ପିପିଲି ବିଦ୍ୟୁତ୍‍ ସମସ୍ୟାକୁ ନେଇ ଆମରଣ ଅନଶନ

ପିପିଲି:ପିପିଲି ଅଞ୍ଚଳରେ ଦୀର୍ଘବର୍ଷ ଧରି ଲାଗି ରହିଥିବା ବିଦ୍ୟୁତ୍‍ ସମସ୍ୟାର ସ୍ଥାୟୀ ସମାଧାନ ସହ ପିପିଲିକୁ ନିରବଚ୍ଛିନ୍ନ ବିଦ୍ୟୁତ୍‍ ଯୋଗାଣ ଦାବିରେ ‘ଡେଲାଙ୍ଗ ପିପିଲି ଜନକଲ୍ୟାଣ ମଞ୍ଚ’ ପକ୍ଷରୁ ସୋମବାର ଠାରୁ ପିପିଲି ବିଦ୍ୟୁତ୍‍ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରାଯାଇଛି।

ପିପିଲି ବିଦ୍ୟୁତ୍‍ ସବ୍‍ଡିଭିଜନକୁ ନିମାପଡାର ଦିଘାଳ ଠାରେ ଥିବା ୧୩୨/୩୩ କେଭି ବିଦ୍ୟୁତ୍‍ ଗ୍ରୀଡ୍‍ରୁ ଦୀର୍ଘ ୨୮ କିଲୋମିଟର ଅତିକ୍ରମ କରି ୩୬୨ଟି ଖୁଣ୍ଟିରେ ୩୩କେଭି ବିଦ୍ୟୁତ୍‍ ଆସୁଛି। ତେବେ ସାମାନ୍ୟ ବର୍ଷା, ପବନ ଏବଂ ଅନ୍ୟାନ୍ୟ ଦୁର୍ବିପାକ ସମୟରେ ବାରମ୍ବାର ବିଦ୍ୟୁତ୍‍ ବିଭ୍ରାଟ ହେବା ଯୋଗୁଁ ଏହି ଅଞ୍ଚଳର ବିଦ୍ୟୁତ୍‍ ଉପଭୋକ୍ତାମାନେ ବହୁ ସମୟରେ ବିଦ୍ୟୁତ୍‍ ସେବାରୁ ବଞ୍ଚିତ ହେଉଛନ୍ତି। କାଳବୈଶାଖି ଯୋଗୁଁ ଗତ କିଛିଦିନ ହେବ ପିପିଲି ଅଞ୍ଚଳରେ ଦୈନିକ ୧୦ରୁ ୧୯ ଘଣ୍ଟାକାଳ ବିଦ୍ୟୁତ୍‍ ସେବା ବିପର୍ଯ୍ୟସ୍ତ ହୋଇ ପଡିଥିବା ବେଳେ ଏବେ ଦୈନିକ ୪ରୁ ୬ଘଣ୍ଟାକାଳ ବିଦ୍ୟୁତ୍‍ କାଟ୍‍ ହେଉଥିବା ଅଭିଯୋଗ ହୋଇଛି। ପ୍ରବଳ ରୌଦ୍ରତାପ ଓ ଅସହ୍ୟ ଗୁଳୁଗୁଳି ସମୟରେ ଅଘୋଷିତ ବିଦ୍ୟୁତ୍‍ କାଟ୍‍ ସହ ଲୋଭୋଲ୍‍ଟେଜ୍‍ ସମସ୍ୟା ଯୋଗୁଁ ସାଧାରଣ ଜୀବନଯାତ୍ରା ଅସହ୍ୟ ହୋଇପଡିଛି। ଏହାକୁ ନେଇ ପ୍ରବଳ ଜନଅସନ୍ତୋଷ ପ୍ରକାଶ ପାଇଛି।

ତେବେ ପିପିଲି ନିକଟବର୍ତ୍ତୀ ମଙ୍ଗଳପୁର ଠଣଠଣା ଠାରେ ୩୮କୋଟି ବ୍ୟୟରେ ନିର୍ମିତ ୧୩୨/୩୩ କେଭି ବିଦ୍ୟୁତ୍‍ ଗ୍ରୀଡ୍‍ ସବ୍‍ଷ୍ଟେସନ ୨୦୨୦ ଜୁନ ୨୫ ତାରିଖରୁ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଅଦ୍ୟାବଧି ଏହା ଲୋକଙ୍କ ସେବାରେ ଲାଗିପାରିନାହିଁ। ଏହି ଗ୍ରୀଡ୍‍ରୁ ପିପିଲିକୁ ୩୩କେଭି ବିଦ୍ୟୁତ୍‍ ସଂଯୋଗ କରାଗଲେ ଅଞ୍ଚଳର ବିଦ୍ୟୁତ୍‍ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ। ଏହିସବୁ ବିଦ୍ୟୁତ୍‍ ସମସ୍ୟାକୁ ନେଇ ଡେଲାଙ୍ଗ ପିପିଲି ଜନକଲ୍ୟାଣ ମଞ୍ଚ ପକ୍ଷରୁ ପିପିଲି ବିଦ୍ୟୁତ୍‍ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ପୂର୍ବାହ୍ନ ୧୦ଟା ଠାରୁ ଆମରଣ ଅନଶନ କରାଯାଇଛି। ମଞ୍ଚର ମୁଖ୍ୟ ଉପଦେଷ୍ଠା ଜନ୍ମେଜୟ ଜେନା ଓ ଆବାହକ ରାଧାମୋହନଙ୍କ ନେତୃତ୍ୱରେ ୫୦ରୁ ଉର୍ଦ୍ଧ ବ୍ୟକ୍ତି ଅନଶନ ଚଳାଇଛନ୍ତି।

prayash

ପିପିଲି ବଜାର ବ୍ୟବସାୟୀ ସଂଘର ସଭାପତି ରାକେଶ ମହାପାତ୍ର, ସଂପାଦକ ପ୍ରବୀର ହାଲଦାର ପ୍ରମୁଖ ଏହାକୁ ସମର୍ଥନ ଜଣାଇ ସେମାନଙ୍କ ସହ ସାମିଲ ହୋଇଥିଲେ। ତେବେ ପିପିଲି ତହସିଲଦାର ପୁନମ ମହାପାତ୍ର, ଥାନାଧିକାରୀ ଅଭିମନ୍ୟୁ ନାୟକ, ପିପିଲି ବିଦ୍ୟୁତ୍‍ ଉପଖଣ୍ଡ ଅଧିକାରୀ ବିପିନ କୁମାର ସାହୁ ପ୍ରମୁଖ ସେଠାରେ ପହଞ୍ôଚ ଅନଶନକାରୀଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ପିପିଲି ଅଞ୍ଚଳର ବିଦ୍ୟୁତ୍‍ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିଥିବା ଏବଂ ୨୦୨୪ ମସିହା ମାର୍ଚ୍ଚ ସୁଦ୍ଧା ମଙ୍ଗଳପୁର ଠଣଠଣା ସ୍ଥିତ ୧୩୨/୩୩ କେଭି ଗ୍ରୀଡ୍‍ରୁ ପିପିଲିକୁ ୩୩କେଭି ବିଦ୍ୟୁତ୍‍ ସଂଯୋଗ କରାଯିବା ପାଇଁ ଉଦ୍ୟମ ଚାଲିଛି ବୋଲି ଶ୍ରୀସାହୁ ସୂଚନା ଦେଇଥିଲେ। ତେବେ ଅନଶନକାରୀମାନେ ନିଜ ଜିଦ୍‍ରେ ଅଟଳ ରହିଥିଲେ। ପିପିଲିର ବିଦ୍ୟୁତ୍‍ ସମସ୍ୟାର ସ୍ଥାୟୀ ସମାଧାନ ନହେବା ଯାଏଁ ଅନଶନ ଜାରି ରହିବ ବୋଲି ମଞ୍ଚର ମୁଖ୍ୟ ଉପଦେଷ୍ଠା ଜନ୍ମେଜୟ ଜେନା ଓ ଆବାହକ ରାଧାମୋହନ ରୋକ୍‍ଠୋକ୍‍ କହିବା ସହ ନିଜ ଜିଦ୍‍ରେ ଅଟଳ ରହିଥିଲେ।

ଫଳରେ ଏହି ଆଲୋଚନା ବିଫଳ ହୋଇଥିଲା। ଏହି ଅନଶନରେ ଅନ୍ୟମାନଙ୍କ ମଧ୍ୟରେ ମଞ୍ଚର ଯୁବନେତା ସୁଜିତ ପରିଡା, ଅରୁଣ ବାରିକ, ରବି ସ୍ୱାଇଁ, ସୁରେଶ ମହାରଣା, କିଶୋର ଜେନା, ମହେଶ୍ୱର ଜେନା, ନରେନ୍ଦ୍ର ବିଶ୍ୱାଳ, ବାପି ବେହେରା, ରାଜା ସ୍ୱାଇଁ, ସୁକାନ୍ତ ସ୍ୱାଇଁ, ଲକ୍ଷ୍ମୀନାରାୟଣ ପ୍ରଧାନ ପ୍ରମୁଖ ସାମିଲ ଅଛନ୍ତି। ଏହି ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଅନଶନ ଜାରି ରହିଥିବା ବେଳେ ସଂନ୍ଧ୍ୟାରେ ବିଦ୍ୟୁତ୍‍ ବିଭାଗର ବରିଷ୍ଠ ଅଧିକାରୀମାନେ ପିପିଲିକୁ ଆସି ଅନଶନକାରୀଙ୍କ ସହ ଆଲୋଚନା କରିବାର ଯୋଜନା ରହିଥିବା ସୂଚନା ମିଳିଛି।

ବିଦ୍ୟୁତ ବିଭାଗର ସୁପେରିଟେଣ୍ଡେଣ୍ଟ ଇଞ୍ଜିନିୟର ସ୍ବପ୍ନ ସରିତ ମିଶ୍ର, ନିମାପଡା କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବିଶ୍ୱରଂଜନ ବେହେରା, ପିପିଲି ଉପଖଣ୍ଡ ଅଧିକାରୀ ବିପିନ କୁମାର ସାହୁ, ପିପିଲି ଏସଡିପିଓ ଦେବଦତ୍ତ ବରାଳ, ତହସିଲଦାର ପୁନମ ମହାପାତ୍ର, ଥାନା ଅଧିକାରୀ ଅଭିମନ୍ୟୁ ନାୟକ ପ୍ରମୁଖ ଅନଶନକାରିଙ୍କ ସହ ଆଲୋଚନା କରି ଲିଖିତ ପ୍ରତିଶୃତି ଦେବା ପରେ ଅନଶନ ପ୍ରତ୍ୟାହାର ହୋଇଛି।

kalyan agarbati

Comments are closed.