ସଙ୍କଟରେ ପିପିଲି ଚାନ୍ଦୁଆ ଶିଳ୍ପ

ପିପିଲି: ବିଶ୍ୱ ପ୍ରସିଦ୍ଧ ପିପିଲି ଚାନ୍ଦୁଆ ଶିଳ୍ପ ଏବେ ସଂକଟରେ। ଚାନ୍ଦୁଆ ପ୍ରତି ଗ୍ରାହକଙ୍କ ଆଗ୍ରହ ଦିନକୁ ଦିନ ବୃଦ୍ଧି ପାଉଥିଲେ ମଧ୍ୟ ମାନ୍ଦା ବ୍ୟବସାୟ ଯୋଗୁଁ ଉଭୟ ଚାନ୍ଦୁଆ କାରିଗର ଓ ବ୍ୟବସାୟୀ ସଂପ୍ରତି ନାନା ସମସ୍ୟା ମଧ୍ୟ ଦେଇ ଗତି କରୁଛନ୍ତି। ସରକାରଙ୍କ ପକ୍ଷରୁ ଏହି ଚାନ୍ଦୁଆ ଶିଳ୍ପର ବ୍ୟାପକ ପ୍ରଚାର ଓ ପ୍ରସାର ପାଇଁ ପଦକ୍ଷେପ ଗ୍ରହଣ କରାଯାଉନଥିବା ବେଳେ ବଜାରର ଚାହିଦାକୁ ଲକ୍ଷ୍ୟ କରି ନୂଆ ନୂଆ ଡିଜାଇନର ଚାନ୍ଦୁଆ ପ୍ରସ୍ତୁତ କରିବା ପାଇଁ ଏଠାକାର କାରିଗରଙ୍କ ପାଇଁ କୌଣସି ତାଲିମର ବ୍ୟବସ୍ଥା ନାହିଁ। ସରକାରଙ୍କ ପକ୍ଷରୁ ଚାନ୍ଦୁଆ କାରିଗରଙ୍କୁ ଆବଶ୍ୟକ କଞ୍ଚାମାଲ ସୁଲଭ ମୂଲ୍ୟରେ ଯୋଗାଇଦେବାର ସୁବିଧା ନଥିବାରୁ ଏହି ଚାନ୍ଦୁଆ ଶିଳ୍ପର ଅଧପତନ ଘଟିବାକୁ ଯାଉଛି। ସବୁଠାରୁ ବଡକଥା ହେଲା, କାରିଗରଙ୍କ ଦ୍ୱାରା ଉତ୍ପାଦିତ ଚାନ୍ଦୁଆକୁ ବିକ୍ରି କରିବା ପାଇଁ କୌଣସି ସ୍ୱତନ୍ତ୍ର ମାର୍କେଟର ବ୍ୟବସ୍ଥା ନାହିଁ। ପିପିଲି ଚାନ୍ଦୁଆ ଶିଳ୍ପ ଉପରେ ନିର୍ଭର କରୁଥିବା ବହୁ କାରିଗର ଓ ବ୍ୟବସାୟୀ ଏବେ ଅନ୍ୟ ପନ୍ଥା ତଥା ବ୍ୟବସାୟକୁ ଆଦରି ନେଇଥିବା ଜଣାଯାଇଛି। ପୂର୍ବରୁ ପିପିଲିରେ ୧୦୯ଟି ଚାନ୍ଦୁଆ ଦୋକାନ ଥିବା ବେଳେ ଏବେ ମାତ୍ର ୩୨ଟି ଦୋକାନ ଅଛି। ସଙ୍କଟରେ ଗତି କରୁଥିବା ଏହି ବିଶ୍ୱ ପ୍ରସିଦ୍ଧ ଚାନ୍ଦୁଆ ଶିଳ୍ପକୁ ବଞ୍ଚାଇବା ପାଇଁ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁୁ ଦାବି ହୋଇଛି।

ପୁରୀ ଓ କୋଣାର୍କକୁ ଯାଉଥିବା ଦେଶ ବିଦେଶର ପର୍ଯ୍ୟଟକମାନଙ୍କୁ ପିପିଲିର ଚାନ୍ଦୁଆ ଆକୃଷ୍ଟ କରିଥାଏ। ତେବେ ପିପିଲି ନିକଟରେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ବାଇପାସ ରାସ୍ତା ନିର୍ମାଣ ହେବା ପରେ ପୁରୀ ଓ କୋଣାର୍କଗାମୀ ଅଧିକାଂଶ ଗାଡ଼ି ମୋଟର ଓ ପର୍ଯ୍ୟଟକଙ୍କ ଗାଡ଼ି ବାଇପାସ ରାସ୍ତାରେ ଯାଉଥିବା ବେଳେ ଚାନ୍ଦୁଆ ବଜାର ଏବେ ଖାଁ ଖାଁ ଲାଗୁଛି। ରାଜଧାନୀ ଭୁବନେଶ୍ୱରର କେତେକ ସ୍ଥାନ ସମେତ ପୁରୀ ସମୁଦ୍ରକୂଳ ଅଞ୍ଚଳ ଓ କୋଣାର୍କରେ ଏକାଧିକ ଚାନ୍ଦୁଆ ଦୋକାନ ଖୋଲାଯାଇଥିବାରୁ ପିପିଲିର ଚାନ୍ଦୁଆ ବ୍ୟବସାୟୀଙ୍କ ଉପରେ ତାହାର ପ୍ରତିକୂଳ ପ୍ରଭାବ ପଡୁଛି। ପିପିଲି ବଜାର ରାସ୍ତାଟି ଆବଶ୍ୟକ ଚଉଡା ହୋଇନଥିବା ବେଳେ ଏହି ରାସ୍ତାରେ ସବୁ ସମୟରେ ଗହଳି ଲାଗି ରହିଥିବା ଯୋଗୁଁ ପର୍ଯ୍ୟଟକମାନେ ବାଇପାସ ରାସ୍ତାରେ ଯିବାକୁ ଅଧିକ ପସନ୍ଦ କରୁଥିବା ସୂଚନା ମିଳିଛି। ଫଳରେ ପର୍ଯ୍ୟଟକ ଆସୁନଥିବାରୁ ପିପିଲିର ଚାନ୍ଦୁଆ ବ୍ୟବସାୟୀ ଓ କାରିଗରମାନେ ହାତବାନ୍ଧି ବସିଥିବା ବେଳେ ଅଧିକାଂଶ ଦୋକାନରେ ସପ୍ତାହର ଅଧିକାଂଶ ଦିନ ଅନୁକୂଳ ହେଉନଥିବା ଜଣାଯାଇଛି। ଦୈନିକ ଲକ୍ଷେରୁ ଦେଢଲକ୍ଷ ଟଙ୍କା ବ୍ୟବସାୟ କରୁଥିବା ଦୋକାନରେ ଦିନକୁ ୧୦ରୁ ୧୫ହଜାର ଟଙ୍କା ମଧ୍ୟ ବ୍ୟବସାୟ ହେଉନାହିଁ। ବିଦେଶକୁ ରପ୍ତାନି କରୁଥିବା ବ୍ୟବସାୟୀମାନେ ମଧ୍ୟ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଜଣାଯାଇଛି।

ତେବେ ପିପିଲିର ଏହି ବିଶ୍ୱ ପ୍ରସିଦ୍ଧ ଚାନ୍ଦୁଆ ଶିଳ୍ପର ସୁରକ୍ଷା ପାଇଁ ସରକାର କେତେକ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡ଼ିଛି। ପିପିଲିକୁ ଏକ ସୁନ୍ଦର ଚାନ୍ଦୁଆ ନଗରୀରେ ପରିଣତ କରିବା ପାଇଁ ପିପିଲି ବଜାର ରାସ୍ତାକୁ ସଂପ୍ରସାରଣ କରିବା ସହ ପିପିଲିର ତିନୋଟି ପ୍ରବେଶପଥ ଯଥା ଜଇସପାଟଣାସ୍ଥିତ ଟୋଲଗେଟ ଛକ, ପିପିଲି-ନିମାପଡ଼ା ରାସ୍ତାର ତରାକାଜ ଛକ ଓ ଦାଣ୍ଡମୁକୁନ୍ଦପୁର ବାଇପାସ ଛକ ଠାରେ ସରକାରଙ୍କ ପକ୍ଷରୁ ହୋଡିଂ ନିର୍ମାଣ କରାଗଲେ ପିପିଲିର ଚାନ୍ଦୁଆ ବଜାର ପ୍ରତି ପର୍ଯ୍ୟଟକମାନେ ଆକୃଷ୍ଟ ହୋଇପାରିବେ। ଏତଦ୍‌‌ବ୍ୟତୀତ ରାଜ୍ୟ ଓ ରାଜ୍ୟ ବାହାରେ ବ୍ୟାପକ ପ୍ରଦର୍ଶନ ଜରିଆରେ ଚାନ୍ଦୁଆର ପ୍ରଚାର କରିବା, ପିପିଲିରେ ତାଲିମ କେନ୍ଦ୍ର ଖୋଲି କାରିଗରମାନଙ୍କୁ ନୂତନ ଡିଜାଇନ ସଂପର୍କରେ ତାଲିମ ପ୍ରଦାନ କରିବା ଓ ଅଭାବଗ୍ରସ୍ତ କାରିଗରମାନଙ୍କୁ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ଚାନ୍ଦୁଆ ବ୍ୟବସାୟୀଙ୍କ ପକ୍ଷରୁ ଦାବୀ ହୋଇଛି। ରାଜ୍ୟରେ କଞ୍ଚାମାଲର ଅଭାବ ପରିଲକ୍ଷିତ ହେଉଥିବା ବେଳେ ଏଠାକାର ବ୍ୟବସାୟୀମାନେ କୋଲକତା, ସୁରତ ଓ ଦିଲ୍ଲୀ ଆଦି ସହର ଉପରେ ନିର୍ଭର କରୁଛନ୍ତି। ଫଳରେ ଚାନ୍ଦୁଆର ବ୍ୟୟଭାର ବଢ଼ି ଯାଉଛି। ଏଭଳି ପରିସ୍ଥିତିରେ ସଙ୍କଟରେ ଗତି କରୁଥିବା ଚାନ୍ଦୁଆ ଶିଳ୍ପକୁ ବଞ୍ଚାଇବା ପାଇଁ ପିପିଲି ଆପ୍ଲିକ କ୍ଲଷ୍ଟରର ସଂପାଦକ ରମେଶ ଚନ୍ଦ୍ର ମହାପାତ୍ର ରାଜ୍ୟ ମୁଖ୍ୟମନ୍ତ୍ରୀ, ପର୍ଯ୍ୟଟନ ସଚିବ, ଟେକ୍ସଟାଇଲ ସଚିବ, ହସ୍ତତନ୍ତ ଓ କୁଟୀରଶିଳ୍ପ ନିର୍ଦ୍ଦେଶକଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଙ୍କଠାରେ ଦାବୀ କରିଛନ୍ତି।

 

Comments are closed.