ପିପିଲି:ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଭରସାପୁର ନିକଟ ଧର୍ମବିହାର କଲୋନୀରେ ଗୋଟିଏ ରାତିରେ ସିରିଜ ଚୋରି ହୋଇଛି। ୩ଟି ଘରର ତାଲା ଭାଙ୍ଗି ଦୁର୍ବୁତ୍ତମାନେ ଘର ମଧ୍ୟରୁ ୧୦ଲକ୍ଷରୁ ଉର୍ଦ୍ଧ ମୂଲ୍ୟର ସୁନା ଅଳଙ୍କାର ଓ ନଗଦ ଟଙ୍କା ସମେତ ଅନ୍ୟାନ୍ୟ ସାମଗ୍ରୀ ଚୋରି କରିନେବାରେ ସଫଳ ହୋଇଛନ୍ତି। ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଥିବା ବେଳେ ପୁଲିସ ଘଟଣାର ଛାନ୍ଭିନ ତଦନ୍ତ ଚଳାଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ପିପିଲି ପୌରାଞ୍ଚଳର ୧୧ନଂ ୱାର୍ଡ ଅନ୍ତର୍ଗତ ଭରସାପୁର ସ୍ଥିତ ଧର୍ମବିହାର କଲୋନୀର ବାସିନ୍ଦା ଆଶୁତୋଷ ରାଉତରାୟ ସୋମବାର ରାତିରେ ନିଜ ପତ୍ନୀ ଓ ପୁଅଙ୍କ ସହ ଗୋଟିଏ ଘରେ ଶୋଇଥିବା ବେଳେ ତାଙ୍କ ବାପା ବିପିନ ବିହାରୀ ରାଉତରାୟ ଅନ୍ୟ ଏକ ଘରେ ଶୋଇଥିଲେ। ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ଘରର ଗ୍ରୀଲ ଓ କବାଟ ଭାଙ୍ଗି ଘର ମଧ୍ୟରେ ପ୍ରବେଶ କରିବା ସହ ସେମାନେ ଶୋଇଥିବା ଦୁଇଟିଯାକ ଘରର କବାଟକୁ ବାହାରପଟୁ କିଳିକି ଦେଇଦେଇଥିଲେ। ଅନ୍ୟ ଏକ ଘରେ ଆଲମିରା ମଧ୍ୟରେ ଥିବା ୧୨ଟି ସୁନାମୁଦି, ୨ଟି ସୁନା ହାର, ଗୋଟିଏ ସୁନାଚେନ୍ ଓ ୨୧ହଜାର ଟଙ୍କା ସମେତ ଘର ମଧ୍ୟରେ ଥିବା ୫ହଜାରରୁ ଉର୍ଦ୍ଧ ଟଙ୍କା ମୂଲ୍ୟର କଂସାବାସନକୁ ଲୁଟି ନେଇଥିଲେ।
ମଙ୍ଗଳବାର ସକାଳେ ଅନ୍ୟମାନେ ଆସି ଶୋଇବା ଘରର ବାହାରପଟୁ ଦିଆଯାଇଥିବା କିଳିକି ଖୋଲିବା ପରେ ସେମାନେ ବାହାରକୁ ବାହାରିଥିଲେ। ସେହିପରି ଉକ୍ତ କଲୋନୀର ବାସିନ୍ଦା ଜିତେନ୍ଦ୍ର କୁମାର ବିଶ୍ୱାଳ ପୁଅର ପାଠପଢା ପାଇଁ ଗତ ଦୁଇମାସ ଧରି ଭୁବନେଶ୍ୱରରେ ରହୁଥିବା ବେଳେ ତାଙ୍କ ବାପା ଓ ମାଆ ଧର୍ମବିହାର ସ୍ଥିତ ଘରେ ବାସ କରନ୍ତି। ତେବେ ଗତକାଲି ସେମାନେ ପୁଅ ପାଖକୁ ଭୁବନେଶ୍ୱର ଯାଇଥିଲେ। ଏହାର ସୁଯୋଗ ନେଇ ଦୁର୍ବୁତ୍ତମାନେ ଘରର ମୁଖ୍ୟଦ୍ୱାର ସମେତ ସମସ୍ତ କବାଟର ତାଲା ଭାଙ୍ଗି ଲୁହା ଆଲମିରା ମଧ୍ୟରୁ ଗୋଟିଏ ସୁନାଚେନ୍, ୫ଟି ମୁଦି, ୫୦ ହଜାର ଟଙ୍କା ମୂଲ୍ୟର ଗୋଟିଏ ଡିଜିଟାଲ କ୍ୟାମେରା ସମେତ ୧୬ହଜାର ୫ଶହ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।
ସେହିପରି ଉକ୍ତ କଲୋନୀର ବାସିନ୍ଦା କିଶୋର କୁମାର ବରାଳ ସୋମବାର ରାତିରେ ଘରେ ନଥିବାର ସୁଯୋଗ ନେଇ ଦୁର୍ବୁତ୍ତମାନେ ତାଙ୍କ ଘର ମଧ୍ୟରୁ ଲୁହା ଆଲମିରାର ତାଲା ଭାଙ୍ଗି ୨ଟି ସୁନାଚେନ୍, ୨ଟି ହାର, ୪ଟି ମୁଦି, ୭୦ହଜାର ଟଙ୍କା ସମେତ ଉକ୍ତ ଘର ମଧ୍ୟରୁ ୪୦ହଜାର ଟଙ୍କା ମୂଲ୍ୟର କଂସାବାସନ ଚୋରି କରିନେଇଥିବା ପୁଲିସରେ ଅଭିଯୋଗ ହୋଇଛି। ଏନେଇ ପିପିଲି ପୁଲିସରେ ୩ଟି ପୃଥକ ଅଭିଯୋଗ ହୋଇଥିବା ବେଳେ ପୁଲିସ ଘଟଣାର ଅନୁସନ୍ଧାନ ଚଳାଇଛି।



