଷ୍ମୀ ଠାକୁରାଣୀଙ୍କୁ ମାଜଣା କରାଯାଇଥିଲା । ପରେ ଠାକୁରାଣୀଙ୍କୁ ପାଟଶାଢି ଓ ସୁବର୍ଣ୍ଣ ଅଳଙ୍କାରରେ ବେଶ କରାଯାଇଥିଲା । ସେଠାରେ ପଂକ୍ତିଭୋଗ କରାଯାଇଥିବା ବେଳେ ମା’ଲକ୍ଷ୍ମୀ ଠାକୁରାଣୀଙ୍କୁ ଦର୍ଶନ କରିବାକୁ ସଂନ୍ଧ୍ୟାରେ ମନ୍ଦିରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ରାତିରେ ମହାଲକ୍ଷ୍ମୀ ଠାକୁରାଣୀ ଏକ ସୁସଜ୍ଜିତ ବିମାନରେ ଘଣ୍ଟ, ଘଣ୍ଟା, କାହାଳି, ମୃଦଙ୍ଗ, ଛତି, ତ୍ରାସ, ଆଲଟ ସହ ସେବକଙ୍କ ଗହଣରେ ମଢିଆଳିସାହି ସ୍ଥିତ ମା’ପଢେଇଶୁଣୀ ଠାକୁରାଣୀଙ୍କ ମନ୍ଦିର ସଂଲଗ୍ନ ମାଉସୀମା’ଙ୍କ ମନ୍ଦିର ଅଭିମୁଖେ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଗୋପନରେ ଶୋଭାଯାତ୍ରାରେ ବାହାରିଥିଲେ ।
ଏହି ସମୟରେ ତିନି ଠାକୁରଙ୍କର ସର୍ବାଙ୍ଗ ଓ ବେଶ ହୋଇ ସଂଧ୍ୟାଧୂପ ଉଠି ସାରିଥିବା ବେଳେ ପଣ୍ଡା ପୂଜାରେ ବସିଥିଲେ । ମାତ୍ର ପ୍ରଭୁଙ୍କର ଲୀଳା ଅପାର । ପୂଜାପଣ୍ଡା ସେବକ ପୂଜା ବଢାଇ ଧୂପଦୀପ ଦେଇ ହଠାତ୍ ଡେରା ପକାଇ ଦେବାରୁ ମହାଲକ୍ଷ୍ମୀ ଆଉ ମହାପ୍ରଭୁଙ୍କୁ ଦର୍ଶନ କରିପାରିନଥିଲେ । ଏଥିରେ ନିଜକୁ ଅପମାନିତ ବୋଧ କରି ରାଗରେ ମହାପ୍ରଭୁଙ୍କ ରଥ ନିକଟକୁ ଯାଇ ମହାଲକ୍ଷ୍ମୀ ସେଠାରେ ରଥଚକର ଖଣ୍ଡିଏ କାଠ ଭାଙ୍ଗି ଦେଇଥିଲେ । ପରେ ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ଅଣାଯାଇ ମହାଲକ୍ଷ୍ମୀଙ୍କୁ ପ୍ରଦାନ କରାଯାଇଥିଲା । ସେଠାରେ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା କରାଯିବା ସହ ପ୍ରସାଦଲାଗି କରାଯାଇଥିଲା ।
ଦଶମୀ ତିଥିରେ ଶ୍ରୀପତିତପାବନ ମନ୍ଦିରକୁ ଫେରିବାକୁ ମହାପ୍ରଭୁ ଶ୍ରୀଜଗନ୍ନାଥ ପ୍ରତିଶୃତି ଦେବା ପରେ ମା’ଲକ୍ଷ୍ମୀ ଠାକୁରାଣୀ ନିଜ ମନ୍ଦିରକୁ ଫେରିଥିଲେ । ବାଟରେ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁମାନେ ମହାଲକ୍ଷ୍ମୀଙ୍କୁ ବାଟଭୋଗ ଅର୍ପଣ କରିଥିଲେ । ମନ୍ଦିିରର ମୁଖ୍ୟପୂଜକ ଲକ୍ଷ୍ମୀଧର ପଣ୍ଡା, ଦଇତାସେବକ ଜୟଦେବ ମହାପାତ୍ର, ଅକ୍ଷୟ ମହାପାତ୍ର ଓ ଚନ୍ଦନ ମହାପାତ୍ର ଠାକୁରାଣୀଙ୍କ ସମସ୍ତ ପୂଜାନୀତି କରିଥିବା ବେଳେ କାହାଳିଆ ମଙ୍ଗୁଳି ମାଝୀ, ସେବାୟତ କାଳିଆ ମହାପାତ୍ର, ପିପିଲି ରଥଯାତ୍ରା ପରିଚାଳନା କମିଟିର ସଭାପତି ଇଂ ରମେଶ ଚନ୍ଦ୍ର ଶତପଥି, ସଂପାଦକ ପ୍ରଭାତ କୁମାର ମହାପାତ୍ର, କୋଷାଧ୍ୟକ୍ଷ ସୁରେନ୍ଦ୍ର ମହାପାତ୍ର, ସହସଂପାଦକ ରମେଶ ଚନ୍ଦ୍ର ମହାପାତ୍ର, ଯୁଗ୍ମ ସଂପାଦକ ମନୋଜ କୁମାର ପ୍ରଧାନ, ମନ୍ଦିରର ଟ୍ରଷ୍ଟି ସୁରେଶ ଚନ୍ଦ୍ର ମହାପାତ୍ର, ମନ୍ଦିର ପରିଚାଳନା କମିଟିର ମୁଖ୍ୟ ଉପଦେଷ୍ଠା ନୃସିଂହ ମହାପାତ୍ର, ମନ୍ଦିର ପରିଚାଳନା କମିଟିର ସଭାପତି ସୁରେନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।



